ସଂଖ୍ୟାଲଘୁ ଫେରିବାଲାଠୁ ଜିନିଷ କିଣିଲେ ୫୧୦୦ ଫାଇନ୍‌

add-all

ଅହମ୍ମଦାବାଦ: ଉଦୟପୁର ହତ୍ୟା କାଣ୍ଡକୁ ନେଇ ଚାରିଆଡେ ଜାରି ରହିଛି ବିରୋଧ। ରାଜନୀତି ବି ସରଗରମ। ଗାଁ ଗାଁରେ ବି ଆରମ୍ଭ ହୋଇଗଲାଣି ପ୍ରତିବାଦ। ହତ୍ୟାକାଣ୍ଡ ପଛରେ ସଂଖ୍ୟାଲଘୁଙ୍କ ସମ୍ପୃକ୍ତିକୁ ନେଇ ଏବେ ପଞ୍ଚାୟତରେ ବି ଫରମାନ୍‌ ଜାରି କରାଯାଇଛି। ସଂଖ୍ୟାଲଘୁ ଫେରିବାଲାଙ୍କ ଠାରୁ ଜିନିଷ କିଣିବାକୁ ବାରଣ କରାଯାଇଛି।
ମୁସଲିମ ଫେରିବାଲାଙ୍କ ଠାରୁ ଜିନିଷ ନକିଣିବାକୁ ଗୁଜରାଟ ବନାସକାଣ୍ଟାର ୱାଘାସାନ ଗ୍ରାମପଞ୍ଚାୟତ ପକ୍ଷରୁ ଫରମାନ ଜାରି ହୋଇଛି। ଗ୍ରାମ ପଞ୍ଜାୟତ ପକ୍ଷରୁ ଏକ ଲେଟର୍‌ ପେଡ୍‌ରେ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି। ଯିଏ ଏହି ନିୟମ ଭାଙ୍ଗିବ ତାଙ୍କୁ ୫୧୦୦ ଟଙ୍କା ଫାଇନ୍‌ ଦେବାକୁ ପଡିବ ବୋଲି ଏଥିରେ କୁହାଯାଇଛି। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେପଟେ ବନାସକାଣ୍ଟା ପ୍ରଶାସନ କିନ୍ତୁ ଏଭଳି କୌଣସି ନିର୍ଦ୍ଦେଶ ଦିଆଯାଇନଥିବା କହିଛନ୍ତି।
ପ୍ରଶାସନ ତରଫରୁ ଜାରି ବୟାନରେ କୁହାଯାଇଛି ଯେ, ୱାଘାସାନ ଗ୍ରାମ ପଞ୍ଚାୟତର ଲେଟର ପେଡ୍‌ରେ ଯେଉଁ ନିର୍ଦ୍ଦେଶ ଦିଆଯାଇଛି ତାହା ବୈଧ ନୁହେଁ। ଜିଲ୍ଲା ଉନ୍ନୟନ ଅଧିକାରୀ ସ୍ୱପ୍ନିଲ ଖେର କହିଛନ୍ତି, ‘ଗ୍ରାମ ପଞ୍ଚାୟତର ଏହି ଲେଟର୍‌ ପେଡ୍‌ରେ ହସ୍ତାକ୍ଷର କରିଥିବା ବ୍ୟକ୍ତିଙ୍କ ପାଖରେ ଏପରି ନିର୍ଦ୍ଦେଶ ଜାରି କରିବା ଅଧିକାର ନାହିଁ। କାରଣ ଏହି ପଞ୍ଚାୟତ ଜଣେ ପ୍ରଶାସକଙ୍କ ଅଧୀନରେ ଅଛି। ଏଠି ସରପଞ୍ଚ ନିର୍ବାଚନ ଖୁବଶୀଘ୍ର ହେବ। ଜାରି କରାଯାଇଥିବା ଫରମାନ ଭିତ୍ତିହୀନ। ଏହି ନିର୍ଦ୍ଦେଶକୁ କେହି ଅନୁସରଣ କରିବା ଅନୁଚିତ। ଏଭଳି ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ କାଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’
ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏହି ଫରମାନ୍‌କୁ ଜୁନ୍‌ ୩୦ରେ ଜାରି କରାଯାଇଛି। ୱାଘାସନ ଗାଁ ଲୋକଙ୍କୁ ଉଦୟପୁର ଦରଜୀ ହତ୍ୟାକାଣ୍ଡକୁ ଧ୍ୟାନରେ ରଖି ମୁସଲିମ ସମ୍ପ୍ରଦାୟର ଫେରିବାଲାଙ୍କ ଠାରୁ କୌଣସି ବି ଜିନିଷ କିଣିବା ଉଚିତ ନୁହେଁ ବୋଲି ଏଥିରେ କୁହାଯାଇଛି। ଏହି ଫରମାନରେ ପୂର୍ବତନ ସରପଞ୍ଚ ମାଫିବେନ୍‌ ପଟେଲଙ୍କ ହସ୍ତାକ୍ଷର ଓ ମୋହର ରହିଛି। ଯଦି କୌଣସି ଦୋକାନି ମୁସଲିମ ବ୍ୟବସାୟୀଙ୍କ ଠାରୁ ଜିନିଷ କିଣିବା ବେଳେ ଧରାପଡନ୍ତି ତେବେ ତାଙ୍କୁ ୫୧୦୦ ଟଙ୍କା ଜରିମାନା ଦେବାକୁ ପଡିବ। ଆଉ ଏହି ଟଙ୍କା ଗାଁର ଗୋଶାଳା ପାଇଁ ଖର୍ଚ୍ଚ କରାଯିବ ବୋଲି ଉକ୍ତ ଫରମାନରେ ଉଲ୍ଲେଖ ଅଛି।

ad-week
Leave A Reply

Your email address will not be published.