
ମାଲେ: ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆଜି ମାଳଦ୍ୱୀପରର ରାଜଧାନୀ ମାଲେରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ତେବେ ଅଧିକାରୀ ଓ ଅନ୍ୟ ଲୋକମାନେ ଯୋଗାଭ୍ୟାସ କରୁଥିବା ବେଳେ ଏହାକୁ ଭଣ୍ଡୁର କରିବା ପାଇଁ ହୋଇଛି ଆକ୍ରମଣ। ଶତାଧିକ ଲୋକ କାର୍ଯ୍ୟକ୍ରମ ସ୍ଥଳରେ ବିକ୍ଷୋଭ କରିବା ସହ ଆକ୍ରମଣ କରିଛନ୍ତି। ସ୍ଥିତି ଏପରି ହୋଇଥିଲା ଯେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍ ଟିୟର ଗ୍ୟାସ ଓ ଲାଠିଚାର୍ଜ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ମାଲେରେ ଥିବା ଗୋଟିଏ ଷ୍ଟାଡିୟମରେ ଯୋଗ ଦିବସ ଉପଲକ୍ଷେ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିଲା। ଏଥିରେ ଦୂତାବାସ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଧିକାରୀମାନଙ୍କୁ ମିଶାଇ ମୋଟ ୧୫୦ ଜଣ ଲୋକ ଯୋଗାଭ୍ୟାସ କରୁଥିଲେ। ଏହି ସମୟରେ ହଠାତ୍ ଶତାଧିକ ଲୋକ ନାରାବାଜୀ କରି ଷ୍ଟାଡିୟମ ଭିତରକୁ ପଶିଥିଲେ।
ସେମାନେ ଯୋଗ କରୁଥିବା ଲୋକଙ୍କୁ ଆକ୍ରମଣ କରିବା ସହ ସେଠାରେ ଥିବା ଜିନିଷ ପତ୍ରକୁ ଭଙ୍ଗାରୁଜା କରିଥିଲେ। ଖବର ପାଇ ପୁଲିସ ତୁରନ୍ତ ସେଠାରେ ପହଞ୍ଚିଥିଲା। ବିକ୍ଷୋଭକାରୀଙ୍କୁ ପୁଲିସ୍ ବୁଝାସୁଝା କରିଥିଲେ ମଧ୍ୟ ସେମାନେ କିଛି ବି ଶୁଣି ନଥିଲେ। ଫଳରେ ପୁଲିସ୍ ବାଧ୍ୟ ହୋଇ ଟିୟର ଗ୍ୟାସ ମାଡ଼ କରିଥିଲା। ଏଥିସହ ମୃଦୁ ଲାଠି ଚାଳନା ମଧ୍ୟ କରାଯାଇଛି। ଏହାପୂର୍ବରୁ ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ଯୋଗ ଦିବସ କାର୍ଯ୍ୟକ୍ରମ ପାଇଁ ଲାଗିଥିବା ପ୍ଲାକାର୍ଡକୁ ଭାଙ୍ଗି ଦେଇଥିଲେ।
ଯୋଗ ଦିବସ କାର୍ଯ୍ୟକ୍ରମରେ ଆକ୍ରମଣ କରିବା ଘଟଣାରେ ପୁଲିସ୍ ୬ ଜଣଙ୍କୁ ଗିରଫ କରିଛି। ସେହିପରି ବିଭିନ୍ନ ସ୍ଥାନରେ ରେଡ୍ କରି ଅନ୍ୟମାନଙ୍କୁ ଧରିବାକୁ ଚେଷ୍ଟା କରୁଛି। ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ଏଥିସହ ଯେଉଁମାନେ ଏଥିରେ ସାମିଲ ଥିବେ, ସେମାନଙ୍କୁ ଆଇନ ଅନୁସାରେ ଦଣ୍ଡ ଦିଆଯିବ ବୋଲି ସେ ଟ୍ୱିଟ କରି ସୂଚନା ଦେଇଛନ୍ତି।