ଯାଜପୁର CDMOଙ୍କୁ କଳାହାଣ୍ଡିକୁ ବଦଳି

youtube

ଯାଜପୁର: ଟେଣ୍ଡର ଫିକ୍ସିଂ ନକରିବାରୁ ବଦଳି। ଯାଜପୁରରୁ ସିଧା କଳାହାଣ୍ଡିକୁ ବଦଳି। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ବିରଞ୍ଚି ନାରାୟଣ ବାରିକଙ୍କୁ କଳାହାଣ୍ଡିକୁ ବଦଳି କରାଯାଇଛି। ଏକ ଠିକା ସଂସ୍ଥାର ଟେଣ୍ଡରକୁ ଖାରଜ କରିବା ପରେ ତାଙ୍କ ଉପରେ ଏପରି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଯାଜପୁର ଜିଲ୍ଲା ଡାକ୍ତରଖାନା କାର୍ଯ୍ୟାଳୟରେ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା ବେଳେ ସେ ଏଭଳି ମତ ପ୍ରକାଶ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଆଜି ସେ ଏ ନେଇ ଗଣମାଧ୍ୟମକୁ କହିଛନ୍ତି, ନିର୍ମଳ ପ୍ଲସ୍ ସ୍କିମ୍ ଅନ୍ତର୍ଗତ ଯାଜପୁର ଜିଲ୍ଲା ମେଡିକାଲ ଓ ଜିଲ୍ଲାରେ ଥିବା ଅନ୍ୟ ସରକାରୀ ମେଡିକାଲର ସଫେଇ ପାଇଁ ଟେଣ୍ଡର ଡକାଯାଇଥିଲା। ଏକ ଠିକା ସଂସ୍ଥା କାମ ନେବା ନିମନ୍ତେ ଟେଣ୍ଡର ଫାଇଲ୍ କରିଥିଲା। ଟେଣ୍ଡରରେ ସଫେଇ ଖର୍ଚ୍ଚ ମୂଲ୍ୟ ୨୦ ଲକ୍ଷ ଟଙ୍କା ଅଧିକ ରହିଥିଲା। ଯାହା ଅନ୍ୟ ଜିଲ୍ଲା ଅପେକ୍ଷା ବହୁତ ଅଧିକ ହୋଇଥିବାରୁ ସେ ଜିଲ୍ଲାପାଳଙ୍କ ଅନୁମତି ନେଇ ଏହି ଟେଣ୍ଡର ଆବେଦନକୁ ଖାରଜ କରିଥିଲେ। ଯାହାକୁ ନେଇ ତାଙ୍କ ଉପରେ ରାଜନୈତିକ ଚାପ ପଡ଼ିଥିଲା ଏବଂ ରାତାରାତି ସ୍ୱାସ୍ଥ୍ୟ ବିଭାଗ ତାଙ୍କୁ ବଦଳି କରିଛି। ସରକାରୀ ଭାବେ ତାଙ୍କ ନିକଟକୁ ବଦଳି ଚିଠି କରା ନ ଯାଇ ୱାଟ୍ସ ଆପ୍‌ରେ ନୋଟିସ୍ ପଠାଯାଇଛି। ଦୁର୍ନୀତିକୁ ପ୍ରଶୟ ନ ଦେବାରୁ ତାଙ୍କ ସହ ଏଭଳି ଘଟଣା ଘଟିଛି। ଯାହା ଅନ୍ୟାୟ।

KBK ଜିଲ୍ଲାରେ ସେ ପୂର୍ବରୁ ୧୦ ବର୍ଷ କାର୍ଯ୍ୟ କରିଛନ୍ତି। ନିର୍ଦ୍ଦେଶକ ଭାବେ ପଦୋନ୍ନତି ହେବା ବଦଳରେ ତାଙ୍କୁ ରାତିଅଧିଆ କଳାହାଣ୍ଡି ଯିବାକୁ ନିର୍ଦ୍ଦେଶ ହୋଇଛି। କିନ୍ତୁ ସେ ମାନସିକ ଚାପରେ ଥିବାରୁ ଛୁଟି ଆବେଦନ କରିଛନ୍ତି। ଇଚ୍ଛାକୃତ ଭାବେ ଅବସର ନେବେ ବୋଲି କହିଛନ୍ତି ସିଡିଏମ୍ଓ ଡ. ବିରଞ୍ଚି ନାରାୟଣ ବାରିକ। ସେପଟେ ଏହି ଘଟଣାକୁ ନେଇ ଯାଜପୁର ଜିଲ୍ଲା ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗର ପ୍ରତିକ୍ରିୟା ମିଳିପାରିନି।

Leave A Reply

Your email address will not be published.