
ମୁମ୍ବାଇ: କିଏ ହେବ ଶିବସେନା ଉତ୍ତରାଧିକାରୀ । ଦଳ ଉପରେ ହକକୁ ନେଇ ଜୋରଦାର ହୋଇଛି ଲଢେଇ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ବସିଥିବା ଜାତୀୟ କାର୍ଯ୍ୟକାରିଣୀରେ ୭ଟି ପ୍ରସ୍ତାବ ପାରିତ ହୋଇଛି। ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ତାଙ୍କୁ କ୍ଷମତା ଦିଆଯାଇଛି । ବିଦ୍ରୋହୀମାନେ ଶିବସେନା ବାଲାସାହେବ ଠାକରେ ନାଁରେ ସ୍ୱତନ୍ତ୍ର ଦଳ ଗଠନ ଲାଗି ପ୍ରୟାସ କରୁଥିବାରୁ ଉଦ୍ଧବ ଗୋଷ୍ଠୀ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସେହିପରି ବିଦ୍ରୋହୀଙ୍କୁ କାଉଣ୍ଟର କରିବା ଲାଗି ନିର୍ବାଚନ କମିଶନଙ୍କୁ ଚିଠି ଲେଖାଯାଇଛି ।
ପୂର୍ବରୁ ଉପବାଚସ୍ପତି ବିଦ୍ରୋହୀଙ୍କ ପକ୍ଷରୁ ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ । ସିନ୍ଦେ ଗୋଷ୍ଠୀର ୩୩ ଜଣ ବିଧାୟକଙ୍କ ହସ୍ତାକ୍ଷର ସତ୍ତ୍ୱେ ବ୍ୟବସ୍ଥାଗତ ତ୍ରୁଟି ଥିବା ଦର୍ଶାଇ ଉପବାଚସ୍ପତି ଏହାକୁ ଅଗ୍ରାହ୍ୟ କରିଦେଇଥିବା ସୂଚନା ମିଳିଛି । ତାସହିତ ଉପ ବାଚସ୍ପତି ହୁଇପ୍ ଅମାନ୍ୟ କରିଥିବା ଅଭିଯୋଗରେ ୧୬ ବିଦ୍ରୋହୀଙ୍କୁ ନୋଟିସ୍ ଦେଇଛନ୍ତି। ଶିବସେନା କର୍ମୀ ଆଜି ବିଦ୍ରୋହୀ ବିଧାୟକ ତାନାଜୀ ସାଓ୍ୱନ୍ତଙ୍କ ଅଫିସରେ ଭଙ୍ଗାରୁଜା କରିଛନ୍ତି। ସଂଖ୍ୟାଲଂଘୁରେ ପରିଣତ ହେବାସତ୍ତ୍ୱେ କ୍ଷମତା ଜାବୁଡି ଧରିବା ଲାଗି ଉଦ୍ଧବ ଗୋଷ୍ଠୀ ପକ୍ଷରୁ ଜୋରଦାର ପ୍ରୟାସ ଚାଲିଛି । ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ୱଲେ ଓ ଅନ୍ୟ ସହଯୋଗୀଙ୍କ ସହ ଆଲୋଚନା କରିଛନ୍ତି।