ରାଜ୍ୟପାଳ ବିଜେପି ସହିତ ମିଶି କାମ କରୁଛନ୍ତି; ‘ଫ୍ଲୋର୍‌ ଟେଷ୍ଟ୍‌’ ପାଇଁ ଆଦେଶ ଦେବା ବେଆଇନ: ସଞ୍ଜୟ ରାଉତ

add-all

ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଜଟିଳ ହୋଇ ଚାଲିଥିବା ବେଳେ ଉଦ୍ଧବ ଠାକ୍‌ରେ ଗୋଷ୍ଠୀର ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ରାଜ୍ୟପାଳ ବିଜେପି ସହିତ ମିଶି କାମ କରୁଛନ୍ତି। ‘ଫ୍ଲୋର୍‌ ଟେଷ୍ଟ୍‌’ ବା ସଂଖ୍ୟାଗରିଷ୍ଠାତା ପ୍ରତିପାଦନ ନିମନ୍ତେ ‌ସେ ଦେଇଥିବା ଆଦେଶ ବେଆଇନ ଅଟେ।
ସେ କହିଛନ୍ତି, ‘ଫ୍ଲୋର୍‌ ଟେଷ୍ଟ୍‌’ ଆଇନସମ୍ମତ ନୁହେଁ। ୧୬ଜଣ ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟତା ମାମଲା ଏବେ ବି ସୁପ୍ରିମ୍‌ କୋର୍ଟରେ ବିଚାରାଧୀନ ରହିଛି। ଏଭଳି ପରିସ୍ଥିତିରେ କେମିତି ‘ଫ୍ଲୋର୍‌ ଟେଷ୍ଟ୍‌’ କରାଯାଇ ପାରିବ?
ଗତ ୨ ଦିନ ହେବ ଆମ ଫାଇଲ୍‌ ସବୁ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କ ପାଖରେ ପଡ଼ିରହିଛି। ସେ ସେ ସବୁ ଉପରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। କିନ୍ତୁ, ଏହି ମାମଲା, ସେ ରାଫେଲ୍‌ ଜେଟ୍‌ଠାରୁ ଅଧିକ ଦ୍ରୁତ ବେଗରେ ପଦକ୍ଷେପ ଗ୍ରହଣ କରିପକାଇଲେ। ‘ଭାରତୀୟ ଜନତା ପାର୍ଟି’ ଏବଂ ରାଜ୍ୟପାଳ ଭାରତର ସମ୍ବିଧାନ ସହିତ ଖେଳୁଛନ୍ତି ବୋଲି ସେ ଦୋଷାରୋପ କରିଛନ୍ତି। ଏ କଥାର ବିଚାର ପାଇଁ ଆମେ ସୁପ୍ରିମ୍‌ କୋର୍ଟରେ ଆବେଦନ କରିବୁ। ବିଧାୟକମାନେ ପର୍ଯ୍ୟଟନ ବିନୋଦନରେ ଯାଇଛନ୍ତି। ସେମାନେ ଗୋଆ ଯାଆନ୍ତୁ। ସେମାନେ ଫେରିବା ପରେ ମାମଲା ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଏହା ପରେ ପରେ, ଶିବସେନାର ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଘୱି ‘ଫ୍ଲୋର୍‌ ଟେଷ୍ଟ୍‌’ କରାଇବା ପାଇଁ ରାଜ୍ୟପାଳ ଦେଇଥିବା ଡାକରାକୁ ଚାଲେଞ୍ଜ୍‌ କରି ସୁପ୍ରିମ୍‌ କୋର୍ଟରେ ଆବେଦନ କରିଛନ୍ତି। ଜରୁରୀଭିତ୍ତିରେ ଆଜି ମାମଲାର ଶୁଣାଣି କରିବା ଲାଗି ନିବେଦନ କରି ସେ ଲେଖିଛନ୍ତି, ଦୟାକରି ଆଜି ଏ ମାମଲାର ଶୁଣାଣି କରନ୍ତୁ ନଚେତ ସବୁ ପରିଶ୍ରମ ବୃଥା ହେବ।

ad-week
Leave A Reply

Your email address will not be published.