୧୯୯୦ରେ ପଣ୍ଡିତମାନେ କଶ୍ମୀର ଛାଡିଥିଲେ, ଆଉ ଏବେ ତାହା ପୁଣି ହେଉଛି: କେଜ୍ରିୱାଲ

add-all

ନୂଆଦିଲ୍ଲୀ: ଜାମ୍ମୁକଶ୍ମୀରରେ ଟାର୍ଗେଟ କିଲିଂକୁ ନେଇ ଆମ୍ ଆଦମୀ ପାର୍ଟି (ଏଏପି) ର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଘଟଣାକୁ ୧୯୯୦ ସହ ତୁଳନା କରିଛନ୍ତି | ଶୁକ୍ରବାର ଦିନ ସେ କହିଛନ୍ତି ଯେ କଶ୍ମୀରରେ ଉପୁଜିଥିବା ପରିସ୍ଥିତି ପାଇଁ ସାରା ଦେଶ ଚିନ୍ତାରେ ପଡିଛି। ୧୯୯୦ ମସିହାରେ କଶ୍ମୀର ପଣ୍ଡିତମାନେ ଅନ୍ୟ ରାଜ୍ୟକୁ ପଳାୟନ କରିଥିଲେ ଆଉ ଏବେ ଏହା ଦ୍ୱିତୀୟ ଥର ପାଇଁ ଘଟୁଛି। ସେ କହିଛନ୍ତି ଯେ କଶ୍ମୀରରେ ହିନ୍ଦୁମାନଙ୍କୁ ଯେପରି ଟାର୍ଗେଟ କରାଯାଉଛି ଏବଂ ହତ୍ୟା କରାଯାଉଛି ତାହା ଚିନ୍ତାର ବିଷୟ। ସେମାନଙ୍କ ସୁରକ୍ଷା ପାଇଁ ଯାହା ଆବଶ୍ୟକ ତାହା କରିବାକୁ ଆମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛୁ।
ସୂଚନା ଥାଉ କି ଅତୀତରେ ଦିଲ୍ଲୀ ବିଧାନସଭାରେ କଶ୍ମୀର ପଣ୍ଡିତଙ୍କ ଅବସ୍ଥା ଉପରେ ଫିଲ୍ମ ‘କାଶ୍ମୀର ଫାଇଲସ’କୁ ନେଇ କେଜ୍ରିୱାଲ ବିବାଦୀୟ ବୟାନ ଦେଇଥିଲେ | ଏମିତି କି ଏହି ବୟାନକୁ ନେଇ ବିରୋଧୀମାନେ ତାଙ୍କୁ ଘେରିଥିଲେ। ଏହା ପରେ ମାର୍ଚ୍ଚ ୩୦ ରେ ହୋଇଥିବା ବିକ୍ଷୋଭ ସମୟରେ ବିଜେପି ଯୁବମୋର୍ଚ୍ଚା କର୍ମୀମାନେ ତାଙ୍କ ବାସଭବନ ବାହାରେ ଭଙ୍ଗାରୁଜା କରିଥିଲେ।
ତେବେ ବରିଷ୍ଠ ଆପ ନେତା ସଞ୍ଜୟ ସିଂ କହିଛନ୍ତି ଯେ କଶ୍ମୀରରେ ଆତଙ୍କବାଦୀମାନେ କଶ୍ମୀର ପଣ୍ଡିତମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରୁଛନ୍ତି ଏବଂ କେନ୍ଦ୍ରର ଭାରତୀୟ ଜନତା ପାର୍ଟି ସେମାନଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛି, ଯେଉଁଥିପାଇଁ ପୁନର୍ବାର ବହୁ ସଂଖ୍ୟକ କଶ୍ମୀର ପଣ୍ଡିତଙ୍କ ମୃତ୍ୟୁ ଘଟୁଛି। ସଞ୍ଜୟ ସିଂ କହିଛନ୍ତି ଯେ କଶ୍ମୀରୀ ପଣ୍ଡିତମାନେ ନିଜ ଦେଶରେ ବିଦେଶୀ ହୋଇଯାଇଛନ୍ତି । ଆତଙ୍କବାଦୀମାନେ କଶ୍ମୀର ପଣ୍ଡିତମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରୁଛନ୍ତି। ସରକାର ସେମାନଙ୍କୁ ସୁରକ୍ଷା ଦେବାରେ ସକ୍ଷମ ନୁହଁନ୍ତି।

ad-week
Leave A Reply

Your email address will not be published.