ରାଜ୍ୟ ସରକାର କରିଥିବା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ କୌଣସି ତ୍ରୁଟି ନାହିଁ: ହାଇକୋର୍ଟ

add-all

 ଭୁବନେଶ୍ମର: ରାଜ୍ୟ ସରକାର କରିଥିବା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ କୌଣସି ତ୍ରୁଟି ନାହିଁ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ। ରାଜ୍ୟର ହାଇସ୍କୁଲ ଗୁଡିକରେ ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତିକୁ ଚାଲେଞ୍ଜ କରି ରୁଜ୍ଜୁ ହୋଇଥିବା ତିନୋଟି ମାମଲାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ହାଇକୋର୍ଟ ଦେଇଥିବା ଅନ୍ତରୀଣ ରହିତାଦେଶ ହଟାଇ ଦେଇଛନ୍ତି, ଫଳରେ ୧୧୪୦୩ ଶିକ୍ଷକ ନିଯୁକ୍ତି ପାଇଁ ପଥ ପରି‌ଷ୍କାର ହୋଇଯାଇଛି। ସରକାରୀ ହାଇସ୍କୁଲ ଗୁଡିକରେ ଖାଲି ପଡିଥିବା ଶିକ୍ଷକ ପଦବି ପୂରଣ ପାଇଁ ୨୦୨୧, ଡିସେମ୍ବର ୨୩ରେ ପ୍ରକାଶିତ ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦାୟର ସମସ୍ତ ତିନୋଟି ମାମଲାକୁ ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଖାରଜ କରିଛନ୍ତି। ପୂର୍ବରୁ ହାଇକୋର୍ଟ ମାମଲାର ଶୁଣାଣି କରି ନିଯୁକ୍ତି ପ୍ରକ୍ରିୟାର ଫଳାଫଳ ଅଦାଲତଙ୍କ ଅନୁମତି ବିନା ପ୍ରକାଶ ପାଇପାରିବ ନାହିଁ ବୋଲି ମେ ୧୯ରେ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।

ମୂଳ ମାମଲା ଖାରଜ ପରେ ଏବେ ଅନ୍ତରୀଣ ନିର୍ଦ୍ଦେଶ ପ୍ରତ୍ୟାହାର ହେବା ସହ ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢିବା ପାଇଁ ବାଟ ପରିଷ୍କାର ହୋଇଯାଇଛି। ରାଜ୍ୟର ହାଇସ୍କୁଲ ଗୁଡିକରେ ଖାଲି ପଡିଥିବା ଶିକ୍ଷକ ପଦବି ଆଧାରରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୦୨୧, ଡିସେମ୍ବର ୨୩ରେ ବିଜ୍ଞପ୍ତି ପ୍ରକାଶ କରାଯାଇ ୧୧୪୦୩ଟି ପଦରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ବିଜ୍ଞପ୍ତି କରାଯାଇଥିଲା। ଏହି ବିଜ୍ଞପ୍ତି ଓଡିଶା ରିଜରଭେସନ ଅଫ ଭାକାନ୍‌ସିଜ ଆକ୍ଟ(ଓଆରଭି) ଅନୁସାରେ ହୋଇନଥିବା ଅଭିଯୋଗ ହୋଇଥିଲା। ଏଥି ସହିତ କମ୍ପ୍ୟୁଟର ବେସଡ୍ ‌ ଟେଷ୍ଟ(ସିବିଟି) ପାଇଁ ପାସ ମାର୍କ ଆଗୁଆ ଧାର୍ଯ୍ୟ କରାଯାଇ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ପରବର୍ତ୍ତୀ ସମୟରେ ପାସ ମାର୍କ ଧାର୍ଯ୍ୟ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଥିବା ବେଳେ ଏହା କର୍ତ୍ତୃପକ୍ଷଙ୍କ ମନୋମୁଖୀ କାର୍ଯ୍ୟକଳାପ ପାଇଁ ବାଟ ଫିଟାଇଥିଲା। ଏଥି ସହିତ ସିବିଟି ପରିଚାଳନା ଦାୟିତ୍ବ କଳାତାଲିକାଭୁକ୍ତ ସଂସ୍ଥାକୁ ଦିଆଯାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା। ଏପରି କାରଣରୁ ବିଜ୍ଞପ୍ତି ରଦ୍ଦ କରାଯିବା ଉଚିତ। ଏଥି ସହିତ ସ୍ବଚ୍ଛ ଓ ନିରପେକ୍ଷ ଉପାୟ ଅବଲମ୍ବନ କରାଯାଇ ନଥିବାରୁ ଅନୁଷ୍ଠିତ ପରୀକ୍ଷା ଓ ଫଳାଫଳକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନକାରୀଙ୍କ ତରଫରୁ ହାଇକୋର୍ଟରେ ଦର୍ଶାଯାଇଥିଲା। ଅନ୍ୟପଟରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ସିବିଟିରେ ଅଂଶଗ୍ରହଣ କରି ବିଫଳ ହେଲା ପରେ ଏହି ମାମଲା ଆବେଦନକାରୀ ଦାୟର କରିଛନ୍ତି। ଏଥି ସହିତ ଓଆରଭି ନିୟମ ଉଲ୍ଲଂଘନ ହୋଇ ନାହିଁ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା।

ad-week
Leave A Reply

Your email address will not be published.