ଠିକା ନିଯୁକ୍ତିର ଯୁଗ ଶେଷ, ନିୟମିତ ‌ହେବେ ୫୭ ହଜାରରୁ ଊର୍ଦ୍ଧ୍ବ ଚୁକ୍ତିଭିତ୍ତିକ କର୍ମଚାରୀ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଆଉ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ରହିବ ନାହିଁ । ଏଣିକି ସମସ୍ତ ନିଯୁକ୍ତି ଆରମ୍ଭରୁ ହିଁ ସ୍ଥାୟୀ ନିଯୁକ୍ତି ଭାବେ ପରିଗଣିତ ହେବ । ରାଜ୍ୟ କ୍ୟାବିନେଟ୍ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗ ସମାପ୍ତ ହୋଇଛି । ଫଳରେ ରାଜ୍ୟରେ ୫୭ହଜାର ସରକାରୀ ଠିକା କର୍ମଚାରୀ ନିୟମିତ ହେବେ । ଏହି ଘୋଷଣା ମାଧ୍ୟମରେ ଚୁକ୍ତିଭିତ୍ତିକ ନିଯୁକ୍ତି କର୍ମଚାରୀଙ୍କୁ ରାଜ୍ୟ ସରକାର ଆଗୁଆ ଦୀପାବଳି ଉପହାର ଦେଇଛନ୍ତି ।ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ଭିଡିଓ ବାର୍ତ୍ତାରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ସବୁଦିନ ପାଇଁ ଉଚ୍ଛେଦ କରାଯାଇଛି । ଓଡ଼ିଶାରେ ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗ ଶେଷ ହେଲା । ସବୁ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହେବ । ବହୁଦିନ ଧରି ଏହି ସୁଦିନକୁ ସେ ଅପେକ୍ଷା କରିଥିଲେ । ଆସନ୍ତାକାଲି ସରକାରଙ୍କ ପକ୍ଷରୁ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସଂକ୍ରାନ୍ତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ୫୭ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ। ଏଥିପାଇଁ ହାରାହାରି ୧୩୦୦କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ ହେବ ।

ଏହି ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ପରିବାର ପାଇଁ ଏହା ଆଗୁଆ ଦୀପାବଳି ।ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୦୦ ମସିହାରେ ସେ ଓଡ଼ିଶାର ସେବା କରିବାର ସୁଯୋଗ ପାଇବାବେଳେ ମହାବାତ୍ୟା ପରର ସ୍ଥିତି ଓ ଦୁର୍ବଳ ଆର୍ଥିକ ବ୍ୟବସ୍ଥା ତାଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା । ରାଜ୍ୟ ଓଭରଡ୍ରାଫ୍ଟରେ ଚାଲୁଥିଲା । ନିତିଦିନ ଖର୍ଚ୍ଚ ପାଇଁ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ଏହି ସମୟ ସେତେବେଳେ ଓଡ଼ିଶା ଅର୍ଥନୀତି ପାଇଁ କଳା ସମୟ ଥିଲା । ସୀମିତ ସମ୍ବଳ ଭିତରେ ରାଜ୍ୟର ବିକାଶ କରିବା ସବୁଠୁ ବଡ଼ ପ୍ରାଥମିକତା ଥିଲା । ସେତେବେଳେ ନିଯୁକ୍ତି ପୁରାପୁରି ବନ୍ଦ ଥିଲା । ସବୁ ପଦବୀ ଉଚ୍ଛେଦ କରିବାକୁ ପଡ଼ୁଥିଲା । ଏହା ବେଶ୍ କଷ୍ଟକର ଥିଲା। ରାଜ୍ୟର ପିଲାମାନେ ନିଯୁକ୍ତି ନପାଇ ହଇରାଣ ହେଉଥିଲେ । ଏହା ବହୁତ ଦୁଃଖ ଦେଉଥିଲା । ପ୍ରତିଦିନ ମନରେ ଚିନ୍ତା ଆସୁଥିଲା କେବେ ପରିସ୍ଥିତିରେ ଉନ୍ନତି ଆସିବ ଓ ପିଲାମାନେ ସ୍ଥାୟୀ ନିଯୁକ୍ତି ପାଇବେ ।ଆପଣମାନଙ୍କ ସହଯୋଗ ଓ ମହାପ୍ରଭୁଙ୍କ ଆଶୀର୍ବାଦରେ ଉତ୍ତର ଆର୍ଥିକ ପରିଚାଳନା ଓ ସୁଶାସନ ଜରିଆରେ ଧୀରେ ଧୀରେ ପରିସ୍ଥିତିରେ ଉନ୍ନତି ଆସିଲା । ୨୦୧୩ରୁ ଚୁକ୍ତିଭିତ୍ତିକ ନିଯୁକ୍ତି ଆରମ୍ଭ କଲୁ । ଏହା ସେତେବେଳେ ମୋ’ ପାଇଁ କଷ୍ଟକର ନିଷ୍ପତ୍ତି ଥିଲା । ଏବେ ଆମ ଅର୍ଥନୀତିରେ ଉନ୍ନତି ଆସିଛି । ବିକାଶ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି ।ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଚୁକ୍ତିଭିତ୍ତିକ କର୍ମଚାରୀମାନେ ବିଭାଗୀୟ ମୁଖ୍ୟ ଦପ୍ତର ସମ୍ମୁଖରେ ଏକଜୁଟ ହୋଇ ଖୁସି ମନାଇଛନ୍ତି । ଚୁକ୍ତିଭିତ୍ତିକ କର୍ମଚାରୀ ନେତା କହିଛନ୍ତି ଯେ, ଏହି ବ୍ୟବସ୍ଥା ଉଚ୍ଛେଦ ଦ୍ୱାରା ରାଜ୍ୟର ମୋଟ ୭୩ହଜାର କର୍ମଚାରୀ, ଶିକ୍ଷକ, ଜୁନିୟର ଶିକ୍ଷକ ଆଦି ଉପକୃତ ହେବେ । ଗତ ୧୩ତାରିଖରେ ମୁଖ୍ୟମନ୍ତ୍ରୀ ନିଜେ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ସହ ଆଲୋଚନା କରି ଏହି ବ୍ୟବସ୍ଥା ଉଚ୍ଛେଦ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ।

ad-week
Leave A Reply

Your email address will not be published.