ଜୁବୈରଙ୍କ ନାଁରେ ନୂଆ ଦଫା ଲଗାଇଲା ପୁଲିସ

add-all

ନୂଆଦିଲ୍ଲୀ: ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ଛାଡ଼ିବା ମୁଡରେ ନାହିଁ ଦିଲ୍ଲୀ ପୁଲିସ୍‌। ୨୦୧୮ର ଗୋଟିଏ ବିବାଦୀୟ ଟ୍ୱିଟ ପାଇଁ ୨୦୨୨ ଜୁନ ମାସରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ସେ ରିମାଣ୍ଡରେ ଥିବା ବେଳେ ଏବେ ତାଙ୍କ ନାଁରେ ଦିଲ୍ଲୀ ପୁଲିସ୍‌ ଆଉ କିଛି ନୂଆ ଦଫା ଲଗାଇଛି। ଜୁବୈରଙ୍କୁ ପଟିଆଲା ହାଉସ କୋର୍ଟରେ ହାଜାର କରାଯିବାର ଠିକ୍‌ କିଛି ମିନିଟ ପୂର୍ବରୁ ତାଙ୍କ ନାଁରେ ଅପରାଧିକ ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟ କରିବା ଭଳି ଚାର୍ଜ ଲଗା ଯାଇଥିବା ଜଣାପଡ଼ିଛି। ନୂଆ ଚାର୍ଜ ସହ ଫରେନ କଣ୍ଟ୍ରୁବ୍ୟୁସନ(ରେଗୁଲେସନ)ଆକ୍ଟ ବା ଏଫସିଆରଏର ଧାରା ୩୫ ମଧ୍ୟ ତାଙ୍କ ନାଁରେ ଯୋଡ଼ା ଯାଇଛି।
ସେ ବେଆଇନ ଭାବେ ବିଦେଶରୁ ଚାନ୍ଦା ପାଇଥିବା ପୁଲିସ୍‌ କହିବା ସହ ଏଫସିଆର ଧାରା ୩୫ ଜୁବୈରଙ୍କ ନାଁରେ ଯୋଡ଼ିଛି। ସେ ଯେମିତି କୋର୍ଟରେ ଜାମିନ ନ ପାଇବେ, ସେନେଇ ଦିଲ୍ଲୀ ପୁଲିସ୍‌ ସବୁ ପ୍ରକାରର ବନ୍ଦୋବସ୍ତ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅପରାଧିକ ଷଡ଼ଯନ୍ତ୍ର ଦଫା ବା ୧୨୦ବି ଲାଗିଥିବାରୁ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଜୁବୈରଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ କରିବାର ଆଶଙ୍କା ରହିଛି। ସେ ବିଦେଶରୁ ଚାନ୍ଦା ପାଇଥିବା ଅଭିଯୋଗ ହୋଇଥିବାରୁ ଇଡି ଏଣ୍ଟ୍ରି କରିପାରେ।
ପଟିଆଲା ହାଉସ କୋର୍ଟରେ ଜୁବୈରଙ୍କୁ ହାଜର କରି ଦିଲ୍ଲୀ ପୁଲିସ୍‌ ୧୪ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଛି। ହେଲେ ତାଙ୍କ ଓକିଲ ପଟିଆଲା ହାଉସ କୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି। ଦିଲ୍ଲୀ ପୁଲିସ୍‌ ତଦନ୍ତ ବେଳେ ଜୁବୈରଙ୍କ ମୋବାଇଲ ସିଜ କରିବା ସହ ଗୋଟିଏ ହାର୍ଡ ଡିସ୍କ ଜବତ କରିଛି। ପୁଲିସ କହିଛି ଯେ ସେ ନିଜର ମୋବାଇଲ ଫୋନକୁ ଫର୍ମାଟ କରି ଦେଇଛନ୍ତି ଓ କିଛି ବିବାଦୀୟ ଟ୍ୱିଟକୁ ମଧ୍ୟ ଡିଲିଟ କରିଦେଇଛନ୍ତି।
ଜୁବୈରଙ୍କୁ ଜୁନ୍ ୨୭ ତାରିଖରେ ୨୦୧୮ ମସିହାରେ ସେ କରିଥିବା ଟ୍ୱିଟ ପାଇଁ ପୁଲିସ୍‌ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରି ପ୍ରଥମ ଦିନିକିଆ ଓ ପରେ ୪ ଦିନ ପାଇଁ ରିମାଣ୍ଡରେ ନେଇଥିଲା। ପ୍ରାଥମିକ ଅବସ୍ଥାରେ ଜୁବୈରଙ୍କ ନାଁରେ ଆଇପିସିର ୧୫୩ ଓ ୨୯୫(ଏ)ର ମାମଲା ହୋଇଥିଲା। ହେଲେ ଏବେ ତାଙ୍କ ନାଁରେ ଆଇପିସିର ୧୨୦ବି, ୨୦୧ ଓ ଏଫସିଆରଏ ଧାରା ୩୫ ଯୋଡ଼ା ଯାଇଛି।

ad-week
Leave A Reply

Your email address will not be published.