ମାସ୍କ ପିନ୍ଧିବାକୁ ମନା କରୁଥିବା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଦିଅ; ନିର୍ଦ୍ଦେଶନାମା ଜାରିକଲେ ବିମାନ ଚଳାଚଳ ନିୟାମକ

add-all

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବୁଧବାର ଦିନ ଏକ ନିର୍ଦ୍ଦେଶନାମା ଜାରିକରି କହିଛନ୍ତି ଯେ ବିମାନବନ୍ଦର ଏବଂ ବିମାନରେ କୋଭିଡ ଉପଯୁକ୍ତ ଆଚରଣ ଅନୁସରଣ କରିବାକୁ ମନା କରୁଥିବା ଯାତ୍ରୀମାନଙ୍କୁ ଉଡ଼ାଣ ଭରିବା ପୂର୍ବରୁ ବିମାନରୁ ଓହ୍ଲାଇ ଦିଆଯିବ।
ବିମାନବନ୍ଦର ଏବଂ ବିମାନରେ ମାସ୍କ ପିନ୍ଧି ନଥିବା ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଦିଲ୍ଲୀ ହାଇକୋର୍ଟ ନିୟାମକ ସଂସ୍ଥାକୁ କହିବା ପରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।
ଏହି ନିର୍ଦ୍ଦେଶନାମାରେ ଆହୁରି ମଧ୍ୟ କୁହାଯାଇଛି ଯେ ଯଦି ବିମାନରେ ଥିବା କୌଣସି ଯାତ୍ରୀ ମାସ୍କ ପିନ୍ଧିବାକୁ ମନା କରନ୍ତି କିମ୍ବା ବାରମ୍ବାର ଚେତାବନୀ ପରେ ମଧ୍ୟ ‘ଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ କୋଭିଡ-୧୯ ପ୍ରୋଟୋକଲ’କୁ ଉଲ୍ଲଂଘନ କରନ୍ତି, ତେବେ ତାଙ୍କୁ ‘ବିଶୃଙ୍ଖଳିତ ଯାତ୍ରୀ’ ଭାବରେ ଚିହ୍ନଟ କରାଯିବ ଏବଂ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବିମାନବନ୍ଦରରେ, ବିମାନବନ୍ଦର ଅପରେଟରମାନଙ୍କୁ କୋଭିଡ ଉପଯୁକ୍ତ ଆଚରଣ ପାଳନ କରୁ ନଥିବା ଯାତ୍ରୀମାନଙ୍କୁ ରାଜ୍ୟ ଆଇନ ଅନୁଯାୟୀ ଦଣ୍ଡିତ କରିବାକୁ ଅଧିକୃତ କରାଯାଇଛି। ଆବଶ୍ୟକତା ପଡ଼ିଲେ ସଂପୃକ୍ତ ଯାତ୍ରୀଙ୍କୁ ସୁରକ୍ଷା ଏଜେନ୍‌ସିଗୁଡ଼ିକୁ ମଧ୍ୟ ହସ୍ତାନ୍ତର କରାଯାଇ ପାରିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।
ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ବିମାନରେ ସେବା ଯୋଗାଉଥିବା ଅଧିକାରୀମାନେ ନିଶ୍ଚିତ କରିବେ ଯେ ସମସ୍ତ ଯାତ୍ରୀ ସଠିକ୍‌ ଭାବରେ ମାସ୍କ ପିନ୍ଧିଛନ୍ତି ଏବଂ ଯାତ୍ରା ସମୟରେ ସେଗୁଡିକ ପିନ୍ଧିବା ଜାରି ରଖିବେ। ଆଦେଶରେ କୁହାଯାଇଛି, ଅସାଧାରଣ ପରିସ୍ଥିତିରେ ଏବଂ କେବଳ ଅନୁମୋଦିତ କାରଣ ପାଇଁ ମୁହଁ ମାସ୍କ ଅପସାରଣ କରା ଯାଇପାରିବ।

ad-week
Leave A Reply

Your email address will not be published.