ଟ୍ରାଫିକ୍‌ ଏସିପିଙ୍କ ମର୍ଣ୍ଣିଂ ୱାକ୍‌ ପାଇଁ ରାସ୍ତା ବନ୍ଦ, ଚାଲିପାରୁନି ଗାଡ଼ି

add-all

କୋଚି: ଏକ ଆଇଏଏସ୍ ଦମ୍ପତି (ସଞ୍ଜୀବ ଖିରୱାର ଓ ରିଙ୍କୁ ଧୁଗ୍ଗା) ସେମାନଙ୍କ କୁକୁର ବୁଲାଇବା ପାଇଁ ସନ୍ଧ୍ୟା ୭ଟାରୁ ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମକୁ ଖାଲି କରି ଦେଉଥିବା ଖବର ଗତ ମାସରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟି ଥିଲା। ପରେ ଏହି ଆଇଏଏସ୍ ଦମ୍ପତିଙ୍କୁ ଭିନ୍ନ ଭିନ୍ନ ସ୍ଥାନକୁ (ସ୍ୱାମୀଙ୍କୁ ଲଦାଖ ଓ ସ୍ତ୍ରୀଙ୍କୁ ଅରୁଣାଚଳ ପ୍ରଦେଶ) ବଦଳି କରି ଦିଆଯାଇଥିଲା। ଏବେ କେରଳର କୋଚି ସହରରୁ ଏଭଳି କିଛି ସାମଞ୍ଜସ୍ୟ ଥିବା ଖବରଟିଏ ଆସିଛି। ଏଠାକାର ଟ୍ରାଫିକ ପୁଲିସ୍‌ର ଜଣେ ବଡ଼ ଅଧିକାରୀ ମର୍ଣିଂ ୱାକ୍ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ କରି ଦେଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପାଇବା ପରେ ଉକ୍ତ ଅଫିସରଙ୍କୁ ନୋଟିସ୍ ଜାରି କରାଯାଇଛି।
ଏହି ଅଫିସରଙ୍କ ନାଁ ବିନୋଦ ପିଲ୍ଲାଇ। ସେ କୋଚି ୱେଷ୍ଟ ଟ୍ରାଫିକ୍‌ର ଏସିପି ଅଛନ୍ତି। ସେ କୁଇନ୍ସ ୱାକ୍‌ୱେରେ ମର୍ଣ୍ଣିଂୱାକ୍ କରନ୍ତି। ସେଥିପାଇଁ ଏହାକୁ ଲାଗି ରହିଥିବା ରାସ୍ତାର କିଛି ଅଂଶକୁ ତାଙ୍କ ନିର୍ଦ୍ଦେଶରେ ସେହି ସମୟରେ ବନ୍ଦ କରି ଦିଆଯାଏ, ଯେପରି କୌଣସି ଗାଡ଼ିମୋଟର ଚଳାଚଳ କରିପାରିବ ନାହିଁ।
ପ୍ରତ୍ୟେକ ରବିବାର ସକାଳ ୬ଟାରୁ ୭ଟା ଏହି ରାସ୍ତାକୁ ପିଲାଙ୍କ ପାଇଁ ବନ୍ଦ କରାଯାଏ। ସେହିଦିନ ପିଲାମାନେ ଏହି ରାସ୍ତାରେ ସାଇକେଲ ଚଲାଇବା ସହିତ ସ୍କେଟିଂ ଆଦି କରନ୍ତି। କିନ୍ତୁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଅନ୍ୟ ଦିନ ଗୁଡ଼ିକରେ ଏହି ଟ୍ରାଫିକ୍ ପୁଲିସ୍ ଅଫିସରଙ୍କ ମର୍ଣ୍ଣିଂ ୱାକ୍ ପାଇଁ ରାସ୍ତାଟିକୁ ବନ୍ଦ କରି ଦିଆଯାଏ। ରାସ୍ତା ବନ୍ଦ କରି ଦିଆଯାଉଥିବା ଯୋଗୁ ସ୍ଥାନୀୟ ଲୋକେ ବେଶ୍ ହଇରାଣ ହେଉଛନ୍ତି। ବିଶେଷ କରି ସ୍କୁଲ୍‌ ଯାଉଥିବା ପିଲାମାନେ ଅଧିକ ହଇରାଣ ହେଉଛନ୍ତି। ଅଭିଯୋଗ ପାଇବା ପରେ ବିଭାଗ ପକ୍ଷରୁ ଏସିପି ବିନୋଦ ପିଲ୍ଲାଇଙ୍କୁ ନୋଟିସ୍ ଜାରି କରାଯାଇଛି।

ad-week
Leave A Reply

Your email address will not be published.