‘କୃଷି ଆଇନ୍‌ ପରି ଅଗ୍ନିପଥ ଯୋଜନା ବି ପ୍ରତ୍ୟାହୃତ ହେବ’

add-all

ନୂଆଦିଲ୍ଲୀ: ଧୀରେ ଧୀରେ କେନ୍ଦ୍ର ସରକାରଙ୍କ ପାଇଁ କଣ୍ଟା ସାବ୍ୟସ୍ତ ହେଲାଣି ‘ଅଗ୍ନିପଥ’ ଯୋଜନା। ଏହାକୁ ନେଇ ସମଗ୍ର ଦେଶରେ ନିଆଁ ଜଳୁଥିବା ବେଳେ ଏବେ ଏହି ଯୋଜନାକୁ ନେଇ ରାଜନୀତି ଜୋର ଧରିଲାଣି। ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। କେନ୍ଦ୍ର ସରକାର ଯବାନ ଓ କିଷାନଙ୍କୁ ଅପମାନିତ କରୁଛନ୍ତି। ତେଣୁ କୃଷି ଆଇନ୍‌ ପରି ‘ଅଗ୍ନିପଥ’ ଆଇନକୁ ମଧ୍ୟ କେନ୍ଦ୍ର ସରକାର ପ୍ରତ୍ୟାହାର କରିବାକୁ ବାଧ୍ୟ ହେବେ ବୋଲି ଟ୍ୱିଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, “ଲଗାତାର ୮ ବର୍ଷ ଧରି ସରକାର ‘ଜୟ ଯବାନ, ଜୟ କିଷାନ’ର ମୂଲ୍ୟବୋଧକୁ ଅପମାନିତ କରିଛନ୍ତି। ମୁଁ ଏହା ପୂର୍ବରୁ ମଧ୍ୟ କହିଥିଲି ଯେ ପ୍ରଧାନମନ୍ତ୍ରୀଙ୍କୁ କୃଷି ଆଇନ ପ୍ରତ୍ୟାହାର କରିବାକୁ ପଡିବ। ସେହିଭଳି ଅଗ୍ନିପଥ ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସମାନ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ତାଙ୍କୁ ଦେଶର ଯୁବବର୍ଗଙ୍କ କଥା ମାନିବାକୁ ପଡ଼ିବ ଓ ‘ଅଗ୍ନିପଥ’ ଯୋଜନାକୁ ଫେରାଇ ନେବାକୁ ପଡ଼ିବ।’
କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ନିଜ ଟ୍ୱିଟରରେ ଏକ ଭିଡିଓ ଶେଆର କରି କହିଛନ୍ତି ଯେ, ଦେଶର ସେନାରେ ଭର୍ତ୍ତି ହେବାକୁ ଚାହୁଁଥିବା ଗ୍ରାମାଞ୍ଚଳ ଯୁବକଙ୍କ ଦୁଃଖ ବୁଝିବାକୁ ଚେଷ୍ଟା କରନ୍ତୁ। ଗତ ୩ ବର୍ଷ ହେଲା ସେନାରେ ଭର୍ତ୍ତିକୁ ବନ୍ଦ କରି ଦିଆଯାଇଛି। କାଳେ କେତେବେଳେ ପୁଣି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯିବ ଭାବି ଯୁବକମାନେ ଅଭ୍ୟାସ ବନ୍ଦ କରି ନାହାନ୍ତି। ଏବେ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ସେମାନେ ଭାଙ୍ଗି ପଡ଼ିଛନ୍ତି। ୪ ବର୍ଷୀୟା ନିଯୁକ୍ତି ସ୍କିମ୍‌ କରି ସରକାର ତାଙ୍କର ସମସ୍ତ ଆଶା ଉପରେ ପାଣି ପକାଇ ଦେଇଛନ୍ତି। ସରକାର ସେମାନଙ୍କ ସ୍ଥାୟୀ ଭର୍ତ୍ତି, ରାଙ୍କ, ପେନସନ ଆଶା ସବୁ କିଛି ଛଡ଼ାଇ ନେଇଛନ୍ତି।
‘ଅଗ୍ନିପଥ’ ଯୋଜନାକୁ ଜୋରଦାର ବିରୋଧ କରି କଂଗ୍ରେସ ଖୁବ୍‌ଶୀଘ୍ର ଜନ୍ତରମନ୍ତରରେ ପ୍ରଦର୍ଶନ କରିବ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି। ଏଥିନିମନ୍ତେ ଏକ ବିଶାଳ ସମାବେଶ ଆୟୋଜିତ ହେବ ଯେଉଁଥିରେ ପାର୍ଟିର ବଡ଼ ବଡ଼ ନେତା ଓ ଏମ୍‌ପି ସାମିଲ ହେବେ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ସମଗ୍ର ଦେଶରେ ଲାଗିଥିବା ‘ଅଗ୍ନିପଥ’ ନିଆଁକୁ ପ୍ରଶମିତ କରିବାକୁ ପ୍ରଚେଷ୍ଟା ଆରମ୍ଭ କଲାଣି ଗୃହ ମନ୍ତ୍ରାଳୟ। ସେଣ୍ଟ୍ରାଲ ଆର୍ମଡ ପୁଲିସ୍‌ ଫୋର୍ସ ଓ ଆସାମ ରାଇଫଲ୍ସରେ ନିଯୁକ୍ତି ବେଳେ ‘ଅଗ୍ନିବୀର’ଙ୍କୁ ୧୦% ସଂରକ୍ଷଣ ମିଳିବ ବୋଲି ଜାରି ଏବ ବିବୃତିରେ କୁହାଯାଇଛି। ଏହାବାଦ ‘ଅଗ୍ନିବୀର’ଙ୍କ ଲାଗି ନିର୍ଦ୍ଧାରିତ ସର୍ବାଧିକ ପ୍ରବେଶ ବୟସ ସୀମାରେ ୩ ବର୍ଷ କୋହଳ କରାଯାଇଛି। ଏହାବାଦ ଏହି ଯୋଜନାରେ ସାମିଲ ହେବାକୁ ଥିବା ପ୍ରଥମ ବ୍ୟାଚ ନିମନ୍ତେ ଏହି କୋହଳକୁ ୫ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ହେଲେ ଏହି ଯୋଜନାକୁ ନେଇ ବିରୋଧ ଥମିବା ନାଁ ଧରୁନି।

ad-week
Leave A Reply

Your email address will not be published.