ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲା ବିଜେପି ବିରୋଧୀ ଅକାଳୀ ଦଳ

add-all

ନୂଆଦିଲ୍ଲୀ: ଦୀର୍ଘ ୨୧ ମାସ ହେଲା ବିଜେପି ମେଣ୍ଟରୁ ଦୂରେଇ ଯାଇଥିବା ଶିରୋମଣି ଅକାଳୀ ଦଳ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନିଜର ଆଭିମୁଖ୍ୟ ବଦଳାଇଛି। ଦଳ ବିଜେପି ସହ ନଥିଲେ ମଧ୍ୟ ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ବୋଲି ଆଜି ଘୋଷଣା କରିଛି।
ଏହାପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅକାଳୀ ଦଳ ସୁପ୍ରିମୋ ସୁଖବୀର ସିଂହ ବାଦଲଙ୍କ ସହ କଥା ହୋଇଥିଲେ। ଏହି ସମୟରେ ସେ ଶ୍ରୀମତୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବାକୁ ଅନୁରୋଧ କରିଥିଲେ। ଏହି ଆଲୋଚନା ପରେ ଅକାଳୀ ଦଳ ଶ୍ରୀମତୀ ମୁର୍ମୁଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବ ବୋଲି ଘୋଷଣା କରିଛି।
ଚଣ୍ଡିଗଡ଼ରେ ଆଜି ଅକାଳୀ ଦଳର କୋର କମିଟି ବୈଠକ ବସିଥିଲା। ଏହି ବୈଠକ ପରେ ବାଦଲ କହିଛନ୍ତି, “କୃଷି ଆଇନକୁ ବିଜେପି ସହ ଆମର ମତ ପାର୍ଥକ୍ୟ ଥିଲେ ମଧ୍ୟ ବନ୍ଦୀ ଥିବା ଶିଖଙ୍କ ମୁକ୍ତି ଓ ଅନ୍ୟାନ୍ୟ ପ୍ରସଙ୍ଗ ପାଇଁ ଆମେ ସେମାନଙ୍କ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛୁ।” କଂଗ୍ରେସ ଦେଇଥିବା ପ୍ରାର୍ଥୀଙ୍କୁ କେବ ହେଲେ ତାଙ୍କ ଦଳ ସମର୍ଥନ କରିବ ନାହିଁ। କାରଣ ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ ଶିଖମାନଙ୍କୁ ଧୋକା ଦେଇ ସ୍ୱର୍ଣ୍ଣ ମନ୍ଦିରରେ ହମଲା କରିଥିଲା। ଏଥିସହ ହଜାର ହଜାର ଶିଖଙ୍କୁ ହତ୍ୟା କରିଥିଲା ବୋଲି ବାଦଲ କହିଛନ୍ତି।
ଶ୍ରୀମତୀ ମୁର୍ମୁ ଜଣେ ଆଦିବାସୀ ହୋଇଥିବାରୁ ଅକାଳୀ ଦଳ ତାଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ବାଦଲ କହିଛନ୍ତି, “ଅକାଳୀ ଦଳ ସବୁବେଳେ ସମାଜର ପଛୁଆ ବର୍ଗର ବିକାଶ କଥା ଚିନ୍ତା କରି ଆସିଛି। ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସମର୍ଥନ କରିବା ଆମର ଦାୟିତ୍ୱ। ମୁର୍ମୁ ସେମାନଙ୍କୁ ମଧ୍ୟରୁ ଜଣେ। କାରଣ ସେ ଅନୁସୂଚିତ ଜନଜାତି ସଂପ୍ରଦାୟରୁ ଆସିଛନ୍ତି।
ବିଜେପି ମୁଖ୍ୟ ଜେପି ନଡ୍ଡା ମୋତେ ଫୋନ କରି ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବାକୁ କହିଥିଲେ। ମାଡାମ(ଦ୍ରୌପଦୀ ମୁର୍ମୁ) ମଧ୍ୟ ଫୋନ କରି ସହଯୋଗ ମାଗିଛନ୍ତି। ମାଡାମଙ୍କ ଅନୁରୋଧକୁ ବିଚାରକୁ ନେଇ ଆମେ ତାଙ୍କୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କରିବା ପାଇଁ ସବୁ ପ୍ରକାରର ଚେଷ୍ଟା କରିବୁ।”
ଏହାପୂର୍ବରୁ ଏନଡିଏରେ ନଥିବା ଅନେକ ରାଜନୀତିକ ଦଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.