ଚନ୍ଦ୍ରର ‘ତୋଫାନ୍‌ ସମୁଦ୍ର’ରେ ଜଳର ସଙ୍କେତ

add-all

ବେଜିଙ୍ଗ୍‌: ଚନ୍ଦ୍ରପୃଷ୍ଠରେ ଗଳିତଧାତୁରେ ସୃଷ୍ଟି ହୋଇଥିବା ସମତଳ ଅଞ୍ଚଳ ‘ତୋଫାନ୍‌ ସମୁଦ୍ର’ରୁ ଚୀନ୍‌ ସଂଗ୍ରହ କରିଥିବା ନମୁନାଗୁଡ଼ିକରୁ ଚୀନା ବୈଜ୍ଞାନିକମାନେ ଜଳର ସଙ୍କେତ ପାଇଛନ୍ତି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି। ଫଳରେ ଚନ୍ଦ୍ରର ସୃଷ୍ଟି ବିଷୟରେ ବୁଝିବା ଏବଂ ଆଗାମୀ ଦିନରେ ଚନ୍ଦ୍ରରେ ଅନ୍ବେଷଣ ସଂକ୍ରାନ୍ତ ଅନେକ ଜଟିଳ ପ୍ରଶ୍ନର ଉତ୍ତର ପାଇବାରେ ବୈଜ୍ଞାନିକମାନେ ସଫଳ ହେବେ।
ଚଳିତ ସପ୍ତାହରେ ‘ନେଚର୍‌ କମ୍ୟୁନିକେସନ୍‌ସ୍‌’ରେ ପ୍ରକାଶିତ ନିବନ୍ଧରେ ବୈଜ୍ଞାନିକମାନେ କହିଛନ୍ତି, ଚନ୍ଦ୍ରର ‘ଓସେନ୍‌ ଅଫ୍ ଷ୍ଟମ୍’ (ତୋଫାନ୍‌ ସମୁଦ୍ର) କୁହାଯାଉଥିବା ଅଞ୍ଚଳରୁ ମାନବ ରହିତ ଚୀନା ମିସନ୍‌ ସଂଗ୍ରହ କରିଥିବା କଠିନ ଲାଭା ଆସ୍ତରଣରୁ ସଂଗୃହୀତ ନମୁନାକୁ ବିଶ୍ଲେଷଣ କରାଯାଇଥିଲା। ସେଥିରେ ‘ଆପେଟାଇଟ୍‌’ ବୋଲି ଖଣିଜ ପଦାର୍ଥ ସ୍ଫଟିକ ଭିତରେ ଜଳ ‘ହା‌ଇଡ୍ରୋକ୍ସିଲ୍‌’ ରୂପରେ ରହିଥିଲା।
ସୂଚନାଯୋଗ୍ୟ, ଗୋଟିଏ ଉଦ୍‌ଜାନ ପରମାଣୁ ଏବଂ ଗୋଟିଏ ଅମ୍ଳଜାନ ପରମାଣୁକୁ ମିଶାଇ ‘ହାଇଡ୍ରୋକ୍ସିଲ୍‌’ ଗଠିତ। ପୂର୍ବରୁ ଧାରଣା ଥିଲା‌ ଯେ, ଚନ୍ଦ୍ରରେ ଥିବା ଅଧିକାଂଶ ଜଳ ହେଉଛି ସୂର୍ଯ୍ୟରୁ ଚନ୍ଦ୍ରପୃଷ୍ଠକୁ ‘ଚାର୍ଜଡ୍‌ ପାର୍ଟିକ୍ଲ’ ପଡ଼ିବାଜନିତ ରାସାୟନିକ ପ୍ରକ୍ରିୟାର ପରିଣାମ। କିନ୍ତୁ, ‘ଆପେଟାଇଟ୍‌’ ଭଳି ଖଣିଜ ପଦାର୍ଥ ମଧ୍ୟରେ ଭରି ରହିଥିବା ‘ହାଇଡ୍ରୋକ୍ସିଲ୍‌’ର ଉତ୍ସ ହେଉଛି ସମ୍ପୃକ୍ତ ଗ୍ରହ କିଂବା ଉପଗ୍ରହର ନିଜସ୍ବ ବୋଲି ବୈଜ୍ଞାନିକମାନେ କହୁଛନ୍ତି। ଚୀନ୍‌ର ‘ଚାଙ୍ଗ୍‌’ଇ-୫ ମିସନ୍’ ଡିସେମ୍ବର ୨୦୨୦ରେ ଚନ୍ଦ୍ରପୃଷ୍ଠର ମୃତ୍ତିକା ଏବଂ ଶିଳାରୁ ୧,୭୩୧ ଗ୍ରାମ୍‌ ନମୁନା ସଂଗ୍ରହ କରି ଆଣିଥିଲା।

ad-week
Leave A Reply

Your email address will not be published.