ପୋଖରୀରେ ବୁଡ଼ି ଶିଶୁକନ୍ୟା ମୃତ

add-all

ଦେବଗଡ଼଼: ଘର ଅଗଣାରେ ଥିବା ପୋଖରୀରେ ବୁଡ଼ି ଜଣେ ୪ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରିଆମାଳ ଥାନା ତେନ୍ତଳାବାହଳ ଗ୍ରାମ ପଂଚାୟତର ରେଙ୍ଗାଲନାଳୀ ଗ୍ରାମରେ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ରିଆମାଳ ବ୍ଲକ କୋହ୍ଲବସା ଗ୍ରାମପଂଚାୟତ ଅନ୍ତର୍ଗତ ଅର୍ଜୁନଝରି ଗ୍ରାମର ବସନ୍ତ ସୁହୁଳାଙ୍କ ପତ୍ନୀ ସରୋଜିନୀ ଅସୁସ୍ଥ ବାପାଙ୍କୁ ଦେଖିବା ପାଇଁ ରେଙ୍ଗାଲନାଳୀ ସ୍ଥିତ ବାପଘରକୁ ଆସିଥିଲେ। ମଧ୍ୟାହ୍ନରେ ସେ ଘର ଅଗଣାରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇ ସାରି ଘରକୁ ଫେରିବା ପରେ ସେ ଝିଅ ଶର୍ମିଲା ସୁହୁଳା(୪) ଘରେ ନଥିବା ଦେଖି ବିଭିନ୍ନ ସ୍ଥାନରେ ଖୋଜିଥିଲେ। ମାତ୍ର ଶର୍ମିଲାଙ୍କର କୌଣସି ସନ୍ଧାନ ନମିଳିବାରୁ ତାଙ୍କ ମନରେ ପାପ ଛୁଇଁଥିଲା। ପରିବାର ଲୋକଙ୍କ ସହ ସେ ପୋଖରୀକୁ ଯାଇ ଖୋଜିବାରୁ ପାଣି ଭିତରେ ଶର୍ମିଲାଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଶର୍ମିଲାଙ୍କୁ ତତ୍‍କ୍ଷଣାତ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସରୋଜିନୀ ଗାଧୋଇବାକୁ ପୋଖରୀକୁ ଯିବା ବେଳେ ତାଙ୍କ ଅଜାଣତରେ ଶିଶୁ ଶର୍ମିଲା ହୁଏତ ପୋଖରୀକୁ ଯାଇଥିବା ଏବଂ ପାଣିରେ ପଶିବା ବେଳେ ସେ ବୁଡିଯାଇଥିବା ପରିବାର ଲୋକ ଅନୁମାନ କରୁଛନ୍ତି। ଏ ଘଟଣା ପ୍ରଚାରିତ ହେବାପରେ ସମ୍ପୃକ୍ତ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.