
କୋଲକାତା: କୋଇଲା ଚୋରାଚାଲାଣ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଶ୍ଚିମବଙ୍ଗର ୭ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦିଲ୍ଲୀ ଡାକିଛି। ଇଡି ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି | ମିଳିଥିବା ସୂଚନା ମୁତାବକ ଜ୍ଞାନବନ୍ତ ସିଂ (ଏଡିଜି, ସିଆଇଡି), କୋଟେଶ୍ୱର ରାଓ, ଏସ ସେଲଭାମୁରୁଗାନ୍, ଶ୍ୟାମ ସିଂ, ରାଜୀବ ମିଶ୍ର, ସୁକେଶ କୁମାର ଜୈନ ଏବଂ ତଥାଗତ ବସୁ ଆଦି ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀଙ୍କୁ ଇଡିରେ ହାଜର ହେବାକୁ ଡାକରା ଆସିଛି।
ଉପରୋକ୍ତ ଆଇପିଏସ୍ ଅଧିକାରୀଙ୍କୁ ନୂଆଦିଲ୍ଲୀର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନ କରାଯାଇଛି । ଡାକରା ପାଇଥିବା ୭ ଆଇପିଏସ୍ ଅଧିକାରୀ କୋଇଲା ଚୋରାଚାଲାଣ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ଜନୈକ ଇଡି ଅଧିକାରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସଂପୃକ୍ତ ଆଇପିଏସ୍ ଅଧିକାରୀମାନେ ଘୋଟାଲାରୁ ଉପକୃତ ହୋଇଛନ୍ତି। ଚୋରାଚାଲାଣ ହୋଇଥିବା ଅଞ୍ଚଳରେ ସେମାନଙ୍କର ପୋଷ୍ଟିଙ୍ଗ ହୋଇଥିଲା। ଗତ ବର୍ଷ ମଧ୍ୟ ଏହି ୭ ଜଣ ଅଧିକାରୀଙ୍କୁ ପଚରାଉଚରା ଲାଗି ଡକାଯାଇଥିଲା।
ସୂଚନା ଥାଉ କି ପଶ୍ଚିମବଙ୍ଗରେ କୋଇଲା ଦୁର୍ନୀତିର ଯାଞ୍ଚ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ସିବିଆଇ ଦ୍ୱାରା ଯୁଗ୍ମ ଭାବେ କରାଯାଉଛି। କୋଇଲା ଚୋରାଚାଲାଣ ବ୍ୟତୀତ ଶିକ୍ଷକ ନିଯୁକ୍ତି ଦୁର୍ନୀତି ତଦନ୍ତ ମଧ୍ୟ ଜାରି ରହିଛି | ଗତ ବର୍ଷ ସିବିଆଇ ଦିଲ୍ଲୀରେ ପଚରାଉଚରା ପାଇଁ ୩ ଆଇପିଏସ୍ ଅଧିକାରୀଙ୍କୁ ଡାକିଥିଲା।