ଲଦାଖ ଅଞ୍ଚଳରୁ ସୈନ୍ୟ ଅପସାରଣ ଲାଗି ଆରମ୍ଭ ହେଲା ଭାରତ-ଚୀନ୍‌ ୧୬ଶ ପର୍ଯ୍ୟାୟ କମାଣ୍ଡର୍‌ସ୍ତରୀୟ ଆଲୋଚନା

add-all

ନୂଆଦିଲ୍ଲୀ: ଆଜି ଚୁସ୍‌ହୁଲ୍‌-ମୋଲ୍‌ଦୋ ସୀମାନ୍ତବର୍ତ୍ତୀ ଭାରତୀୟ ପାର୍ଶ୍ବରେ ଭାରତ ଓ ଚୀନ୍‌ ମଧ୍ୟରେ କର୍ପସ୍‌ କମାଣ୍ଡର୍‌ସ୍ତରୀୟ ଆଲୋଚନାର ୧୬ଶ ପର୍ଯ୍ୟାୟ ଆରମ୍ଭ ହୋଇଥିବା କଥା ସରକାରୀ ଅଧିକାରୀମାନଙ୍କସୂତ୍ରରୁ ଜଣାପଡ଼ିଛି।
ପୂର୍ବ ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖାରୁ ସୈନ୍ୟ ଅପସାରଣ ନିମନ୍ତେ ପ୍ରାୟ ୪ ମାସର ବ୍ୟବଧାନ ପରେ ଆଜିର ଆଲୋଚନା ଆରମ୍ଭ ହୋଇଥିବା କଥା ସେମାନେ ସୂଚନା ଦେଇଛନ୍ତି।
ପରିଚୟ ଗୁପ୍ତ ରଖିବାକୁ ଅନୁରୋଧ କରି ଜଣେ ସରକାରୀ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଥିବା ‘ଫ୍ରିକ୍‌ସନ୍‌ ପଏଣ୍ଟ୍‌’ରୁ ଅଧିକ ସୈନ୍ୟ ଅପସାରଣ ନିମନ୍ତେ ଉଭୟ ପକ୍ଷ ଆଲୋଚନା କରିବେ। ଲାଗି ରହିଥିବା ସମସ୍ୟାର ସମାଧାନ ନିମନ୍ତେ ପରସ୍ପରଙ୍କର ଗ୍ରହଣୀୟ ହେବା ପରି ଉପାୟ ପାଇବା ଲାଗି ଆଲୋଚନା ହିଁ ଏକମାତ୍ର ପନ୍ଥା ବୋଲି ସେମାନେ କହିଛନ୍ତି।
ଗଲ୍‌ୱାନ୍‌ ଉପତ୍ୟକା, ପାଙ୍ଗୋଙ୍ଗ୍‌ ସୋ, ଗୋଗ୍ରା-ହଟ୍‌ ସ୍ପ୍ରିଙ୍ଗ୍‌ସ୍‌ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ହୋଇଥିଲେ ମଧ୍ୟ ଉଭୟ ଦେଶର ପ୍ରାୟ ୬୦.୦୦୦ ସୈନିକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଲଦାଖ ଥିଏଟର୍‌ରେ ମୁତୟନ ହୋଇ ରହିଛନ୍ତି। ପ୍ରତିରକ୍ଷା ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଦୁଇ ପକ୍ଷ ସୈନ୍ୟଙ୍କ ସ୍ଥିତାବସ୍ଥାରେ କିଛି ପରିବର୍ତ୍ତନ ଘଟିଥିବାରୁ ୧୬ଶ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହେବାରେ ବିଳମ୍ବ ହୋଇଛି।
ଏହି ଆଲୋଚନାରେ ଭାରତ ‘ନୋ-ଫାଇ ଜୋନ୍‌’ ଓ ‘ଫ୍ରିକ୍‌ସନ୍‌ ପଏଣ୍ଟ୍‌’ ମଧ୍ୟକୁ ଚୀନା ଜେ-୧୦ ଲଢୁଆ ଜେଟ୍‌ ପ୍ରବେଶ କରିବା ପ୍ରସଙ୍ଗ ପକାଇ ପାରେ ବୋଲି ସୂଚନା ମିଳିଛି।

ad-week
Leave A Reply

Your email address will not be published.