ସିବିଆଇ ଅଧିକାରୀଙ୍କ ବିରୁଦ୍ଧରେ କାର୍ତ୍ତିଙ୍କ ଅଭିଯୋଗ

add-all

ନୂଆଦିଲ୍ଲୀ: ସିବିଆଇର କିଛି ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ। କାର୍ତ୍ତି ହେଉଛନ୍ତି ପି ଚଦାମ୍ବରମଙ୍କ ପୁଅ। ନିକଟରେ କାର୍ତ୍ତିଙ୍କ ଘରେ ସିବିଆଇର କିଛି ଅଧିକାରୀ ଚାଇନିଜ ଶ୍ରମିକଙ୍କୁ ବେଆଇନ ଭାବେ ଭାରତ ଆସିବାକୁ ଭିସା ଯୋଗାଣ କରିଥିବା ମାମଲାରେ ରେଡ୍‌ କରିଥିଲେ। ଏହି ସମୟରେ ଅଧିକାରୀମାନେ ତାଙ୍କ ଘରେ ଥିବା ଥିବା ଅତ୍ୟନ୍ତ ଗୋପନୀୟ ଓ ସମ୍ବେଦନଶୀଳ ଦସ୍ତାବିଜ୍‌ ନିଜ ସାଙ୍ଗରେ ନେଇ ଯାଇଥିବା କାର୍ତ୍ତି କହିଛନ୍ତି। ଏ ସମ୍ପର୍କରେ ସେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ଅବଗତ ମଧ୍ୟ କରାଇଛନ୍ତି।
ସେ କହିଛନ୍ତି, “ତଥା କଥିତ ସିବିଆଇ ରେଡ୍‌ ବେଳେ କିଛି ନିର୍ଦ୍ଦିଷ୍ଟ ଅଧିକାରୀ ମୋ ଘରେ ମାମଲା ସହ ଜଡ଼ିତ ନଥିବା ଅତ୍ୟନ୍ତ ଗୋପନୀୟ ଓ ସମ୍ବେଦନଶୀଳ ଦସ୍ତାବିଜ ନେଇ ଯାଇଛନ୍ତି। ଏହା ମଧ୍ୟରେ ମୋର କିଛି ବ୍ୟକ୍ତିଗତ ନୋଟ ସହ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ସଂସଦୀୟ ଷ୍ଟାଣ୍ଡିଂ କମିଟି ପାଇଁ ମୁଁ ପ୍ରସ୍ତୁତ କରିଥିବା କିଛି ସମ୍ବେଦନଶୀଳ ଦସ୍ତାବିଜ ରହିଛି। କମିଟିର ସଦସ୍ୟ ହିସାବରେ ମୁଁ କିଛି ଦସ୍ତାବିଜ ପ୍ରସ୍ତୁତ କରିଥିଲି। ହେଲେ ସିବିଆଇ ଅଧିକାରୀମାନେ ସେଗୁଡ଼ିକୁ ନେଇ ଯାଇଛନ୍ତି।
ମୁଁ ନିୟମିତ ଭାବେ ବେଆଇନ ଓ ଅସାମ୍ବିଧାନିକ କାର୍ଯ୍ୟର ଶିକାର ହୋଇ ଆସୁଛି। ୧୧ ବର୍ଷ ତଳେ ଭାରତ ସରକାର ନେଇଥିବା ନିଷ୍ପତ୍ତି ଆଧାରରେ ସିବିଆଇ ମୋ ଘରେ ରେଡ କରିଥିଲା। ଏଥିରେ ମୋର କୌଣସି ଭୂମିକା ନଥିଲେ ମଧ୍ୟ ଦିଲ୍ଲୀ ସ୍ଥିତ ମୋ ଘରେ ସେମାନେ ପଶି ଯାଞ୍ଚ କରିଛନ୍ତି। କମିଟି ନିକଟରେ କିଛି କଥା ଉପସ୍ଥାପନ କରିବାକୁ ମୁଁ ହାତରେ ଗୋଟିଏ ନୋଟ ପ୍ରସ୍ତୁତ କରିଥିଲି। ଏହାକୁ ମଧ୍ୟ ସିବିଆଇ ଅଧିକାରୀମାନେ ନେଇ ଯାଇଛନ୍ତି। କିନ୍ତୁ ଏହାର କାରଣ କିଛି ବି କହି ନାହାନ୍ତି। କେନ୍ଦ୍ର ସରକାର ଆମର ସ୍ୱର ବନ୍ଦ କରି ଦେବାକୁ ସିବିଆଇ ନାଁରେ ଗୋଟିଏ ପରେ ଗୋଟିଏ କେସ୍ କରୁଛନ୍ତି।”
ସୂଚନାଯୋଗ୍ୟ, ୨୬୩ ଜଣ ଚାଇନିଜ ଶ୍ରମିକଙ୍କୁ ବେଆଇନ ଭାବେ ଭିସା ଦେବାକୁ କାର୍ତ୍ତି ପଞ୍ଜାବରେ ଅବସ୍ଥାପିତ ଗୋଟିଏ କମ୍ପାନୀ ଠାରୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ତାଙ୍କ ବାପା ପି ଚିଦାମ୍ବରମ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ଏପରି ଲାଞ୍ଚ କାରବାର ହୋଇଥିବା ସିବିଆଇ ଅଭିଯୋଗ କରିଛି।

ad-week
Leave A Reply

Your email address will not be published.