ସିଗାରେଟ୍‌ ପିଉଥିବା କାଳୀଙ୍କ ପୋଷ୍ଟରକୁ ନେଇ ବିବାଦ, ବିଭିନ୍ନ ରାଜ୍ୟରେ FIR

add-all

ନୂଆଦିଲ୍ଲୀ: ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’ର ପୋଷ୍ଟରକୁ ନେଇ ବିବାଦ ଜୋର ଧରିଛି। ଏହି ଫିଲ୍ମକୁ ନେଇ ଆଇନଜାଲରେ ଫସିଛନ୍ତି ଫିଲ୍ମ ମେକର୍‌। ଚଳଚ୍ଚିତ୍ର ନିର୍ମାତା ଲୀନା ମଣିମେକାଲାଇ ତାଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମର ପୋଷ୍ଟରରେ ମା କାଳୀଙ୍କୁ ସିଗାରେଟ ଟାଣୁଥିବା ଦେଖାଇଥିଲେ। ଏହା ସହିତ ମା’ କାଳୀ ଗୋଟିଏ ହାତରେ ସେ LGBT ସମ୍ପ୍ରଦାୟର ଜାତୀୟ ପତାକା ମଧ୍ୟ ଧରିଥିଲେ। ଏହି ପୋଷ୍ଟରକୁ ନେଇ ଏବେ ବିବାଦ ବଢ଼ିଛି। ଏହି ମାମଲା ଏବେ ପୁଲିସ ପାଖରେ ପହଞ୍ଚିଛି।
ଦିଲ୍ଲୀ ପୁଲିସ ଏନେଇ ଆକ୍ସନ ମୁଡ୍‌କୁ ଆସିଛି। ଦିଲ୍ଲୀ ପୁଲିସ ଫିଲ୍ମ ମେକର୍‌ଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ କିରିଛି। ଦିଲ୍ଲୀ ଆଇଏଫଏସ୍‌ଓ ୟୁନିଟ୍‌ ଫିଲ୍ମ ନିର୍ଦ୍ଦେଶକ ଲୀନାଙ୍କ ବିରୋଧରେ ୧୫୩(କ) ଆଧାରରେ ଧର୍ମ ଓ ଜାତିଗତ ଭାବନାକୁକୁ ଆଘାତ ପହଞ୍ଚାଇବା ନେଇ ମାମଲା ରୁଜୁ କରିଛି। ସେପଟେ ଏହି ମାମଲାରେ ଦିଲ୍ଲୀ ଡିଷ୍ଟ୍ରିକ୍ଟ ପୁଲିସ ତଦନ୍ତ ଆରମ୍ଭ କରିଛି। ଯଦି ଆବଶ୍ୟକତା ପଡେ ତେବେ ଲୀନାଙ୍କୁ ଇମେଲ୍‌ ଜାରିଆରେ ପଚରାଉଚରା କରାଯିବ।
ସେପଟେ ଏହି ମାମଲାରେ ଉତ୍ତରପ୍ରଦେଶରେ ମଧ୍ୟ ଏକ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ୟୁପି ପୁଲିସ ଏଫଆଇଆରରେ ଫିଲ୍ମ ନିର୍ମାତା ଲୀନାଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର, ଧାର୍ମିକ ଭାବନାକୁ ଆଘାତ ଦେବା, ହିନ୍ଦୁ ଦେବୀଙ୍କୁ କଦର୍ଥ କରି ଚିତ୍ରଣ କରିବା ଅଭିଯୋଗ କରାଯାଇଛି।
ଫିଲ୍ମ ନିର୍ମାତା ଲୀନା ଜୁଲାଇ ୨ ତାରିଖରେ ତାଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’ର ପୋଷ୍ଟର ଟ୍ୱିଟର୍‌ରେ ଶେଆର କରିଥିଲେ। ପୋଷ୍ଟର୍‌ରେ ମା’ କାଳୀ ଗୋଟିଏ ହାତରେ ସିଗାରେଟ୍‌ ଧରି ପିଉଥିବା ବେଳେ ଆଉ ଏକ ହାତରେ ଏଲ୍‌ଜିବିଟି ସମ୍ପ୍ରଦାୟର ପତାକା ଧରିଥିବା ଦେଖିବାକୁ ମିଳିଥିଲା। ମା’ କାଳୀଙ୍କ ରୂପର ଏଭଳି ପୋଷ୍ଟର ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଅନେକ ସୋଶାଲ ମିଡିଆ ୟୁଜର୍ସ ଫିଲ୍ମ ନିର୍ମାତା ଲୀନାଙ୍କୁ ଗିରଫ କରିବାକୁ ଦାବି କରିଥିଲେ।
ସୋସିଆଲ୍‌ ମିଡିଆରେ ‘ଆରେଷ୍ଟ୍‌ଲୀନାମାନିମେକଲାଇ’ ଟ୍ରେଣ୍ଡ୍‌ କରିଥିବା ବେଳେ ନିର୍ମାତା ଏକ ଟ୍ୱିଟ୍‌ କରି ହ୍ୟାସଟ୍ୟାଗ୍ ‘ଆରେଷ୍ଟ୍‌ଲୀନାମାନିମେକଲାଇ’ ନଲେଖି ହ୍ୟାସଟ୍ୟାଗ୍ ‘ଲଭୟୁ ଲୀନାମନିମେକଲାଇ’ ଲେଖନ୍ତୁ ବୋଲି କହିଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି ଯେ, ‘ଘଟଣାଟି ସେହି ସନ୍ଧ୍ୟାର ଯେତେବେଳେ କାଳୀ ପ୍ରକଟ ହୋଇ ଟରୋଣ୍ଟୋ ରାସ୍ତାରେ ବୁଲନ୍ତି। ଫିଲ୍ମଟି ସେହି ଘଟଣାକୁ ନେଇ ଆଧାରିତ।’
ସେପଟେ ଏହି ମାମଲାକୁ ନେଇ କାନାଡାର ଭାରତୀୟ ଉଚ୍ଚ ଆୟୋଗ ମଧ୍ୟ ଆପତ୍ତି ଉଠାଇଛନ୍ତି। ହାଇ କମିଶନ କହିଛନ୍ତି ଯେ ‘ହିନ୍ଦୁ ସମ୍ପ୍ରଦାୟର ଅଭିଯୋଗ ଆସିଛି ଯେ ଅଣ୍ଡର ଟେଣ୍ଟ ପ୍ରୋଜେକ୍ଟ ଅଧୀନରେ କାନାଡାରେ ଏକ ପୋଷ୍ଟର ପ୍ରଦର୍ଶିତ ହୋଇଛି ଯେଉଁଥିରେ ହିନ୍ଦୁ ଦେବତାଙ୍କୁ ଅପମାନିତ କରାଯାଇଛି। ଏଥିପାଇଁ ଦାୟୀ ଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛୁ।’ ଏହି ଡକ୍ୟୁମେଣ୍ଟାରୀ ଫିଲ୍ମକୁ କାନାଡାରେ ଆୟୋଜିତ ଏକ ପ୍ରୋଜେକ୍ଟ ‘ଅଣ୍ଡର ଦା ଟେଣ୍ଟ’ ଜରିଆରେ ପ୍ରଦର୍ଶିତ କରାଯାଇଥିଲା। ଏହି ପ୍ରୋଜେକ୍ଟରଟି ଟରଣ୍ଟୋ ଆଗା ଖାନ ମ୍ୟୁଜୟମରେ ପ୍ରଦର୍ଶିତ ହୋଇଥିଲା।

ad-week
Leave A Reply

Your email address will not be published.