କାନପୁର ହିଂସା ସୁପରିକଳ୍ପିତ ଷଡ଼ଯନ୍ତ୍ର: ବିଶ୍ବ ହିନ୍ଦୁ ପରିଷଦ

add-all

ହରିଦ୍ବାର: ଶୁକ୍ରବାର ଦିନ କାନପୁରରେ ସଂଘଠିତ ହିଂସାକାଣ୍ଡକୁ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି କହି ରବିବାର ଦିନ ବିଶ୍ବ ହିନ୍ଦୁ ପରିଷଦ୍‌ ଉଦ୍‌ବେଗ ପ୍ରକାଶ କରିଛି। ହରିଦ୍ବାରରେ ଆୟୋଜିତ ଦୁଇଦିନିଆ ବୈଠକ ଶେଷ ହେବା ପରେ ‘ବିଶ୍ବ ହିନ୍ଦୁ ପରିଷଦ୍‌’ର ସାଧାରଣ ସଚିବ ମିଲିନ୍ଦ୍‌ ପରାନ୍ଦେ କହିଛନ୍ତି, ହିଂସା ମୁକାବିଲା କରିବା ଲାଗି ସରକାର, ପୁଲିସ ଏବଂ ସମାଜ ସମ୍ପୂର୍ଣ୍ଣ ସମର୍ଥ। ହିଂସା ବିପକ୍ଷରେ ଅ‌ସନ୍ତୋଷ ବ୍ୟକ୍ତ କରି ସାଧୁସନ୍ଥମାନେ ଏହାକୁ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି କହିଥିବା କଥା ପରାନ୍ଦେ କହିଛନ୍ତି।
ଟେଲିଭିଜନ୍‌ ସୋ’ ବିତର୍କରେ ପ୍ରଫେଟ୍‌ ମହମ୍ମଦଙ୍କ ସମ୍ବନ୍ଧରେ ନିଲମ୍ବିତା ବିଜେପି ନେତ୍ରୀ ନୂପୁର ଶର୍ମା ଦେଇଥିବା ଅସମ୍ମାନଜନକ ମନ୍ତବ୍ୟ ଉପରେ ଜୁନ୍‌ ୩ ତାରିଖ ଦିନ ଶୁକ୍ରବାର ନମାଜ ପରେ ସଂଖ୍ୟାଲଘୁମାନେ ପ୍ରତିକ୍ରିୟା ପ୍ରକାଶ କରିବାରୁ କାନପୁରରେ ହିଂସାକାଣ୍ଡ ଆରମ୍ଭ ହୋଇଥିଲା।
ପରାନ୍ଦେ ଆହୁରି ମଧ୍ୟ କହିଛନ୍ତି, ପରିଷଦ୍‌ର ଦୁଇଦିନିଆ ବୈଠକରେ ୪ଟି ପ୍ରସ୍ତାବନା ଗୃହୀତ ହୋଇଛି। ସେଥିରୁ ଗୋଟିଏ ଦାବି ହେଲା ଦେଶରେ ଥିବା ମଠ ଓ ମନ୍ଦିରଗୁଡ଼ିକୁ ସରକାରଙ୍କ ନିୟନ୍ତ୍ରଣରୁ ମୁକ୍ତ କରିବା। ଏହାଛଡ଼ା, ଧର୍ମାନ୍ତରିକରଣ ରୋକିବା ଲାଗି କଠୋର ଆଇନ ବ୍ୟବସ୍ଥା ଏବଂ ‘ୟୁନିଫର୍ମ ସିଭିଲ୍‌ କ‌ୋଡ୍‌’ ପ୍ରଚଳନ ପାଇଁ ମଧ୍ୟ ଏହି ବୈଠକରେ ଦାବି ଗୃହୀତ ହୋଇଛି।
ବୈଠକକୁ ଆସିଥିବା ଅଂଶଗ୍ରହଣକାରୀମାନେ ଧର୍ମାନ୍ତରିକରଣ ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରିବା ସହ ତାହାକୁ ରୋକିବା ଲାଗି କଠୋର ଆଇନ ପ୍ରଣୟନ କରିବା ଲାଗି ଦାବି କରିଛନ୍ତି ବୋଲି ବିଶ୍ବ ହିନ୍ଦୁ ପରିଷଦ୍‌ ନେତା କହିଛନ୍ତି। ବାରାଣସୀର ଜ୍ଞାନବାପି ମସ୍‌ଜିଦ୍‌ ପ୍ରସଙ୍ଗ ମଧ୍ୟ ଆଲୋଚନା କରାଯାଇଥିଲା ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.