
ଲକ୍ଷ୍ନୌ: ପତ୍ନୀ ସହ ମନୋମାଳିନ୍ୟ ଉପୁଜିବାରୁ ସ୍ୱାମୀ ଘର ଛାଡ଼ି ଗଛ ଉପରେ ରହୁଛନ୍ତି। ଦିନେ ନୁହେଁ କି ଦୁଇଦିନ ନୁହଁ ମାସେ ହେବ ଏକ ୮୦ ଫୁଟ୍ ତାଳ ଗଛ ଉପରେ ରହୁଛନ୍ତି ସମ୍ପୃକ୍ତ ବ୍ୟକ୍ତି। ଉତ୍ତରପ୍ରଦେଶର ମାଉ ଜିଲ୍ଲାର କୋପାଗଞ୍ଜ ଅଞ୍ଚଳରୁ ଏମିତି ବିଚିତ୍ର ଦୃଷ୍ୟ ଆସିଛି। ସ୍ତ୍ରୀ ଉପରେ ରାଗି ଗଛ ଉପରେ ରହୁଥିବା ବ୍ୟକ୍ତି ଜଣକ ହେଲେ ୪୨ ବର୍ଷୀୟ ରାମ ପ୍ରଭେଶ । ଗତ ୬ ମାସ ହେଲା ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପାରିବାରିକ କଳହ ଲାଗି ରହିଛି। ଉଭୟଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ହେବା ସହ ତାଙ୍କ ସ୍ତ୍ରୀ ତାଙ୍କୁ ପିଟୁଥିବା ସେ ଅଭିଯୋଗ କରିଛନ୍ତି। ପତ୍ନୀର ନିର୍ଯାତନା ତାଙ୍କ ପାଇଁ ଅସହ୍ୟ ହୋଇପଡ଼ିଥିଲା । ସ୍ତ୍ରୀ ଉପରେ ସେ ଏତେ ରାଗିଯାଥିଲେଯେ, ଘର ଛାଡ଼ି ଗଛ ଉପରେ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେଣୁ ସେ ଏକ ତାଳ ଗଛ ଉପରେ ମଞ୍ଚା କରି ରହି ଆସୁଛନ୍ତି।
ପରିବାର ଲୋକେ ରାମଙ୍କ ପାଇଁ ଖାଦ୍ୟ ଓ ପାଣି ବ୍ୟବସ୍ଥା ସେଇ ଗଛରେ କରିଦିଅନ୍ତି। ଏକ ଦଉଡ଼ି ସହାୟତାରେ ଖାଦ୍ୟ ଟିଫିନ୍ ଓ ପାଣି ଝୁଲାଇ ଦିଅନ୍ତି। ଏହା ପରେ ସେଇ ଦଉଡ଼ିକୁ ରାମ ଟାରିନେଇ ଉପରେ ଖାଆନ୍ତି। ଗ୍ରାମବାସୀଙ୍କ କହିବାନୁସାରେ, ରାମ ପ୍ରଭେଶ ରାତିରେ କିଛି ସମୟ ପାଇଁ ଗଛ ତଳକୁ ଓହ୍ଲାଇ ଆସନ୍ତି। ପୁଣି ଶୌଚ କାମ ସାରି ନଡ଼ିଆ ଗଛକୁ ଚଢ଼ି ଯାଆନ୍ତି। ଗ୍ରାମବାସୀମାନେ ତାଙ୍କୁ ଗଛ ତଳକୁ ଓହ୍ଲାଇ ଅସିବାକୁ ବହୁ ନିବେଦନ କରିଛନ୍ତି। ହେଲେ ରାମ ପ୍ରଭେସ ମନା କରିଦିଅନ୍ତି। ଏହା ପରେ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ । ଯେତେ ଅନୁରୋଧ କରିବା ସତ୍ତ୍ୱେ ରାମ ପ୍ରଭେଶ ନ ଓହ୍ଲାଇବାରୁ ଲୋକେ ତାଙ୍କର ଭିଡିଓ ପ୍ରସ୍ତୁତ କରି ଚାଲିଲେ।
ଗାଁ ମୁଖିଆ ଦୀପକ କୁମାର କହିଛନ୍ତି, ତାଳ ଗଛରେ ସେ ରହୁଥିବାରୁ ଗ୍ରାମବାସୀ ବିରୋଧ କରିଥିଲେ । କାରଣ ପାଖରେ ଅନେକ ଘର ରହିଛି। ତେଣୁ ସେ ଉପରେ ରହି ସବୁ ଦେଖୁଛନ୍ତି। ନିଜର ଗୋପନୀୟତା ହନନ ନେଇ ଗାଁର ଅନେକ ମହିଳା ତାଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ଆମେ ପୁଲିସକୁ ଏ ବିଷୟରେ ଜଣାଇଥିଲୁ । କିନ୍ତୁ ସେମାନେ ଆସି ଏକ ଭିଡିଓ କ୍ଲିପ କରି ଚାଲିଗଲେ। ରାମ ପ୍ରଭେଶଙ୍କ ବାପା ଶ୍ରୀକୃଷ୍ଣ ରାମ କହିଛନ୍ତି ଯେ, ପ୍ରତିଦିନ ବିଭିନ୍ନ ସ୍ଥାନରୁ ତାଙ୍କ ପୁଅକୁ ଦେଖିବାକୁ ଭିଡ଼ ଜମୁଛି।