ଘୁମୁସର ବନଖଣ୍ଡରେ ଦନ୍ତା ହାତୀ ମୃତଦେହ ଜବତ, ଦାନ୍ତ ଚୋରି

ବ୍ରହ୍ମପୁର: ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡରେ ଏବେ ଅସୁରକ୍ଷିତ ହୋଇପଡ଼ିଛନ୍ତି ଦନ୍ତା ହାତୀ।ବୁଧବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବନାଞ୍ଚଳ ଓ ବେଲଗୁଣ୍ଠା ସେକ୍ସନ୍ ତଥା ଜଗନ୍ନାଥପ୍ରସାଦ ବ୍ଲକ୍ ଝାଡ଼ଭୂମି ପଞ୍ଚାୟତ କନ୍ଧନୂଆପଲ୍ଲୀ ଗ୍ରାମ ନିକଟ କାଜୁ ଜଙ୍ଗଲ ଭିତରୁ ଗୋଟିଏ ଦନ୍ତାହାତୀର ଗଳିତ ଶବ ଉଦ୍ଧାର ହୋଇଛି ।

ତା’ର ଶରୀରର ପଛଭାଗରେ ଏକ ଛିଦ୍ର ରହିଥିବା ବେଳେ ଡାହାଣ ଦାନ୍ତଟି ନାହିଁ । ଫଳରେ ତାକୁ ଗୁଳି କରି ଶିକାରୀମାନେ ଦାନ୍ତ ନେଇଯାଇଥିବା ସନ୍ଦେହ କରାଯାଉଛି।

ମୃତ ଦନ୍ତାଟିର ବୟସ ଆନୁମାନିକ ୪୦ ବର୍ଷ ହେବ ବୋଲି କୁହାଯାଉଥିବା ବେଳେ ଦୁଇରୁ ତିନିଦିନ ତଳେ ତା’ର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ବନ ବିଭାଗର ଅଧିକାରୀ ମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ଏହି ଦନ୍ତା ହାତୀର ମୃତ୍ୟୁ ହୋଇଛି, ସେନେଇ ବନ ବିଭାଗ ପକ୍ଷରୁ କେହି ମୁହଁ ଖୋଲି ନାହାନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୧୭ ତାରିଖରେ ଗୋଟିଏ ମାଈହାତୀ, ଗୋଟିଏ ପିଲା ଓ ଗୋଟିଏ ଦନ୍ତାହାତୀ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧୀନ କାଦପଡ଼ା ଜଙ୍ଗଲ ଦେଇ ଉତ୍ତର ଘୁମୁସର ବନଖଣ୍ଡକୁ ଆସିଥିବା ଟ୍ରାକ୍‌ରୁ ଜଣାପଡ଼ିଥିଲା ।

ତେବେ ବୁଧବାର କାଜୁଜଙ୍ଗଲ ନିକଟରୁ ଦୁର୍ଗନ୍ଧ ବାହାରିବା ସୂଚନା ମିଳିବା ପରେ ବିଡ଼ିପୁର ବିଟ୍ ଗାର୍ଡ଼ ଧନୁର୍ଦ୍ଧର ବେହେରା ପହଞ୍ଚି ହାତୀଟିର ଶବକୁ ଠାବ କରିଥିଲେ । ସଂଗେ ସଂଗେ ଜଗନ୍ନାଥ ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାଶ ସଦଳବଳେ ପହଞ୍ଚିଥିଲେ । ହାତୀଟିର ଶବ ଗୋଟିଏ କଡ଼କୁ ରହିଥିବା ବେଳେ ୧୦୦ ମିଟର ଦୂରରେ କିଛି ବିଦ୍ୟୁତ୍ ତାର ବି ପଡ଼ିଥିବା ଦେଖିବାକୁ ମିଳିଥିଲା ।

ତେବେ ଡାହାଣ ଦାନ୍ତଟି ନଥିବା ସହ ପଛଭାଗରେ ଗୋଟିଏ ଛିଦ୍ର ଥିଲା । ଫଳରେ ବିଦ୍ୟୁତ୍‌ ଆଘାତରେ ନା ‘ ଗୁଳିମାଡ଼ରେ ହାତୀଟିର ମୃତ୍ୟୁ ହୋଇଛି ଏନେଇ କିଛି ସ୍ପଷ୍ଟ ହୋଇପାରିନି । ତେବେ ରାତି ହୋଇ ଯାଇଥିବାରୁ ହାତୀଟିର ଶବକୁ ସେଠାରୁ ଉଦ୍ଧାର କରାଯାଇ ପାରିନି ।

ଏସିଏଫ୍ ବିକ୍ରମ ଦେବ ପଟ୍ଟନାୟକ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଜଗି ରହିଛନ୍ତି । ଗୁରୁବାର ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଗତ ୬ ତାରିଖରେ ମୁଜାଗଡ଼ ରେଞ୍ଜ ଇଲାକାରେ ଏକ ଦନ୍ତାର ଗଳିତ ଶବ ମିଳିଥିଲା।

ଶିକାରୀମାନେ ତାକୁ ଗୁଳି କରି ଦୁଇଟିଯାକ ଦାନ୍ତ ନେଇଯାଇଥିଲେ।ଏହି ଘଟଣାରେ ବନ ବିଭାଗ ୩ ଜଣଙ୍କୁ ଗିରଫ କରିବା ସହ ଦୁଇଟି ଦାନ୍ତକୁ ମଧ୍ୟ ଜବତ କରିଥିଲା । ବୁଧବାର ପୁଣି ଏକ ଦନ୍ତା ଶିକାର ବନ ବିଭାଗର ଦାୟିତ୍ଵ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ad-week
Leave A Reply

Your email address will not be published.