
ନୂଆଦିଲ୍ଲୀ: ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନାକୁ ବିରୋଧ ଜାରି ରହିଛି। ମଙ୍ଗଳବାର ସେନାରେ ଶର୍ଟଟର୍ମ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନାର ଶୁଭାରମ୍ଭ କରାଯାଇଥିଲା। କିନ୍ତୁ ସେବେଠାରୁ ଏହି ଯୋଜନାକୁ ବିଭିନ୍ନ ରାଜ୍ୟରେ ଜୋରଦାର ବିରୋଧ କରାଯାଉଛି। ବିହାର ଠାରୁ ଆରମ୍ଭ କରି ଓଡ଼ିଶା ଯାଏ ପ୍ରତିବାଦର ନିଆଁ ଜଳୁଛି। ଦିନକୁ ଦିନ ସ୍ଥିତି ବିଗୁଡ଼ୁଥିବା ବେଳେ ପ୍ରଥମଥର ପାଇଁ ଅଗ୍ନିପଥ ଯୋଜନାକୁ ନେଇ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଭିନ୍ନ ସରକାରୀ ଯୋଜନାକୁ ରାଜନୀତିକ ରଙ୍ଗ ଦିଆଯାଇ ବିରୋଧ କରାଯିବା ଦୁର୍ଭାଗ୍ୟଜନକ ବୋଲି ମୋଦି କହିଛନ୍ତି।
ପ୍ରଗତି ମୈଦାନ ଇଣ୍ଟିଗ୍ରେଟେଡ ଟ୍ରାଞ୍ଜିଟ କରିଡର ପ୍ରକଳ୍ପ ଅଧୀନରେ ତିଆରି ହୋଇଥିବା ମୁଖ୍ୟ ଟର୍ନେଲ ଓ ୫ଟି ଅଣ୍ଡରପାସ ରାସ୍ତାର ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଅଗ୍ନିପଥ ଯୋଜନା ବିରୋଧରେ ଚାଲିଥିବା ଆନ୍ଦୋଳନ ସମ୍ପର୍କରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଭାରତ ଓ ଭାରତୀୟଙ୍କ କଲ୍ୟାଣ ଏବଂ ମଙ୍ଗଳ ପାଇଁ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରୁଛନ୍ତି। କିନ୍ତୁ ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜନୀତିକ ରଙ୍ଗ ଦିଆଯାଉଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଛନ୍ତି।
ବିଗତ ୮୦ ବର୍ଷ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ କୌଣସି ପ୍ରକାରର ପରିବର୍ତ୍ତନ ହୋଇ ନଥିଲା। ଏବେ ତାଙ୍କ ସରକାର ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ବିକଶିତ କରିବା ପାଇଁ ଅନେକ ପରିବର୍ତ୍ତନ କରୁଥିବା ମୋଦି କହିଛନ୍ତି।
ଏହାବାଦ ମୋଦି ଉଦଘାଟନ କରିଥିବା ପ୍ରଗତି ମୈଦାନ କେଉଁ ଭଳି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା ସେକଥା ମଧ୍ୟ କହିଛନ୍ତି। ମୋଦି କହିଛନ୍ତି, “ଏତେ କମ ସମୟରେ ଇଣ୍ଟିଗ୍ରେଡେଟ ଟ୍ରାଞ୍ଜିଟ କରିଡର କାମକୁ ସାରିବା ଆଦୌ ସହଜ ନଥିଲା। ଏହା ଦିଲ୍ଲୀର ସବୁଠାରୁ ବ୍ୟସ୍ତବହୁଳ ଅଞ୍ଚଳ। ପ୍ରତିଦିନ ଏଠାରେ ଲକ୍ଷାଧିକ ଗାଡ଼ି ଯିବା ଆସିବା କରନ୍ତି। ଟର୍ନେଲ ଉପରେ ଏକାଧିକ ରେଳ ଲାଇନ ଯାଇଛି। ଏହି ପ୍ରକଳ୍ପ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲା। କୋଭିଡ ମହାମାରୀ ଯୋଗୁ ପ୍ରକଳ୍ପ କାମରେ ଅନେକ ସମସ୍ୟା ହୋଇଥିଲା। ଆମ ଦେଶର କିଛି ଲୋକ ପ୍ରତି କଥାରେ ନ୍ୟାୟପାଳିକାର ଦ୍ୱାର ମଧ୍ୟ ବାଡ଼ିବାରେ ଲାଗନ୍ତି। ଏହି ପ୍ରକଳ୍ପରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଥିଲା। ଦେଶକୁ ଆଗକୁ ନେବାରେ ଏପରି ପଦକ୍ଷେପ ନୂଆ ବାଧା ସୃଷ୍ଟି କରିଥିଲା। କିନ୍ତୁ ଏହା ନୂଆ ଭାରତ। ଆମକୁ ସମସ୍ୟାର ସମାଧାନ ପାଇଁ ରାସ୍ତା ବାହାର କରିବାକୁ ପଡ଼ିବ ଓ ନିଷ୍ପତ୍ତି ନେବାକୁ ହେବ। ଏଥିସହ ନିଷ୍ପତ୍ତିକୁ ମଧ୍ୟ କାର୍ଯ୍ୟକାରୀ କରାଯିବ।”
ପ୍ରଗତି ମୈଦାନ ଇଣ୍ଟିଗ୍ରେଟେଡ ଟ୍ରାଞ୍ଜିଟ କରିଡର ପ୍ରକଳ୍ପ ପାଇଁ ୯୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସବୁ ଅର୍ଥ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି।