ଶ୍ରୀଲିଙ୍ଗରାଜଙ୍କ ରୋଷଘରେ ପଶି ପିଠା ଖାଇଦେଲା ଯୁବକ

add-all

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୁଣିଥରେ ନୀତି ମାରା ହୋଇଛି। ଜଣେ ଅଣ-‌ସେବାୟତ ସାର୍ଟପ୍ୟାଣ୍ଟ୍‌ ପିନ୍ଧି ରୋଷ ଘରେ ପଶି କୋଠ ଭୋଗ ଖାଇବାରୁ ଏପରି ଅଘଟଣ ଘଟିଛି। ଆଜିକୁ ମିଶାଇ ଚଳିତ ମାସରେ ମହାପ୍ରଭୁଙ୍କ ଚାରିଥର ନୀତି ବିଭ୍ରାଟ ହେବା ଘଟଣା ଭକ୍ତମହଲରେ ଅସନ୍ତୋଷ ସୃଷ୍ଟି କରିଛି।

ମିଳିଥିବା ସୂଚନାନୁଯାୟୀ, ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ହାପ୍‌ ପ୍ୟାଣ୍ଟ ଓ ସାର୍ଟ ପିନ୍ଧା ଜଣେ ଯୁବକ ମନ୍ଦିର ରୋଷଘର ଆଡ଼କୁ ଯାଇଥିଲା। ସେଠାରେ କୌଣସି ସେବାୟତଙ୍କୁ ନପାଇ ଭିତରକୁ ଚାଲି ଯାଇଥିଲା। ସେଠାରେ ଠାକୁରଙ୍କ ସନ୍ଧ୍ୟା ଧୂପ ପାଇଁ ରଖାଯାଇଥିବା ପିଠା ଖାଇଥିଲା। ସେତିକିବେଳେ ରୋଷଘରକୁ ଯାଇଥିବା କୋଠ ମହାସୁଆର ସେବାୟତ କାବୁ ମହାସୁଆର ତାକୁ ଦେଖି ଚିତ୍କାର କରିଥିଲେ। ପାଟି ଶୁଣି ଅନ୍ୟ ସେବାୟତ ଓ ମନ୍ଦିର ସୁପରଭାଇଜର୍‌ ରାଜକିଶୋର ମହାପାତ୍ର ସେଠାରେ ପହଞ୍ଚି ତାକୁ କାବୁ କରି ମନ୍ଦିର ଫାଣ୍ଡି ପୁଲିସକୁ ହସ୍ତାନ୍ତର କରିଥିଲେ। ମନ୍ଦିରର ରୋଷ ମାରା ହେବାରୁ ଚୂନ ପାଣି ଚିଞ୍ଚାଯାଇ ଧୋକାଳ ତଥା ରୋଷ ଶୁଦ୍ଧି କରାଯାଇଥିଲା। କୋଠ ଭୋଗ ସହ ସନ୍ଧ୍ୟା ଧୂପ ଭୋଗ, ବଡ଼ସିଂହାର ଭୋଗ ମାରା ହେବାରୁ ପୁଣି ପିଠା ତିଆରି ପାଇଁ ସମୟ ଲାଗିଥିଲା। ଫଳରେ ମହାପ୍ରଭୁଙ୍କ ନୀତି ଅଢ଼େଇ ଘଣ୍ଟା ବିଳମ୍ବ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଗତ ୧୩ ତାରିଖରେ ମନ୍ଦିରରେ ଏକ କୁକୁର ପଶିଯିବାରୁ ଠାକୁରଙ୍କ ନୀତି ବିଭ୍ରାଟ ହେବା ମାରା ହୋଇଥିବା ୩୦ ହଜାର ଟଙ୍କା ଭୋଗକୁ ନଷ୍ଟ କରାଯାଇଥିଲା। ଶ୍ରୀଜିଉଙ୍କ ‘ବଡ଼ ଧୋକାଳ ମହାସ୍ନାନ’ କରାଯାଇ ମନ୍ଦିରକୁ ଶୁଦ୍ଧି କରାଯାଇଥିଲା। ସେହିପରି ଚଳିତ ଅଗଷ୍ଟ ମାସର ୨ତାରିଖ ପବିତ୍ରାରୋପଣ ବା ପଇତା ଲାଗି ପାଇଁ ବିନ୍ଦୁସାଗରରେ ପଇତାକୁ ଧୁଆ ନହେବାରୁ ୪ଘଣ୍ଟା ମନ୍ଦିରରେ ନୀତି ବିଳମ୍ବ ହୋଇଥିଲା। ଏହାର ପରଦିନ ୩ ଅଗଷ୍ଟରେ ପବିତ୍ରାରୋପଣ ଦିବସରେ ପଇତା ଲାଗି ନହୋଇ ନୀତି ବିଭ୍ରାଟ ଦେଖା ଦେଇଥିଲା। ସେଦିନ ଠାକୁର ଦିନ ତମାମ ଉପବାସ ରହିଥିଲେ।

ad-week
Leave A Reply

Your email address will not be published.