ମଙ୍କିପକ୍ସ ଭୂତାଣୁ ଚିହ୍ନଟ ପାଇଁ ‘ଜେନ୍ସଟୁମି’ ପ୍ରସ୍ତୁତ କଲା ଆରଟି-ପିସିଆର କିଟ୍

add-all

ନୂଆଦିଲ୍ଲୀ: କମାଲ କଲା ଭାରତୀୟ କମ୍ପାନି। ଗୁରୁଗ୍ରାମ ଭିତ୍ତିକ ଜେନ୍ସଟୁମି ପ୍ରଥମ କରି ମଙ୍କିପକ୍ସ ଭୂତାଣୁ ଚିହ୍ନଟ ପାଇଁ ଆରଟି-ପିସିଆର କିଟ୍ ପ୍ରସ୍ତୁତ କରିଛି। ଏହି କିଟ୍ ମାଧ୍ୟମରେ ମାତ୍ର ୫୦ମିନିଟ ମଧ୍ୟରେ ଆପଣ ମଙ୍କିପକ୍ସ ଦ୍ବାରା ଆକ୍ରାନ୍ତ କି ନାହିଁ ଜାଣିପାରିବେ।
କମ୍ପାନି ଏକ ବିବୃତିରେ କହିଛି ଯେ, ଜେନ୍ସଟୁମିର ବୈଜ୍ଞାନିକମାନେ ମଙ୍କିପକ୍ସ ଭୂତାଣୁ ଚିହ୍ନଟ ପାଇଁ ପିଓଏକ୍ସ-କ୍ୟୁ ମଲ୍ଟିପ୍ଲେକ୍ସେଡ୍ ଆରଟି-ପିସିଆର କିଟ୍ ବିକଶିତ କରିବାରେ ସକ୍ଷମ ହୋଇଛନ୍ତି। ଏହା ଦ୍ବାରା ‌ଏବେ ମଙ୍କିପକ୍ସ ସହ ଲଢ଼ିବା ସହଜ ହେବ। ଏଭଳି ଟେଷ୍ଟ କିଟ୍ ପ୍ରସ୍ତୁତ କରିବାରେ ପ୍ରଥମ ଭାରତୀୟ କମ୍ପାନୀ ମଧ୍ୟରୁ ଜେନ୍ସଟୁମି ଅନ୍ୟତମ। ତେବେ ଏହା ବର୍ତ୍ତମାନ ରିସର୍ଚ୍ଚ ପାଇଁ ବ୍ୟବହାର କରିବାକୁ ଉପଲବ୍ଧ ହେବ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ରୁ କିଟର ବ୍ୟବହାରକୁ ଅନୁମତି ମିଳିଲେ ହିଁ ଏହାକୁ ବଜାରକୁ ଛଡ଼‌ାଯିବ।
କମ୍ପାନି ଆହୁରି କହିଛି ଯେ, ଆମର ଏକ ସପ୍ତାହରେ ୫ନିୟୁତ ଟେଷ୍ଟ କିଟ୍ ଉତ୍ପାଦନ କରିବାର କ୍ଷମତା ଅଛି। ତେବେ ଅତିରିକ୍ତ ଚାହିଦା ଅନୁଯାୟୀ ଏହାକୁ ଆମେ ବୃଦ୍ଧି କରିବୁ।
ତେବେ ଦେଶରେ ସମୁଦାୟ ୪ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ବେଳେ କେବଳ କେରଳରୁ ରହିଛନ୍ତି ୩ ଜଣ। ସେହି କାରଣରୁ କେରଳରେ ହାଇ ଆର୍ଲଟ ଜାରି କରାଯାଇଛି। ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ଥର୍ମାଲ୍‌ ସ୍କାନ୍‌ କରିବାକୁ କେରଳର ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ନିର୍ଦ୍ଦେଶ ଦେଇଛନ୍ତି। ବିମାନ ବନ୍ଦରରେ ଏହି ଥର୍ମାଲ୍‌ ସ୍କାନ୍‌ କରିବା ପାଇଁ ସେଠାରେ ଏକ ସ୍ବତନ୍ତ୍ର ହେଲ୍‌ଥ୍ ଡେସ୍କ ଗଠନ କରାଯାଇଛି। ଯେଉଁମାନଙ୍କ ଶରୀରରେ ଜ୍ବର କିମ୍ବା ମଙ୍କିପସ୍କର ଅନ୍ୟ ଲକ୍ଷଣ ଦେଖାଯିବ ସେମାନଙ୍କୁ ତୁରନ୍ତ ପୃଥକବାସରେ ରଖାଯିବ।

ad-week
Leave A Reply

Your email address will not be published.