ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

add-all

ପାଟନା: ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା। ଟଙ୍କା ଏତେ ଯେ, ଦେଖିଲେ ଉଡ଼ିଯିବ ହୋସ୍। ବିହାରର ରାଜଧାନୀ ପାଟନାରେ ଭ୍ରଷ୍ଟାଚାରର ଏକ ବଡ଼ ମାମଲାର ପର୍ଦ୍ଦାଫାସ ହୋଇଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡ୍ରଗ୍ସ ଇନ୍ସପେକ୍ଟର ଜିତେନ୍ଦ୍ର କୁମାରଙ୍କ ଘରେ ରେଡ୍‌ ହୋଇଛି। ରେଡ୍‌ ପରେ ତାଙ୍କ ଘରୁ ପୁଳା ପୁଳା ଟଙ୍କା ମିଳିଛି। ଯାହାକୁ ଦେଖିବା ପରେ ଏବେ ଭିଜିଲାନ୍ସ ବିଭାଗ ଅଧିକାରୀଙ୍କ ହୋସ୍ ଉଡ଼ି ଯାଇଛି। ପାଖାପାଖି ନଗଦ ୪ କୋଟି ଟଙ୍କା ଜବତ କରିଛି ଭିଜିଲାନ୍ସ।
ଜିତେନ୍ଦ୍ର ଘରେ ଖଟ ତଳେ, ଛାତ ରେଲିଂ ସମେତ ଅନ୍ୟାନ୍ୟ ସ୍ଥାନରେ ଟଙ୍କାକୁ ଲୁଚାଇ ରଖିଥିଲେ। ରେଡ୍‌ ପରେ ଏସବୁ ଟଙ୍କା ଏବେ ଭିଜିଲାନ୍ସ ହାତରେ ଲାଗିଛି। କେବଳ ଟଙ୍କା ନୁହେଁ, ତାଙ୍କ ଘରୁ ବହୁ ପରିମାଣର ସୁନା ଅଳଙ୍କାର, ଜମିର କାଗଜପତ୍ର ଓ ୪ଟି ଲଗ୍‌ଜୁରୀ କାର୍‌ ବି ମିଳିଛି।
ପାଟନାର ଗୋଲ ରୋଡ, ପାଟନା ସିଟିର ସୁଲତାନଗଞ୍ଜ ଏବଂ ଜହାନାବାଦ ସମେତ ତାଙ୍କର ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍‌। ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଗୋଟିଏ ଘରୁ ହିଁ ୩ କୋଟି ଟଙ୍କା ମିଳିଥିବା ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଉକ୍ତ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଘରୁ ମୋଟ କେତେ ଟଙ୍କା ଜବତ ହୋଇଛି ସେ ନେଇ କିଛି ସ୍ପଷ୍ଟ ହୋଇନି।
ଜବତ ଟଙ୍କାର ଗଣତି ଚାଲିଛି। ମେସିନ ସହାୟତାରେ ଟଙ୍କା ଗଣା ଯାଉଛି। ଅନ୍ୟପକ୍ଷରେ ଡ୍ରଗ୍ସ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ଫେରାର ଅଛନ୍ତି। ତାଙ୍କ ବିରୋଧରେ ଏଫ୍ଆଇଆର୍‌ ରୁଜୁ ହୋଇଛି।

ad-week
Leave A Reply

Your email address will not be published.