ଜମ୍ମୁକଶ୍ମୀରରେ ଟାର୍ଗେଟ୍‌ କିଲିଂ: ୧୭୭ କଶ୍ମୀର ପଣ୍ଡିତଙ୍କୁ ଟ୍ରାନ୍ସଫର

add-all

ଶ୍ରୀନଗର: ଜମ୍ମୁକଶ୍ମୀରରେ ଦିନକୁ ଦିନ ଟାର୍ଗେଟ କିଲିଂ ବଢ଼ିବାରେ ଲାଗିଛି। ଏହାରି ଭିତରେ ସ୍ଥାନୀୟ ସରକାର କଶ୍ମୀର ପଣ୍ଡିତଙ୍କୁ ସୁରକ୍ଷାକୁ ନେଇ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଶ୍ରୀନଗରର ବିଭିନ୍ନ ଅଞ୍ଚଳରେ ନିଯୁକ୍ତ କରାଯାଇଥିବା ୧୭୭ଜଣ କଶ୍ମୀର ପଣ୍ଡିତ ଶିକ୍ଷକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଶ୍ରୀନଗର ମୁଖ୍ୟ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ଚିଠିରେ ଏହି ସୂଚନା ଦିଆଯାଇଛି।
ଘାଟିରେ ଟାର୍ଗେଟ୍‌ କିଲିଂକୁ ଦୃଷ୍ଟିରେ ରଖି ଏହି ଟ୍ରାନ୍ସଫର କରାଯାଇଛି। କଶ୍ମୀର ପଣ୍ଡିତ ଶିକ୍ଷକମାନେ ସୁରକ୍ଷିତ ସ୍ଥାନକୁ ବଦଳି ପାଇଁ ଦାବି କରିଥିଲେ। ଟାର୍ଗେଟ୍‌ କିଲିଂକୁ ଦେଖି ଶହ ଶହ କଶ୍ମୀର ପଣ୍ଡିତ ଘାଟି ଛାଡି ଅନ୍ୟଆଡେ ପଳାୟନ କରୁଛନ୍ତି। ଏଣୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଗତକାଲି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି।
କହିରଖୁ କି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ବୈଠକରେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ବ୍ୟତୀତ ଏନ୍‌ଏସ୍‌ଏ ଅଜିତ ଡୋଭାଲ, ଜମ୍ମୁ କଶ୍ମୀରଙ୍କ ଡାଇରେକ୍ଟର ଜେନେରାଲ ଅଫ୍‌ ପୁଲିସ ଦିଲବାଗ ସିଂହ, କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା, କେନ୍ଦ୍ର ରିଜର୍ଭ ପୁଲିସ ମହାନିର୍ଦ୍ଦେଶକ କୁଲଦୀପ ସିଂହ ଏବଂ ସୀମା ସୁରକ୍ଷା ବଳ ପ୍ରମୁଖ ପଙ୍କଜ ସିଂହ ସାମିଲ ହୋଇଥିଲେ। ଏହି ବୈଠକରେ କଶ୍ମୀର ପଣ୍ଡିତଙ୍କ ସୁରକ୍ଷାକୁ ନେଇ ଆଲୋଚନା ହୋଇଥିଲା।
ସୂଚନା ଯୋଗ୍ୟ ଯେ, କଶ୍ମୀର ପଣ୍ଡିତଙ୍କ ହତ୍ୟାକୁ ନେଇ ଘାଟିରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ନିକଟରେ ଆତଙ୍କବାଦୀମାନେ ବ୍ୟାଙ୍କ ଭିତରେ ପଶି ଜଣେ ରାଜସ୍ତାନରେ ରହୁଥିବା ଯୁବକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହା ପୂର୍ବରୁ ମଧ୍ୟ କୁଲଗାମ ଜିଲ୍ଲାରେ ଏକ ହାଇସ୍କୁଲ ଭିତରେ ପଶି ଆତଙ୍କବାଦୀମାନେ ଜଣେ କଶ୍ମୀର ପଣ୍ଡିତ ଶିକ୍ଷୟିତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲେ।

ad-week
Leave A Reply

Your email address will not be published.