ଭାରତ ଯୋଡ଼ୋ ଛାଡ଼ି ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ ରାହୁଲ ଗାନ୍ଧି

add-all

ଶିମଲା: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ହିମାଚଳପ୍ରଦେଶ ଗସ୍ତରେ ଯାଇ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ଏବେ ଭାରତ ଯୋଡ଼ୋ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧି ସମ୍ପୂର୍ଣ୍ଣ ଫୋକସ କରିଥିବା ବେଳେ ଏହାକୁ ଦିନକ ପାଇଁ ବାତିଲ କରି ପର୍ବତ ଇଲାକା ହିମାଚଳପ୍ରଦେଶରେ ଦଳ ପାଇଁ ପ୍ରଚାର କରିବେ। ଗୁଜରାଟ ନିର୍ବାଚନ ଲାଗି ରାହୁଲ ଗାନ୍ଧି ଦଳ ଲାଗି ଏଯାଏଁ ପ୍ରଚାର କରି ନଥିବାରୁ ତାଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକରୁ ପଡ଼ିଛି। ଗୁଜରାଟରେ ଡିସେମ୍ବର ୧ ଏବଂ ୫ରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ଗତକାଲି ତେଲେଙ୍ଗାନାରେ ପହଞ୍ଚିଥିଲା।
କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଯାତ୍ରା ଆଜି ମହାରାଷ୍ଟ୍ରରେ ପ୍ରବେଶ କରିବ। ଏଯାଏଁ ଏହି ଯାତ୍ରା ୬୧ ଦିନରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପଦେଶ ପାଇଁ ବିଜେପି ଲାଗି ପ୍ରଚାର କରିସାରିଛନ୍ତି। ତେବେ କଂଗ୍ରେସ ଶନିବାର ଏହି ନିର୍ବା‌ଚନ ଲାଗି ଇସ୍ତାହାର ପତ୍ର ଜାରି କରିଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଉପସ୍ଥିତିରେ କଂଗ୍ରେସର ନିର୍ବାଚନ ଇସ୍ତାହାର ଜାରି ହୋଇଛି। ଇସ୍ତାହାରରେ ଦରବୃଦ୍ଧି, ବେକାରୀ ସମସ୍ୟା ଏବଂ କର୍ମଚାରୀଙ୍କ ଅସୁବିଧା ପ୍ରସଙ୍ଗ ରହିଛି। ଇସ୍ତାହାରରେ ଦିଆଯାଇଥିବା ପ୍ରମୁଖ ପ୍ରତିଶ୍ରୁତି ହେଉଛି ରାଜ୍ୟରେ ପୁରୁଣା ପେନସନ୍‌ ଯୋଜନା ଲାଗୁ କରିବା ଏବଂ ୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା।

କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତ କର୍ମଚାରୀଙ୍କ ବକେୟା ମିଳିବ ଏବଂ ଠିକା କର୍ମଚାରୀଙ୍କୁ ୨ ବର୍ଷ ମଧ୍ୟରେ ନିୟମିତ କରାଯିବ। ଶିକ୍ଷା ଏବଂ ନିଯୁକ୍ତି ସଂକ୍ରାନ୍ତ ସମସ୍ତ ପ୍ରସଙ୍ଗ ପାଇଁ କଂଗ୍ରେସ ଏକ ଯୁବ କମିସନ ଗଠନ କରିବ ବୋଲି ଘୋଷଣା କରିଛି । ପୂର୍ବରୁ କଂଗ୍ରେସ ଦ୍ୱାରା ଘୋଷଣା ହୋଇଥିବା ୧୦ଟି ପ୍ରତିଶ୍ରୁତି ମଧ୍ୟ ଇସ୍ତାହାରରେ ରହିଛି। କଂଗ୍ରେସ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି , ୧୮ରୁ ୬୦ ବର୍ଷ ମଧ୍ୟରେ ମହିଳାଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ଏବଂ ଷ୍ଟାଟଅପ୍‌ ୟୁନିଟ୍‌ ପାଇଁ ପ୍ରତି ନିର୍ବାଚନମଣ୍ଡଳୀକୁ କଂଗ୍ରେସ ୧୦ କୋଟି ଟଙ୍କା ଦେବ ବୋଲି ପ୍ରତିଶ୍ରୁତି ଦେଇଛି।

ad-week
Leave A Reply

Your email address will not be published.