ପାର୍ଥଙ୍କ ଲିଙ୍କରେ ୧୦୦ କୋଟିରୁ ଅଧିକ ସମ୍ପତ୍ତି ଜବତ କଲାଣି ଇଡି

add-all

କୋଲକାତା: କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର ବିରୋଧରେ ପଶ୍ଚିମବଙ୍ଗ ବିଧାନସଭା ଗୋଟିଏ ସଂକଳ୍ପ ପାରିତ କରିଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସାଂଘାତିକ ତଥ୍ୟ ଦେଇଛି। ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଫସି ଗିରଫ ହୋଇଥିବା ପୂର୍ବତନ ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ଲିଙ୍କ ଥିବା ପ୍ରାୟ ୧୦୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଇତି ମଧ୍ୟରେ ଜବତ କରାଯାଇ ସାରିଥିବା ଇଡି କହିଛି।
ଏହା ମଧ୍ୟରେ ନଗଦ ଟଙ୍କାର ମୂଲ୍ୟ ୫୦ କୋଟି। ଏହି ନଗଦ ଟଙ୍କା ପାର୍ଥଙ୍କ ଘନିଷ୍ଠ ତଥା ଅଭିନେତ୍ରୀ ଅର୍ପିତା ଚାଟାର୍ଜୀଙ୍କ ବାସଭବନରୁ ଜବତ କରାଯାଥିଲା ବୋଲି ଇଡି ତା’ର ଚାର୍ଜଶିଟରେ ଉଲ୍ଲେଖ କରିଛି। ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ଇଡି ସୋମବାର ତା’ର ପ୍ରଥମ ଚାର୍ଜଶିଟ କୋର୍ଟରେ ଦାଖଲ କରିଛି।
ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ କେନ୍ଦ୍ରୀୟ ଏଜେନ୍ସି ବିରୋଧରେ ଗୋଟିଏ ସଂକଳ୍ପ ପାରିତ ହୋଇଥିବା ବେଳେ ସେହିଦିନ ହିଁ ଇଡି ଚାର୍ଜଶିଟ ଦାଖଲ କରିଛି। ଚାର୍ଜଶିଟରେ ପାର୍ଥ, ଅର୍ପିତା ଓ ୬ଟି କମ୍ପାନୀକୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ବିପୁଳ ପରିମାଣର ଲାଞ୍ଚ ନେଇ ପାର୍ଥ ଆଣ୍ଡ କୋ ଯୋଗ୍ୟ ଆଶାୟୀଙ୍କ ବଦଳରେ ଅଯୋଗ୍ୟ ଲୋକଙ୍କୁ ବିଭିନ୍ନ ସ୍କୁଲରେ ଶିକ୍ଷକ ଭାବେ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି।
ସୋମବାର ମମତା ବାନାର୍ଜୀ କେନ୍ଦ୍ରୀୟ ଏଜେନ୍ସିର ଯାଞ୍ଚକୁ ନେଇ ସମସ୍ତଙ୍କୁ ଚିକିତ କରିବା ଭଳି ବୟାନ ରଖିଥିଲେ। କେନ୍ଦ୍ରୀୟ ଏଜେନ୍ସିର ଯାଞ୍ଚ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ଥିବା ଅଭିଯୋଗ କରାଯାଉଛି। ହେଲେ ମୋଦିଙ୍କୁ ସୋମବାର ମମତା ଦୋଷମୁକ୍ତ କରିଛନ୍ତି। ଏସବୁ କେନ୍ଦ୍ରୀୟ ଏଜେନ୍ସିର ନାଲି ଆଖି ପଛରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହାତ ଥିବା ସେ ଦାବି କରିଛନ୍ତି।
ମମତା କହିଥିଲେ “ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଜାଣି ନଥିବେ ଯେ ସିବିଆଇ ଆଉ ପିଏମଓକୁ ରିପୋର୍ଟ କରୁନାହିଁ। ସଂସ୍ଥା ସିଧାସଳଖ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ କାମ କରୁଛି। କିଛି ବିଜେପି ନେତା ଷଡ଼ଯନ୍ତ୍ର କରୁଛନ୍ତି ଓ ସେମାନେ ସବୁବେଳେ ନିଜାମ ପ୍ୟାଲେସ ଯାଉଛନ୍ତି।” ମମତା ନିଜ ବୟାନ ଜରିଆରେ ମୋଦିଙ୍କୁ ଦୋଷମୁକ୍ତ କରି ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି।
ମମତା ବୟାନ ଦେଉଥିବା ବେଳେ ଇଡି ପାର୍ଥ ଆଣ୍ଡ କୋ ବିରୋଧରେ ଚାର୍ଜଶିଟ ଦାଖଲ କରିଥିଲା। ଇଡି ପକ୍ଷରୁ ୪୦ଟି ସ୍ଥାବର ସମ୍ପତ୍ତି ଜବତ କରାଯାଇଛି। ଏହା ମଧ୍ୟରେ ଗୋଟିଏ ଫାର୍ମ ହାଉସ ଓ କୋଲକାତାର ପ୍ରମୁଖ ସ୍ଥାନରେ କିଛି ଜମି ରହିଛି। ଏଗୁଡ଼ିକର ମୂଲ୍ୟ ୪୦.୩୩ କୋଟି ହେବ। ଏହାବାଦ ୩୫ଟି ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ୭.୮୯ କୋଟି ଟଙ୍କାକୁ ମଧ୍ୟ ଇଡି ଫ୍ରିଜ୍‌ କରିଛି।
ଏସବୁ ସମ୍ପତ୍ତିର ମାଲିକାନା ଅର୍ପିତା ଓ ପାର୍ଥଙ୍କ ନାଁରେ ରହିଥିଲା। ଏହାପୂର୍ବରୁ ଇଡି ରେଡ୍‌ ବେଳେ ଅର୍ପିତାଙ୍କ ଦୁଇଟି ଠିକଣାରୁ ନଗଦ ୪୯.୮୦ କୋଟି ଟଙ୍କା ଓ ୫.୦୮ କୋଟି ଟଙ୍କାର ସୁନା ଅଳଙ୍କାର ଜବତ କରିଥିଲା। ଏହାକୁ ମିଶାଇ ଏଯାଏ ମୋଟ ୧୦୩.୧୦ କୋଟି ମୂଲ୍ୟର ସମ୍ପତ୍ତି ଜବତ ହୋଇଥିବା ଇଡି କହିଛି।
ପାର୍ଥ ଓ ଅର୍ପିତାଙ୍କୁ ଇଡି ଜୁଲାଇ ୨୩ରେ ଗିରଫ କରିଥିଲା। ଏବେ ତାଙ୍କୁ ପାର୍ଥଙ୍କୁ ଶିକ୍ଷକ ନିଯୁକ୍ତି ଘଟଣାରେ ସିବିଆଇ ମଧ୍ୟ ଜେରା ଆରମ୍ଭ କରିଛି।

ad-week
Leave A Reply

Your email address will not be published.