ପାର୍ବଣ ପାଇଁ ମହାନଦୀ ଓ କାଠଯୋଡ଼ିରୁ ଉଠିଲା ମାଟି

add-all

କଟକ: ପାରମ୍ପରିକ ରୀତିନୀତିରେ କଟକ ସହରର ବିଭିନ୍ନ ପୂଜାମଣ୍ଡପ ଶାରଦୀୟ ଦୁର୍ଗାପୂଜା ପାଇଁ ପବିତ୍ର ମହାନଦୀ ଓ କାଠଯୋଡ଼ିରୁ ମାଟି ଉଠାଇଛନ୍ତି। କିଛି ମଣ୍ଡପ ଗତକାଲି ପବିତ୍ର ଜନ୍ମାଷ୍ଟମୀରେ ମାଟି ଉଠାଇ ଥିବା ବେଳେ ଅଧିକାଂଶ ମଣ୍ଡପ ଆଜି ପବିତ୍ର ନନ୍ଦୋତ୍ସଵରେ ମାଟି ଉଠାଇଛନ୍ତି।

ବିଶ୍ୱାସ ରହିଛି ଭଗବାନ ଶ୍ରୀକୃଷ୍ଣଙ୍କ ସହ ଜନ୍ମାଷ୍ଟମୀ ତିଥିରେ ଦୁର୍ଗତି ନାଶିନୀ ଦେବୀ ଦୁର୍ଗା ମଧ୍ୟ ଜନ୍ମ ନେଇଥିଲେ। ଆଜି ଯେଉଁମାନେ ମାଟି ଉଠାଇ ପାରି ନ ଥିବେ, ସେମାନେ ରାଧାଷ୍ଟମୀରେ ମାଟି ଉଠାଇ ମୂର୍ତ୍ତି ନିର୍ମାଣ କରିବାର ବିଧି ରହିଛି। ମହାକାଳୀ, ମହାଲକ୍ଷ୍ମୀ ଓ ମହା ସରସ୍ଵତୀ ଏହିଭଳି ତିନୋଟି ନାମ ଧରି ତିନି ଥର ମାଟି ଉଠାଯାଇ ଥାଏ।

ଏଥିପାଇଁ ପୂଜାମଣ୍ଡପର କର୍ମକର୍ତ୍ତାମାନେ ଘଣ୍ଟଘଣ୍ଟା, ମୃଦଙ୍ଗ, ଝାଞ୍ଜ କୀର୍ତ୍ତନ କରି ପୂଜା ମଣ୍ଡପରୁ ବାହାରି ଥିଲେ। ଯିଏ କର୍ତ୍ତା ସେ ଆଜିଠାରୁ ଶୁଦ୍ଧ ଚିତ୍ତରେ ସମସ୍ତପ୍ରକାର ରୀତିନୀତିରେ ରହିଥାନ୍ତି। ନଦୀକୂଳରେ ଦେବୀପୂଜକ ପୂଜାର୍ଚ୍ଚନା କରିବା ପରେ ପବିତ୍ର ମହାନଦୀ କିମ୍ବା କାଠଯୋଡ଼ିରୁ ମାଟି ଉଠାଯାଇଛି। ମାଟି ଉଠାଇବା ପରେ ସମସ୍ତ କର୍ମକର୍ତ୍ତା ପୁଣି ସେହିଭଳି ସଂକୀର୍ତ୍ତନ ସହ ପୂଜାମଣ୍ଡପରେ ପହଁଚି ଥିଲେ। ଆସନ୍ତା କାଲି ଠାରୁ ମୂର୍ତ୍ତି କାରିଗର ମୁଣ୍ମୟୀ ଦେବୀଙ୍କର ମୂର୍ତ୍ତି ନିର୍ମାଣରେ ଲାଗି ପଡିବେ।

ad-week
Leave A Reply

Your email address will not be published.