ଦୁଷ୍କର୍ମ ମାମଲାରେ ବନ୍ଧା ହେଲେ ମିର୍ଚି ବାବା

add-all

ଭୋପାଳ: ୨୦୧୯ ଲୋକସଭା ନିର୍ବାଚନରେ ଦିଗବିଜୟ ସିଂହଙ୍କ ପାଇଁ ନିର୍ବାଚନ ପ୍ରଚାର କରି ଚର୍ଚ୍ଚାକୁ ଆସିଥିବା ବୈରାଜ୍ଞାନନ୍ଦ ଗିରି ଓରଫ ମିର୍ଚି ବାବା ଗିରଫ। ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଭୋପାଲ ପୁଲିସ ଆଜି ତାଙ୍କୁ ଗିରଫ କରିଛି। ପୀଡିତାଙ୍କ ବୟାନ ପରେ ମିର୍ଚି ବାବାଙ୍କ ବିରୋଧରେ ଧାରା ୩୭୬, ୫୦୬ ଓ ୩୪୨ ଆକ୍ଟରେ ମାମଲା ରୁଜୁ ହୋଇଛି।
ଅଭିଯୋଗ ମୁତାବକ, ପୀଡିତା ମହିଳା ଜଣକ ରାଜଧାନୀ ଭୋପାଳର ପଡୋଶୀ ଜିଲ୍ଲା ରାୟସେନ୍‌ରେ ରହୁନ୍ତି। ବିବାହର ଚାରି ବର୍ଷ ପରେ ବି ତାଙ୍କର କୌଣସି ସନ୍ତାନସନ୍ତତି ନଥିଲା। ଏହାପରେ ସେ ମିର୍ଚି ବାବାଙ୍କ ବିଷୟରେ କେଉଁଠୁ ଶିଣୁ ତାଙ୍କ ସହ ଯୋଗାଯୋଗ କରିଥିଲେ। ପୂଜା ପାଠ ପରେ ସନ୍ତାନ ପ୍ରାପ୍ତି ହେବ ବୋଲି ମିର୍ଚି ବାବା ଦାବି କରିଥିଲେ। ଏହାପରେ ଚଳିତ ବର୍ଷ ଜୁଲାଇ ମାସରେ ମିର୍ଚି ବାପା ପୀଡିତାଙ୍କୁ ଡାକି ଚିକିତ୍ସା ନାଁରେ ନିଶା ଖୁଆଇ ଦୁଷ୍କର୍ମ କରିଥିଲେ। କେବଳ ସେତିକି ନୁହେଁ କାହାକୁ କହିଲେ ଜୀବନରେ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ।
ପୀଡିତା ଜଣକ ସୋମବାର ମହିଳା ଥାନାରେ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ମିର୍ଚି ବାବାକୁ ବିଳମ୍ବିତ ରାତିରେ ଗ୍ୱାଲିୟରରୁ ମଧ୍ୟପ୍ରଦେଶ ମହିଳା ଥାନା ପୁଲିସ ଗିରଫ କରି ଭୋପାଳ ଆଣିଛି। ଅଭିଯୁକ୍ତ ବାବାଙ୍କୁ ପଚରାଉଚରା ଜାରି ରଖିଛି ପୁଲିସ। ମିର୍ଚି ବାବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ସାଂସଦ ଦିଗବିଜୟ ସିଂହଙ୍କ ଅତି ନିକଟତର ବୋଲି କୁହାଯାଇଛି। କମଲନାଥଙ୍କ ସରକାରରେ ଏହି ମିର୍ଚି ବାବାଙ୍କୁ ରାଜ୍ୟ ମନ୍ତ୍ରୀର ପଦ ମଧ୍ୟ ମିଳିଥିଲା।

ad-week
Leave A Reply

Your email address will not be published.