
କୁଲୁ: ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଟେମ୍ପୋ ଟ୍ରାଭେଲର ବା ମିନି ବସ୍ ଘାଟିରୁ ନିକଟସ୍ଥ ଖାତକୁ ଖସିପଡ଼ିବାରୁ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, କୁଲୁ ଜିଲ୍ଲା ଅନ୍ତର୍ଗତ ବଞ୍ଜାର ଡିଭିଜନର ଘିୟାଗି ଅଞ୍ଚଳରେ ରବିବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଗାଡ଼ିରେ ଡ୍ରାଇଭରଙ୍କୁ ମିଶାଇ ମୋଟ ୧୭ ଜଣ ଲୋକ ରହିଥିଲେ। ଗାଡ଼ିଟି ଏନଏଚ୍ ୩୦୫ରେ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ନିକଟସ୍ଥ ଘାଇକୁ ଖସି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମିନି ବସ୍ଟି ସଂପୂର୍ଣ୍ଣ ରୂପେ ଚୂରମାର ହୋଇଯାଇଛି। ସେହିପରି ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ଘଟିଛି।
ଖବର ପାଇ ପୁଲିସ୍, ହୋମଗାର୍ଡ ଓ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ବାଧା ଦେଖାଯାଇଥିଲା। ହେଲେ ବସ୍ ମଧ୍ୟରୁ ବହୁ ସଂଘର୍ଷ ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବଞ୍ଜାର ହସ୍ପିଟାଲକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ୭ ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।
ଏହାପରେ ଅନ୍ୟ ୧୦ ଜଣ ଆହତଙ୍କ ମଧ୍ୟରୁ ୫ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କୁଲୁକୁ ପଠାଇ ଦିଆଯାଇଛି। ବସ୍ରେ ମଧ୍ୟପ୍ରଦେଶ, ରାଜସ୍ଥାନ, ହରିଆଣା ଓ ଦିଲ୍ଲୀର ଲୋକମାନେ ରହିଥିଲେ। କିନ୍ତୁ ସେମାନେ କୁଆଡ଼େ ଯାଇଥିଲେ ଓ କେଉଁଠୁ ଫେରୁଥିଲେ ସେକଥା ଏଯାଏ ପ୍ରଶାସନ ସାର୍ବଜନୀନ କରିନାହିଁ। ଅନ୍ଧାର ସତ୍ତ୍ୱେ ପ୍ରଶାସନ ଓ ସ୍ଥାନୀୟ ଲୋକ ଦୁର୍ଘଟଣାଗ୍ରସ୍ତ ବସ୍ ମଧ୍ୟରୁ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ ଆଣିଥିବାରୁ ବଞ୍ଜାର ବିଧାୟକ ସୁରେନ୍ଦ୍ର ସୌରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।