
ଗୌହାଟୀ: ମହାରାଷ୍ଟ୍ର ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଶିବସେନାର ପ୍ରାୟ ୪୦ରୁ ଅଧିକ ବିଧାୟକ ଏବେ ବିଜେପି ଶାସିତ ଆସାମର ଗୌହାଟୀରେ ରହୁଛନ୍ତି। ଏମାନଙ୍କ ସହ କିଛି ସ୍ୱାଧୀନ ବିଧାୟକ ମଧ୍ୟ ରହିଛନ୍ତି। ସମସ୍ତେ ଗୌହାଟୀର ୫ ଷ୍ଟାର ହୋଟେଲ ରାଡିସନ ବ୍ଲୁରେ ବୁଧବାର ଠାରୁ ଅଛନ୍ତି। ତେବେ ଏହି ୫ ଷ୍ଟାର ହୋଟେଲରେ ବିଦ୍ରୋହୀ ବିଧାୟକମାନଙ୍କ ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା କିଏ ଦେଉଛି, ସେକଥା ଜଣାପଡ଼ିନି। ହେଲେ ସେମାନଙ୍କ ପଛରେ କେତେ ଟଙ୍କା ଖର୍ଚ୍ଚ କରାଯାଉଛି, ତା’ର ତଥ୍ୟ ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ଅନୁଯାୟୀ, ବିଦ୍ରୋହୀ ବିଧାୟକମାନଙ୍କ ପାଇଁ ହୋଟେଲେ ୭୦ଟି ରୁମ ବୁକ କରାଯାଇଛି। ବୁଧବାର ଠାରୁ ଆସନ୍ତା ୭ ଦିନ ପାଇଁ ରୁମ ଗୁଡ଼ିକ ବୁକିଂ କରାଯାଇଛି। ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ପ୍ରଥମେ ୩୪ ଜଣ ବିଧାୟକ ଗୁଜରାଟର ସୁରତ ଯାଇଥିଲେ। ଏହାପରେ ବୁଧବାର ଠାରୁ ସମସ୍ତେ ଗୌହାଟୀକୁ ଆସିଛନ୍ତି। ସୁରତରେ ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ୩୪ ଥିବା ବେଳେ ଗୁରୁବାର ରାତି ସୁଦ୍ଧା ଏହା ୪୨ରେ ପହଞ୍ଚି ଯାଇଥିଲା। ଶୁକ୍ରବାର ସକାଳୁ ଏହା ପୁଣି ବଢ଼ି ୫୦ ପାଖରେ ପହଞ୍ଚି ଯାଇଥିବା ଜଣାପଡ଼ିଛି।
ବିଦ୍ରୋହୀ ବିଧାୟକମାନଙ୍କ ୭୦ଟି ଯାକ ରୁମ ହୋଟେଲ କର୍ତ୍ତୃପକ୍ଷ ଶସ୍ତାରେ ଯୋଗାଇ ଦେଇଛନ୍ତି। ୭ ଦିନ ପାଇଁ ମୋଟ ଖର୍ଚ୍ଚ ୫୬ ଲକ୍ଷ ଟଙ୍କା। ଏହାର ଅର୍ଥ ରହିବା ଓ ଖାଇବା ପାଇଁ ଦୈନିକ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ବିଧାୟକମାନଙ୍କ ଯିବା ଆସିବା ପାଇଁ ବ୍ୟବହାର ହେଉଥିବା ଚାର୍ଟାର୍ଡ ବିମାନ ଓ ଗାଡ଼ିର ଖର୍ଚ୍ଚର ହିସାବ ଅଲଗା। ଏଗୁଡ଼ିକ ବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ସେକଥା ଜଣାପଡ଼ିନି।
ଗୌହାଟୀର ରାଡିସନ ବ୍ଲୁରେ ମୋଟ ୧୯୬ଟି ରୁମ ରହିଛି। ଏହା ମଧ୍ୟରୁ ୭୦ଟି ବିଧାୟକ ଓ ଅନ୍ୟ ନେତାମାନଙ୍କ ପାଇଁ ବୁକ କରାଯାଇଛି। ବିଧାୟକମାନେ ରହୁଥିବାରୁ ହୋଟେଲ କର୍ତ୍ତୃପକ୍ଷ ନୂଆ ବୁକିଂ ଗ୍ରହଣ କରୁନାହାନ୍ତି। କେବଳ କର୍ପୋରେଟ ବୈଠକ ପାଇଁ ହୋଟେଲ ବୁକ କରିବାର ଅନୁମତି ମିଳିଛି। ହୋଟେଲର ପ୍ରାୟ ୧୦୦ଟି ରୁମ ଖାଲି ପଡ଼ିଛି। କିନ୍ତୁ ଅନଲାଇନରେ ହୋଟେଲ ଫୁଲ ଥିବା ଦର୍ଶାଯାଉଛି।
ହୋଟେଲ ଭିତରେ ଥିବା ରେଷ୍ଟୁରାଣ୍ଟକୁ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି। କେବଳ ହୋଟେଲରେ ରହୁଥିବା ଲୋକମାନେ ହିଁ ଏହା ମଧ୍ୟରେ ଖାଇ ପାରିବାର ବ୍ୟବସ୍ଥା ହୋଇଛି। ବିଧାୟକମାନେ ରହୁଥିବାରୁ ହୋଟେଲ କର୍ତ୍ତୃପକ୍ଷ ଆର୍ଥିକ ସ୍ତରରେ କ୍ଷତି ସହୁଛନ୍ତି। ତଥାପି ସେମାନେ ମୁହଁ ବନ୍ଦ କରି ରହିଥିବା ଜଣାପଡ଼ିଛି।