ଦୋଷୀ ସାବ୍ୟସ୍ତ ପରେ କୋର୍ଟରୁ ଡକ୍ୟୁମେଣ୍ଟ ଧରି ମନ୍ତ୍ରୀ ଫେରାର!

youtube

ଲକ୍ଷ୍ନୌ: କୋର୍ଟ ରୁମ୍‌ରୁ କ୍ୟାବିନେଟ୍‌ ମନ୍ତ୍ରୀ ଫେରାର। ଦୋଷୀ ସାବ୍ୟସ୍ତ ହେବା ପରେ ମୂଳ ଡକ୍ୟୁମେଣ୍ଟ ନେଇ ଓକିଲଙ୍କ ସହ କୋର୍ଟ ଭିତରୁ ବାହାରି ପଳାଇଲେ ମନ୍ତ୍ରୀ। ଏଭଳି କିଛି ଅଭିଯୋଗ ଆସିଛି ଯୋଗୀ ଆଦିତ୍ୟ ନାଥଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ରାକେଶ ସଚାନଙ୍କ ନାଁରେ।
ଶନିବାର ‘୧୯୯୧ ଆର୍ମସ୍‌ ଆକ୍ଟ୍‌’ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଉତ୍ତରପ୍ରଦେଶ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ରାକେଶ ସଚାନ୍‌। ତେବେ ରାୟ ଶୁଣାଣି ପୂର୍ବରୁ ସେ ଅଦାଲତରୁ ବାହାରି ପଳାଇଥିଲେ। ମନ୍ତ୍ରୀ ତାଙ୍କ ଓକିଲଙ୍କ ସହାୟତାରେ ଦୋଷୀ ସାବ୍ୟସ୍ତ ହେବାର ମୂଳ କପି ନେଇ ପଳାଇଥିଲେ। କେବଳ ଏତିକି ନୁହେଁ, ସେ ଜାମିନ ବଣ୍ଡ ପୂରଣ ନକରି କୋର୍ଟ ରୁମରୁ ଖସି ପଳାଇଥିଲେ।
ବିଳମ୍ବିତ ରାତ୍ରରେ ଅଦାଲତ କୋତାୱାଲି ଥାନାରେ ରାକେଶ ସଚାନଙ୍କ ନାମରେ ମାମଲା ରୁଜୁ କରିଛନ୍ତି। ଉପରୋକ୍ତ ପ୍ରସଙ୍ଗରେ ମାମଲା ରୁଜୁ କରିବା ପାଇଁ ଅଭିଯୋଗ ପତ୍ରରେ ଅଦାଲତ କାନପୁର ଥାନାକୁ କହିଛନ୍ତି। ଅଭିଯୋଗ ପାଇବା ପରେ କାନପୁର ପୁଲିସର ଜୁଗ୍ମ କମିସନର୍‌ ଆନନ୍ଦ ପ୍ରକାଶ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ସେ କହିଛନ୍ତି, ଏଥିରେ ସମ୍ପୃକ୍ତ ଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ବୟାନ ରେକର୍ଡ କରାଯିବା ସହ ‘ସିସିଟିଭି ଫୁଟେଜ୍‌’ ଯାଞ୍ଚ କରାଯିବା ପରେ ଯାଇ ଯାହାକିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସେପଟେ କିନ୍ତୁ ମନ୍ତ୍ରୀ ସଚାନ୍‌ ଏହାକୁ ଗୁଜବ କହି ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି, ଅନେକ ମାମଲା ପଡ଼ି ରହିଛି। ତେଣୁ, ବିଭ୍ରାନ୍ତିକର ଖବର ପ୍ରଘଟ କରାଯାଉଛି। କିନ୍ତୁ, ଅଦାଲତଙ୍କ ଆଦେଶ ଗ୍ରହଣ କରାଯିବ।
ବାସ୍ତବରେ ୧୯୯୧ରେ ତତ୍କାଳୀନ ସମାଜବାଦୀ ପାର୍ଟି ନେତା ରାକେଶ ସଚାନ୍‌ଙ୍କ ପୁଲିସ ଏକ ଅବୈଧ ହତିଆର ଜବତ କରିଥିଲା। ଏହି ମାମଲାରେ ତାଙ୍କ ବିରୋଧରେ ଆର୍ମସ୍‌ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲାରେ ଶନିବାର କାନପୁରର ଅତିରିକ୍ତ ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟ-୩ କୋର୍ଟରେ ଶୁଣାଣି ଚାଲିଥିଲା। ଏହି ସମୟରେ କୋର୍ଟ ସଚାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ ଦୋଷୀ ସାବ୍ୟସ୍ତ କରି ରାକେଶ ସଚାନଙ୍କୁ ଦଣ୍ଡିତ କରିବାକୁ ପ୍ରସ୍ତୁତ ହେଉଥିଲେ। ତେବେ ଏହା ପୂର୍ବରୁ ରାକେଶ କୋର୍ଟରୁ ନିଖୋଜ ହୋଇ ଯାଇଥିଲେ। ଉଲ୍ଲେଖଯୋଗ୍ୟ, ରାକଶେ ସଚାନ୍‌ ହେଉଛନ୍ତି କାନପୁର ଅନ୍ତର୍ଗତ କିଦ୍‌ୱାଇ ନଗର ବାସିନ୍ଦା। ସମାଜବାଦୀ ପାର୍ଟିରୁ ସେ ରାଜନୀତି ଆରମ୍ଭ କରିଥିଲେ। ୧୯୯୨ ଏବଂ ୨୦୦୨ରେ ସେ ଘାତମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ। ୨୦୦୯ରେ ସେ ଫତେପୁର ଲୋକସଭା ଆସନରୁ ବିଜୟୀ ହୋଇଥିଲେ।

Leave A Reply

Your email address will not be published.