ନୂଆ ରାଜନୈତିକ ଦଳ ଗଠନ କଲେ ଗୁଲାମ୍‌ ନବୀ ଆଜାଦ୍; ନାଁ ରଖିଲେ ‘ଡେମୋକ୍ରାଟିକ୍‌ ଆଜାଦ୍‌ ପାର୍ଟି’

add-all

ଜମ୍ମୁ: ପୂର୍ବତନ କଂଗ୍ରେସ ନେତା ଗୁଲାମ୍‌ ନବୀ ଆଜାଦ୍‌ ଆଜି ତାଙ୍କର ନୂଆ ରାଜନୈତିକ ଦଳର ନାମ (ଡେମୋକ୍ରାଟିକ୍‌ ଆଜାଦ୍‌ ପାର୍ଟି) ଘୋଷଣା କରିବା ସହିତ ଦଳର ପତାକା ମଧ୍ୟ ଉନ୍ମୋଚନ କରିଛନ୍ତି।
କଂଗ୍ରେସଠାରୁ ସମ୍ପର୍କ ଛିନ୍ନ କରିବାର ପ୍ରାୟ ମାସେ ପରେ ଆଜି ଆଜାଦ୍‌ ତାଙ୍କ ନିଜସ୍ବ ନୂଆ ରାଜନୈତିକ ଦଳର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଆଜି ଜମ୍ମୁରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ସେ କହିଲେ, ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମ ନିକଟରେ ମୁଁ କୃତଜ୍ଞ। ଆମେ ସ୍ବାଧୀନ ଚିନ୍ତା ଓ ଆଦର୍ଶରେ ଅନୁପ୍ରାଣିତ ହେଉଥିବାରୁ ଏ ଦଳଟି ଗୋଟାଏ ଗଣତାନ୍ତ୍ରିକ ଦଳ ହେବ।
ଉର୍ଦ୍ଦୁ ଓ ସଂସ୍କୃତ ଭାଷାରେ ମୋ ନୂଆ ଦଳ ନିମନ୍ତେ ପ୍ରାୟ ୧୫୦୦ ନାଁ ଆସିଥିଲା। ହିନ୍ଦୀ ଓ ଉର୍ଦ୍ଦୁର ମିଶ୍ରଣ ହେଉଛି ‘ହିନ୍ଦୁସ୍ତାନୀ’। ଆମେ ଚାହୁଁଥିଲୁ ନାଁଟି ଗଣତାନ୍ତ୍ରିକ, ଶାନ୍ତିପୂର୍ଣ୍ଣ ଏବଂ ସ୍ବାଧୀନ ହେଉ। ଆମ ରାଜନୀତି ଜାତି ଅଥବା ଅଞ୍ଚଳଭିତ୍ତିକ ହେବନାହିଁ।
ଆଜି ସାମ୍ବାଦିକ ସମ୍ମିଳନୀ ଡକାଇ ତାଙ୍କର ନୂତନ ରାଜନୈତିକ ଦଳ ଉନ୍ମୋଚନ କରିବା ପୂର୍ବରୁ ରବିବାର ଦିନ ଗୁଲାମ୍‌ ନବୀ ଆଜାଦ୍‌ କର୍ମୀ ଓ ନେତାମାନଙ୍କ ସହିତ କଥାବାର୍ତ୍ତା କରିଥିଲେ।
ସେ କହିଛନ୍ତି, ନୂଆ ଦଳ ଗଠନ ନିମନ୍ତେ ଆମେ ଅନ୍ୟ କୌଣସି ଦଳର ପରାମର୍ଶ ନେଇ ନାହୁଁ। ମୋ ଦଳ ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ।
ଆଗରୁ କଂଗ୍ରେସ ପରିତ୍ୟାଗ କରିବା ପରେ ଜମ୍ମୁରେ ତାଙ୍କର ପ୍ରଥମ ସାଧାରଣ ସଭାରେ ଘୋଷଣା କରିଥିଲେ କି, ସେ ନିଜସ୍ବ ରାଜନୈତିକ ଦଳ ଆରମ୍ଭ କରିବେ। ସେ ଦଳ ପୂର୍ଣ୍ଣ ରାଜ୍ୟତ୍ବ ପ୍ରାପ୍ତି ଉପରେ ଧ୍ୟାନ ଦେବ।
ଦଳ ସାମଗ୍ରିକ ଭାବେ ଧ୍ବଂସ ହୋଇଯାଇଛି କହି ୭୩ ବର୍ଷିୟ ଆଜାଦ୍‌ ଅଗଷ୍ଟ ୨୬ ତାରିଖ ଦିନ କଂଗ୍ରେସ ପରିତ୍ୟାଗ କରିଥିଲେ। ରାହୁଲ୍‌ ଗାନ୍ଧୀ ଦଳର ସମଗ୍ର ପରାମର୍ଶ ବ୍ୟବସ୍ଥାକୁ ନଷ୍ଟ କରିଥିବା କଥା ମଧ୍ୟ ସେ କହିଥିଲେ।

ad-week
Leave A Reply

Your email address will not be published.