ନେତାଜୀ ବସ୍ ଟର୍ମିନାଲ୍‌ ନିର୍ମାଣ: ରିଂରୋଡ୍‌ ସମ୍ପ୍ରସାରଣ କାର୍ଯ୍ୟ ତଦାରଖ କଲେ ମେୟର୍‌ ଓ କମିସନର୍‌

add-all

କଟକ: କଟକ ମହାନଗର ନିଗମ (ସିଏମସି) ମେୟର୍‌ ସୁବାସ ସିଂହ ଓ କମିସନର ନିଖଳ ପବନ କଲ୍ୟାଣ ଶନିବାର ଅପରାହ୍ନରେ ଖାନନଗର ଠା‌ରେ ନିର୍ମାଣାଧୀନ ନେତାଜୀ ବସ୍‌ ଟର୍ମିନାଲର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏ ନେଇ କାମ କରୁଥିବା ଏଜେନ୍ସି ଓ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଆସନ୍ତା ୨୦୨୩ ସୁଦ୍ଧା‌ ନିର୍ମାଣ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ ସମ୍ପ୍ରସାରିତ ହେବାକୁ ଥିବା ରିଂରୋଡ୍‌ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଖୁବଶୀଘ୍ର ରିଂ ରୋଡ୍‌ ୬ ଲେନ୍‌ ହେବ ବୋଲି ମେୟର୍‌ ଶ୍ରୀ ସିଂହ ସୂଚନା ଦେଇଥିଲେ। ୬୫ କୋଟି ଟଙ୍କା ବ୍ୟୟରେ ନୂତନ ନେତାଜୀ ବସ୍‌ ଟର୍ମିନାଲକୁ ଗତ ଜୁନ ୧୧, ୨୦୨୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଥିଲେ। ମୋଟ୍‌ ୧୭ ଏକର ପରିମିତ ଜାଗାରୁ ୨ ଏକର ଜମିରେ ମାର୍କେଟ୍‌ କମ୍ପ୍ଲେକ୍ସ ପାଇଁ ରଖାଯାଇଥିବା ବେଳେ ଅବଶିଷ୍ଟ ୧୫ ଏକର ଜମିରେ ବସଷ୍ଟାଣ୍ଡ ନିର୍ମାଣ କାମ ଚାଲୁଛି। ବସଷ୍ଟାଣ୍ଡରେ ସରକାରୀ, ବେସରକାରୀ, ମୋ-ବସ୍‌ ରହିବା ପାଇଁ ବ୍ୟବସ୍ଥା ହୋଇଛି।

ଏହା ସହିତ ଯାତ୍ରୀମାନଙ୍କ ପାଇଁ ଆଶ୍ରୟସ୍ଥଳ, ପାନୀୟ ଜଳ ବ୍ୟବସ୍ଥା, ଅତ୍ୟାଧୁନିକ ଶୌଚାଳୟ ଆଦିର ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟରେ ୫୫୦ କୁଶଳୀ ଶ୍ରମିକ ନିୟୋଜିତ ହୋଇଛନ୍ତି। ରିଂରୋଡ୍‌ ସମ୍ପ୍ରସାରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ଉଚ୍ଛେଦ କାର୍ଯ୍ୟକୁ ସମ୍ପୂର୍ଣ୍ଣ, ବସ୍ତି ବାସିନ୍ଦାଙ୍କୁ ଥଇଥାନ, କ୍ଷତିଗ୍ରସ୍ତ ପରିବାରକୁ ସହାୟତା ପ୍ରଦାନ ଆଦି କାମକୁ ତ୍ୱରାନ୍ୱିତ କରାଯିବ ବୋଲି ମେୟର୍‌ କହିଥିଲେ। ଏହି ସମୀକ୍ଷାରେ ଡେପୁଟି ମେୟର୍‌ ଦମୟନ୍ତୀ ମାଝୀ, ଡେପୁଟି କମିସନର ଅଜୟ ମହାନ୍ତି, ଇଂଜିନିୟର ମାନସ ସେଠୀ, କର୍ପୋରେସନ୍‌ ପ୍ରୋଜେକ୍ଟ ମ୍ୟାନେଜର ନିକଳ ନନ୍ଦ, ତାପସ ଦାସ, ଆଶିଷ ଦାସ, ସ୍ବାସ୍ଥ୍ୟ କମିଟି ଅଧ୍ୟକ୍ଷା ଦୀପ୍ତିମୟୀ ମୁଳିଆ, କର୍ପୋରେଟର୍‌ ପ୍ରଦୀପ କିଶୋର ଖୁଣ୍ଟିଆ, ରାଜୀବ ମହାନ୍ତି, ଦେବେନ୍ଦ୍ର ପାଣିଗ୍ରାହୀ, ଜଗନ୍ନାଥ ସ୍ୱାଇଁ, ରାଜୀବ ମହାନ୍ତି, କାଳୀଚରଣ ପାଣିଗ୍ରାହୀ, ଜନ ଆଶିଷ ବରାଳ ପ୍ରମୁଖ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.