ରାହୁଲଙ୍କୁ ହାଜର ପାଇଁ ପୁଣି ନୋଟିସ କଲା ଇଡି, ଏଥର ୧୩ ତାରିଖ

add-all

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ସାଂସଦଙ୍କ ଅଡ଼ୁଆ ବଢ଼ିଛି। ତାଙ୍କୁ ପୁଣିଥରେ ହାଜର ହେବାକୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ଜୁନ୍‌ ୨ରେ ଜେରା ପାଇଁ ହାଜର ହେବାକୁ ଇଡି ସମନ କରିଥିଲା। ହେଲେ ସେ ଅଧିକ ସମୟ ମାଗିଥିଲେ। ଏବେ ତାଙ୍କୁ ଇଡି ଜୁନ୍‌ ୧୩ ତାରିଖରେ ହାଜର ହେବାକୁ ଆଜି ସମନ କରିଛି। ତେଣୁ ରାହୁଲ ଗାନ୍ଧି ୧୩ ତାରିଖରେ ହାଜର ହେବେ କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।
ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ପକ୍ଷରୁ ସୋନିଆ ଗାନ୍ଧିଙ୍କୁ ମଧ୍ୟ ପୂର୍ବରୁ ସମନ କରାଯାଇଥିଲା। ତାଙ୍କୁ ଜୁନ୍‌ ୮ରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। କିନ୍ତୁ ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଜେରା ପାଇଁ ଯିବେ କି ନାହିଁ, ତା’ହା ସ୍ପଷ୍ଟ ହୋଇନି।
ବିଜେପି ନେତା ସୁବ୍ରମନିୟନ୍‌ ସ୍ୱାମୀଙ୍କ ଅଭିଯୋଗ ପରେ ନ୍ୟାଶନାଲ ହେରାଲ୍ଡ ମାମଲା ସାମ୍ନାକୁ ଆସିଥିଲା। ସୋନିଆ ଗାନ୍ଧି ଓ ତାଙ୍କ ପୁଅ ରାହୁଲ ଗାନ୍ଧି ଏକ କମ୍ପାନୀ ପ୍ରତିଷ୍ଠା କରିବା ସହ ୯୦ କୋଟିର ଋଣଭାରରେ ବୁଡ଼ିଥିବା ଏଜେଏଲ୍‌ର ମାଲିକାନାକୁ ନିଜ ହାତକୁ ନେଇଥିଲେ। ୟଙ୍ଗ ଇଣ୍ଡିଆ ଲିଃ କମ୍ପାନୀ ଏହାକୁ କିଣିଥିଲା।
ୟଙ୍ଗ ଇଣ୍ଡିଆ ଲିଃର ନିର୍ଦ୍ଦେଶକ ରାହୁଲ ଗାନ୍ଧି ରହିଥିଲେ। ତେବେ ଏଜେଏଲ୍‌ର ଶେୟାର ହୋଲ୍ଡରମାନଙ୍କୁ କମ୍ପାନୀର ମାଲିକାନା ପରିବର୍ତ୍ତନ ବେଳେ କୌଣସି ପ୍ରକାରର ନୋଟିସ ପଠା ଯାଇନଥିବା ଅଭିଯୋଗ ହୋଇଛି।
ସୁବ୍ରମନିୟନ୍‌ ସ୍ୱାମୀ କହିଥିଲେ ଯେ ୟଙ୍ଗ ଇଣ୍ଡିଆ ଲିଃ ବେଆଇନ ଭାବେ ଏଜେଏଲର ସମ୍ପତ୍ତି ଦଖଲ କରିଥିଲା। ଏହା ମଧ୍ୟରେ ନ୍ୟାଶନାଲ ହେରାଲ୍ଡ ମଧ୍ୟ ରହିଥିଲା। ଏପରି କି ବେଆଇନ ଭାବେ କମ୍ପାନୀ ୨ ହଜାର କୋଟି ଟଙ୍କାର ସମ୍ପତ୍ତି ହଡ଼ପ କରିଥିବା ସୁବ୍ରମନିୟନ୍‌ ସ୍ୱାମୀ ଅଭିଯୋଗ କରିଥିଲେ।
ସେ ଆହୁରି କହିଥିଲେ ଯେ ଏଜେଏଲ କଂଗ୍ରେସ ପାର୍ଟି ଠାରୁ ୯୦.୨୫ କୋଟି ଟଙ୍କା ଋଣ ଆକାରରେ ନେଇଥିଲା। ଏହାକୁ ଅସୁଲ କରିବାର ଅଧିକାର ହାସଲ କରିବାକୁ ୟଙ୍ଗ ଇଣ୍ଡିଆ ଲିଃ ଉକ୍ତ କମ୍ପାନୀକୁ ମାତ୍ର ୫୦ ଲକ୍ଷ ଟଙ୍କା ଦେଇଥିଲା। ନ୍ୟାଶନାଲ ହେରାଲ୍ଡ ଖବର କାଗଜର କାମ ଆରମ୍ଭ କରିବା ପାଇଁ ଏପରି ଋଣ ନେଇଥିଲା। ଋଣ ପ୍ରଦାନ ମଧ୍ୟ ବେଆଇନ। କାରଣ ଏହା ପାର୍ଟି ଫଣ୍ଡରୁ ଦିଆଯାଇଥିଲା ବୋଲି ସେ କହିଛନ୍ତି।
୨୦୧୪ରେ ଇଡି ଘଟଣାର ଖୋଳତାଡ଼ ଆରମ୍ଭ କରିବା ସହ ମନି ଲଣ୍ଡରିଂ ମାମଲା ରୁଜୁ କରିଛି।

ad-week
Leave A Reply

Your email address will not be published.