
ଇମ୍ଫାଲ: ମଣିପୁର ନୋନେୟ ଜିଲ୍ଲାର ଟେରିଟୋରିୟାଲ ଆର୍ମ୍ପ କ୍ୟାମ୍ପରେ ଘଟିଥିବା ଭୟଙ୍କ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମାଟି ତଳୁ ୨୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ସାରିଲାଣି। ଏମାନଙ୍କ ମଧ୍ୟରେ ୧୮ ଜଣ ଆର୍ମି ଯବାନ ରହିଛନ୍ତି। ସେହିପରି ଏବେ ବି ୩୮ ଜଣଙ୍କର କୌଣସି ପତ୍ତା ମିଳୁନି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି। ତେବେ ମାଟି ଧସିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେଉଥିବା ଜଣାପଡ଼ିଛି।
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଭୂସ୍ଖଳନ ପରେ ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ୍ୟ ବେଳେ ୧୩ ଜଣ ଯବାନ ଓ ୫ ଜଣ ସାଧାରଣ ଲୋକଙ୍କୁ ସୁରକ୍ଷିତ ମାଟିତଳୁ ବାହାର କରାଯାଇଛି। ଏବେ ବି ୩୮ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଚାଲିଛି। ବୁଧବାର ରାତିରେ ତୁପୁଲ ୟାର୍ଡ ରେଳବାଇ କନଷ୍ଟ୍ରକସନ ସାଇଟ ନିକଟରେ ଥିବା ଟେରିଟୋରିୟାଲ ଆର୍ମି କ୍ୟାମ୍ପରେ ଭୂସ୍ଖଳନ ହୋଇଥିଲା।
ଖବର ପାଇ ସେବେ ଠାରୁ ଭାରତୀୟ ସେନା, ଆସାମ ରାଇଫଲ୍ସ, ଟେରିଟୋରିୟାଲ ଆର୍ମି, କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ଟିମ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ବର୍ଷା ଓ ମାଟି ଖସୁଛି। ତେଣୁ ଉଦ୍ଧାର କାର୍ଯ୍ୟ ବଳିମ୍ବିତ ହେଉଛି। ତଥାପି ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇ ମାଟି ତଳେ ଫସିଥିବା ଲୋକଙ୍କୁ ଠାବ କରିବାକୁ ପ୍ରୟାସ ଚାଲିଥିବା ଜଣେ ଅଧିକାରୀ କହିଛନ୍ତି।
ଶୁକ୍ରବାର ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ବରିଷ୍ଠ ସେନା କର୍ମଚାରୀ ଓ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସେ ମୃତକଙ୍କ ପରିବାର ଲୋକଙ୍କ ପାଇଁ ୫ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହି ଘଟଣାରେ ପଶ୍ଚିମବଙ୍ଗର ୯ ଜଣ ଯବାନ ପ୍ରାଣ ହରାଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ “ଦାର୍ଜିଲିଂ ହିଲ୍ସର ୯ ଜଣ ଯବାନ ମଣିପୁର ଭୂସ୍ଖଳନ ଘଟଣାରେ ପ୍ରାଣ ହରାଇଥିବା ଖବର ପାଇ ସ୍ତବ୍ଧ। ଏହି ଦୁଃଖଦ ଘଟଣାରେ ମୁଁ ମର୍ମାହତ। ମୃତକଙ୍କ ପରିବାରକୁ ସବୁ ପ୍ରକାରର ସହାୟତା କରିବାକୁ ପ୍ରସ୍ତୁତ।”