ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା, ଟମାଟୋ ମାଡ଼

youtube

ଭୁବନେଶ୍ୱର: ପୁରୀ ଜିଲ୍ଲା ୧୧ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାକୁ ନେଇ ତେଜିଲା ଆନ୍ଦୋଳନ । ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ଦାୟୀ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଏପରିକି ଏହି ଘଟଣାରେ ସମୀର ଦାଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ପ୍ରତିବାଦରେ ତାତିଛି ଛାତ୍ର କଂଗ୍ରେସ।

ଆଜି ୟୁନିଟ-୧ସ୍ଥିତ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖ ପାଲଟିଥିଲା ରଣକ୍ଷେତ୍ର ।  ଶତାଧିକ ଛାତ୍ର କଂଗ୍ରେସ କର୍ମୀ ସେଠାରେ ପହଞ୍ଚି ମନ୍ତ୍ରୀଙ୍କ ବିରୋଧରେ ନାରା ଦେଇଥିଲେ। ଏହାପରେ ସେମାନେ ମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଲକ୍ଷ୍ୟ କରି ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ। ପୁଲିସ୍‌ ପହଞ୍ଚି ସମସ୍ତ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି।

ଆସନ୍ତା ୭ ଦିନ ମଧ୍ୟରେ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନକୁ ଅଧିକ ଜୋରଦାର କରାଯିବା ସହ ନବୀନ ନିବାସ ଘେରାଉ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏନେଇ ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି, ପ୍ରଥମେ ମନ୍ତ୍ରୀ ସମୀର ଦାଶ ଇସ୍ତଫା ଦିଅନ୍ତୁ। ଏହାପରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । କାରଣ ସମୀର ଦାଶ ମନ୍ତ୍ରୀପଦରେ ଥିବା ପର୍ଯ୍ୟନ୍ତ ଉଚିତ ତଦନ୍ତ ହୋଇପାରିବନି। ଗଣଶିକ୍ଷା ମନ୍ତ୍ରୀଙ୍କ ଏପରି କାଣ୍ଡର କୁପ୍ରଭାବ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଉପରେ  ପ୍ରଭାବ ପଡ଼ିବ। ତେଣୁ ତୁରନ୍ତ ତାଙ୍କୁ ବହିଷ୍କାର କରାଯାଉ ।

ସୂଚନାଯୋଗ୍ୟ, ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟକୁ ନେଇ ତୁମ୍ବିତୋଫାନ ଆରମ୍ଭ ହୋଇ ଯାଇଥିବା ବେଳେ ଗତକାଲି  ଏକ ଅଡିଓ ଭାଇରାଲ ହୋଇଛି। ଉକ୍ତ ଅଡିଓରେ ଧର୍ମେନ୍ଦ୍ର ସାହୁ  ନିଜର ଜଣେ ବନ୍ଧୁଙ୍କ ସହ କଥା ହେବା ବେଳେ ମନ୍ତ୍ରୀ ସମୀର ଦାଶ ତାଙ୍କୁ ବହୁତ ମାନସିକ ନିର୍ଯାତନା ଦେଉଥିବା କହୁଥିବା ଶୁଣିବାକୁ ମିଳୁଛି। ଏପରିକି ଆତ୍ମହତ୍ୟା କଲେ ଏହା ପଛରେ ସମୀର ଦାଶ ଦାୟୀ ବୋଲି ସ୍ପଷ୍ଟ ଭାବ କହୁଛନ୍ତି।  ଏହାବାଦ ଧର୍ମେନ୍ଦ୍ର ସାହୁ ନିଜ ପତ୍ନୀ ଓ ଜଣେ କଣ୍ଟ୍ରାକ୍ଟରଙ୍କ ନାଁ ମଧ୍ୟ ନେଇଛନ୍ତି।

ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି  ଏହି ଘଟଣାର ଉପଯୁକ୍ତ ତଦନ୍ତ କରି ମନ୍ତ୍ରୀ ସମୀର ଦାସଙ୍କୁ ତୁରନ୍ତ ବହିଷ୍କାର କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏହାପରେ ଆଜି କଂଗ୍ରେସ ପକ୍ଷରୁ ଅଣ୍ଡା ଓ ଟମାଟୋ ମାଡ଼ ହୋଇଛି।

ବିରୋଧୀଙ୍କ ଏପରି ଆକ୍ରମଣ ପରେ ବିଜେଡି ସୁପ୍ରିମୋ ଗଣଶିକ୍ଷା ମନ୍ତ୍ରୀଙ୍କୁ ବାହାର ରାସ୍ତା ଦେଖାଉଛନ୍ତି ନା ପୂର୍ବ ମାମଲା ପରି ଚୁପଚାପ୍‌ ବସି ଯାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର। ହେଲେ ତୁରନ୍ତ ମନ୍ତ୍ରୀ ସମୀର ଦାଶଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କଂଗ୍ରେସ ଓ ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।

ନିଜ ଆତ୍ମହତ୍ୟା ପୂର୍ବରୁ ଫୋନ୍‌ରେ ସବୁ ଭିଡିଓ ରହିଛି ବୋଲି ଧର୍ମେନ୍ଦ୍ର ସାହୁ ପୋଷ୍ଟ କରି ଯାଇଥିଲେ। ଏହାପରେ ପୁଲିସ୍‌ ବହୁ ଖୋଜାଖୋଜି ପରେ ଘର ପାଖ ବିଲରୁ ତାଙ୍କ ଫୋନ୍‌ ଉଦ୍ଧାର କରିଥିଲା। ହେଲେ ଫୋନ୍‌ରେ କେଉଁ ତଥ୍ୟ ରହିଛି, ସେଥିରେ ତାଙ୍କ ମୃତ୍ୟୁ ପଛର ରହସ୍ୟ ଫିଟୁଛି କି ସେ ନେଇ ପାଟି ଫିଟାଉନି ପୁଲିସ୍‌।

Leave A Reply

Your email address will not be published.