ଜାପାନୀ କମ୍ପାନି ଉଦ୍ଭାବନ କଲା ବନ୍ୟା ପ୍ରତିରୋଧକ ଭାସମାନ ଘର

add-all

ନୂଆଦିଲ୍ଲୀ: ‘ଇଚିଜୋ କୋମୁତେନ୍‌’ ନାମରେ ଗୋଟାଏ ଗୃହ ନିର୍ମାଣକାରୀ ଜାପାନୀ କମ୍ପାନି ବନ୍ୟାଉପଦ୍ରୁତ ଦେଶମାନଙ୍କରେ ସଙ୍କଟ ଦୂର ହେଲା ପରି ବନ୍ୟା ପ୍ରତିରୋଧକ ଭାସମାନ ବାସଗୃହ ଉଦ୍ଭାବନ କରିଛନ୍ତି।
ଜଳ ନିରୋଧକ ହୋଇଥିବାରୁ ଉକ୍ତ ଘରର ଢାଞ୍ଚା ଅନନ୍ୟ ଏବଂ ଜଳପତ୍ତନ ବୃଦ୍ଧି ପାଇବା ମାତ୍ରେ ଘର ପାଣିରେ ବୁଡ଼ି ନ ଯାଇ ଭାସି ଉଠିବ ବୋଲି କମ୍ପାନି କହିଛି।
ଯୁକ୍ତରାଷ୍ଟ୍ର ଆମେରିକାର ଏକ ଟେଲିଭିଜନ୍‌ ଚାନେଲ୍‌ ସହିତ ସାକ୍ଷାତ୍‌କାର ବେଳେ କମ୍ପାନି କହିଛି, ଉକ୍ତ ଘରଟି ଦେଖିବାକୁ ଗୋଟାଏ ସାଧାରଣ ଘର ପରି, କିନ୍ତୁ ସେ ଘର ଚାରିପଟେ ପାଣି ଘେରିଗଲେ ଧୀରେ ଧୀରେ ତାହା ଭୂଇଁ ଛାଡ଼ି ଉପରକୁ ଉଠିଯିବ।
କମ୍ପାନି ମଧ୍ୟ ସର୍ବସାଧାରଣଙ୍କ ସମ୍ମୁଖରେ ଘରର କରାମତି ପ୍ରଦର୍ଶନ କରିଛି। କମ୍ପାନି କହିଛି, ମୋଟା ଲୁହାଛଡ଼ରେ ସଂଯୋଗ କରାଯାଇଥିବା ଏହି ଘରକୁ ମୋଟା କେବୁଲ୍‌ଦ୍ବାରା ଭୂଇଁରେ ସଂଯୋଗ କରାଯାଇଛି। ଫଳରେ ପାଣି ବଢ଼ିଲେ ଘରଟି ଉପରକୁ ଭାସି ଉଠେ ଏବଂ ବଢ଼ିପାଣି କମିଗଲେ ପୁଣି ଭୂଇଁରେ ଲାଗିଯାଏ। ଏହି ଘରଟି ୫ ମିଟର୍‌ଯାଏ ଜଳପତ୍ତନ ଉପରେ ଭାସି ପାରିବ। ଜଳ ସଂସ୍ପର୍ଶରେ ନ ଆସିବାକୁ ସେ ଘରେ ଥିବା ବୈଦ୍ୟୁତିକ ସରଞ୍ଜାମ ସବୁ ଉପର ଭାଗରେ ଲଗାଯାଇଛି।
ଦୀର୍ଘ ଦିନ ହେବ ଜାପାନ ଭୂମିକମ୍ପ ମୁକାବିଲା କରିବାରେ ସଫଳ ହୋଇଥିଲେ ବି ମୁଷଳଧାରାରେ ବୃଷ୍ଟିପାତ ଏବଂ ତୋଫାନ ଯୋଗୁଁ ସୃଷ୍ଟି ହେଉଥିବା ବନ୍ୟା ହେତୁ ସେଠାରେ ବହୁ ଧନଜୀବନ ନଷ୍ଟ ହେଉଛି।

ad-week
Leave A Reply

Your email address will not be published.