ଗୁଜରାଟବାସୀଙ୍କୁ କେଜ୍ରିୱାଲଙ୍କ ପ୍ରତିଶ୍ରୁତି, କ୍ଷମତାକୁ ଆସିଲେ ସମସ୍ତଙ୍କୁ ମାଗଣା ଶିକ୍ଷା

add-all

ଅହମଦାବାଦ: ଦିଲ୍ଲୀ ଓ ପଞ୍ଜାବରେ ସରକାର ଗଠନ କରିଥିବା ଆମ ଆଦମୀ ପାର୍ଟି(ଆପ) ଏବେ ଗୁଜରାଟରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଅଣ୍ଟା ଭିଡ଼ିଛି। ଏଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଘନଘନ ଗୁଜରାଟ ଗସ୍ତ କରୁଛନ୍ତି। ଏହିକ୍ରମରେ ଆଜି କେଜ୍ରିୱାଲ ଗୁଜରାଟବାସୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ଯଦି ତାଙ୍କ ଦଳ ଗୁଜରାଟରେ କ୍ଷମତା ଦଖଲ କରିବ, ତା’ହେଲେ ସମସ୍ତଙ୍କୁ ମାଗଣାରେ ଶିକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। କଚ୍ଚ ଜିଲ୍ଲାର ଭୁଜ ସ୍ଥିତ ଟାଉନ ହଲ୍‌ରେ ସେ କହିଛନ୍ତି, “ମୁଁ ଆପଣମାନଙ୍କୁ ୫ଟି ଗ୍ୟାରେଣ୍ଟୀ ଦେବାକୁ ଚାହୁଁଛି। ଗୁଜରାଟରେ ଜନ୍ମ ହୋଇଥିବା ସବୁ ପିଲାଙ୍କୁ ମାଗଣାରେ ସର୍ବୋତ୍ତମ ଶିକ୍ଷା ଯୋଗାଇ ଦିଆଯିବ। ଆମେ କାହାକୁ ବାଧ୍ୟ କରିବୁ ନାହିଁ। ଯଦି ଯେଉଁ ବାପା ମା’ଙ୍କ ପାଖରେ ଟଙ୍କା ଅଛି, ସେମାନେ ନିଜ ପିଲାଙ୍କୁ ଭଲ ଶିକ୍ଷା ପାଇଁ ଘରୋଇ ସ୍କୁଲରେ ପଢ଼ାଇ ପାରିବେ।
ହେଲେ ଯେଉଁମାନଙ୍କ ପାଖରେ ଟଙ୍କା ନାହିଁ, ସେମାନଙ୍କ ପିଲାଙ୍କୁ ସରକାରୀ ସ୍କୁଲରେ ଭଲ ଶିକ୍ଷା ଯୋଗାଇ ଦିଆଯିବ। ପାଠପଢ଼ା ଓ ପିଲାଙ୍କ ମଧ୍ୟରେ ଅର୍ଥ ବାଧକ ସାଜିବ ନାହିଁ। ମାଗଣାରେ ସବୁଠାରୁ ଭଲ ଶିକ୍ଷା ଦିଆଯିବ। ଦିଲ୍ଲୀରେ ଏହି ବ୍ୟବସ୍ଥା ହୋଇଛି। ପଞ୍ଜାବରେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି।
ସରକାରୀ ସ୍କୁଲର ସୌନ୍ଦର୍ଯ୍ୟ କରଣ କରାଯିବ ଓ ଅଧିକ ସଂଖ୍ୟକ ସରକାରୀ ସ୍କୁଲ ଖୋଲାଯିବ। ସବୁ ଘରୋଇ ସ୍କୁଲର ଅଡିଟ ହେବ ଓ ଅଧିକ ଫି’ ନେଉଥିଲେ ଏହାର ଫେରସ୍ତ କରାଯିବ। ଅସ୍ଥାୟୀ ଶିକ୍ଷକଙ୍କୁ ନିୟମିତ କରାଯିବ। ଶିକ୍ଷକମାନଙ୍କୁ କେବଳ ପାଠପଢ଼ାଇବା କାମ ଛଡ଼ା ଅନ୍ୟ କୌଣସି କାମରେ ନିୟୋଜିତ କରାଯିବ ନାହିଁ।” ଏହା ପୂର୍ବରୁ କେଜ୍ରିୱାଲ ମାଗଣା ବିଜୁଳି, ନିଯୁକ୍ତି ଓ ବେକାରୀ ଭତ୍ତା, ମହିଳା ଓ ଆଦିବାସୀଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି କହିଥିଲେ।

ad-week
Leave A Reply

Your email address will not be published.