ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧,୮୦୦ କୋଟି ଟଙ୍କା: ଟ୍ରଷ୍ଟ୍‌

youtube

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣରେ ପ୍ରାୟ ୧୮୦୦ କୋଟି ଟଙ୍କା ବ୍ୟୟ ହେବ ବୋଲି ରବିବାର ଦିନ ନିର୍ମାଣ କାର୍ଯ୍ୟ କରୁଥିବା ଟ୍ରଷ୍ଟ୍‌ର ଅଧିକାରୀମାନେ କହିଛନ୍ତି।
ସୂଚନାଯୋଗ୍ୟ, ସୁପ୍ରିମ୍‌ କୋର୍ଟଙ୍କ ଆଦେଶକ୍ରମେ ଉତ୍ତର ପ୍ରଦେଶର ପବିତ୍ର ଅଯୋଧ୍ୟା ନଗରୀରେ ମନ୍ଦିର ତୋଳିବା ପାଇଁ ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍‌’ ଗଠିତ ହୋଇଥିଲା। ବାରମ୍ବାର ବୈଠକ ବସାଯାଇ ମନ୍ଦିର ନିର୍ମାଣ ନିମନ୍ତେ ରୀତିନୀତି ଏବଂ ମାନୁଆଲ୍‌ ଅନୁମୋଦନ କରାଯାଇଥିଲା।
ମନ୍ଦିର ବେଢ଼ାରେ ଯଶସ୍ବୀ ହିନ୍ଦୁ ସାଧୁସନ୍ଥମାନଙ୍କର ପ୍ରତିମା ନିର୍ମାଣ କରିବା ଲାଗି ସ୍ଥାନ ଚୟନ କରିବା ଲାଗି ସର୍ବସମ୍ମତିକ୍ରମେ ଫୈଜାବାଦ୍‌ ସର୍କିଟ୍‌ ହାଉସ୍‌ରେ ଆୟୋଜିତ ବୈଠକରେ ସ୍ଥିର କରାଯାଇଥିଲା।
ବିଶେଷଜ୍ଞମାନେ ଫାଇଲ୍‌ କରିଥିବା ରିପୋର୍ଟ ଆଧାରରେ ଟ୍ରଷ୍ଟ ଆକଳନ କରିଛି ଯେ, କେବଳ ରାମ ମନ୍ଦିର ନିର୍ମାଣ କରିବା ଲାଗି ୧୮୦୦ ‌କୋଟି ଟଙ୍କା ବ୍ୟୟ ହେବ।
ଦୀର୍ଘ ବିଚାରବିମର୍ଶ ଓ ସମସ୍ତଙ୍କ ମତ ପ୍ରତି ଦୃଷ୍ଟି ଦିଆଯାଇ ଟ୍ରଷ୍ଟ୍‌ର ନିୟମାବଳୀ ଓ ‘ବାଇଲ’ ଚୂଡ଼ାନ୍ତ ହୋଇଥିବା କଥା ଟ୍ରଷ୍ଟ୍‌ର ସାଧାରଣ ସମ୍ପାଦକ ଚମ୍ପତ୍‌ ରାୟ କହିଛନ୍ତି।
ଟ୍ରଷ୍ଟ୍‌ର ୧୫ଜଣ ସଦସ୍ୟଙ୍କ ମଧ୍ୟରୁ ଏହି ବୈଠକରେ ୧୪ଜଣ ଯୋଗ ଦେଇଥିବା କଥା ସେ କହିଛନ୍ତି। ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର, ଟ୍ରଷ୍ଟ୍‌ ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ, କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି, ସଦସ୍ୟ ଉଦୁପି ପୀଠାଧୀଶ୍ବର ବିଶ୍ବତୀର୍ଥ ପ୍ରସନ୍ନାଚାର୍ଯ୍ୟ ଡକ୍ଟର ଅନୀଲ ମିଶ୍ର, ମହନ୍ତ ଦିନେନ୍ଦ୍ର ଦାସ, କାମେଶ୍ବର ଚୌପାଲ୍‌ ଏବଂ ଜିଲ୍ଲାପାଳ ନୀତୀଶ କୁମାର ଆଦି ପ୍ରତ୍ୟକ୍ଷଭାବେ ଉକ୍ତ ବୈଠକରେ ଉପସ୍ଥିତ ଥିବା ବ‌େଳେ କେଶବ ପରାସରଣ, ଯୁଗପୁରୁଷ ପରମାନନ୍ଦ, ବି‌ମଳେନ୍ଦ୍ର ମୋହନ ପ୍ରତାପ ମିଶ୍ର, ରାଜ୍ୟ ଗୃହ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ଭର୍ଚ୍ୟୁଆଲ୍‌ ଭାବେ ଯୋଗ ଦେଇଥିଲେ।

Leave A Reply

Your email address will not be published.