
ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ୍ ମଲ୍ଲିକଙ୍କ ବୈବାହିକ ଜୀବନ ଏବେ ଦୋ’ଛକିରେ ପହଞ୍ଚିଛି ବୋଲି ନିକଟରେ ଖବର ପ୍ରକାଶ ପାଇଥିଲା। ଗୋଟିଏ ସମୟରେ ଏହି ଦୁଇ କ୍ରୀଡ଼ାବିତ୍ଙ୍କ ସଂପର୍କ କ୍ରୀଡ଼ା ଦୁନିଆରେ ଆକର୍ଷଣୀୟ ରହୁଥିଲା। କିନ୍ତୁ ଏବେ ବିଚ୍ଛେଦ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିବା ବେଳେ ପରୋକ୍ଷରେ ଏ ସଂପର୍କରେ ମୁହଁ ଖୋଲିଛନ୍ତି ସାନିଆ।
ସାନିଆ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ କରିଥିବା ଏକ ପୋଷ୍ଟ୍ ସଭିଙ୍କ ଦ୍ବନ୍ଦ୍ବ ବଢ଼ାଇଛି। ସେ ତାଙ୍କ ଇନ୍ଷ୍ଟା ପୋଷ୍ଟ୍ରେ ଲେଖିଛନ୍ତି, ‘ଭଙ୍ଗା ହୃଦୟ ସବୁ କୁଆଡ଼େ ଗଲେ? ଆଲ୍ଲାଙ୍କୁ ପାଇବାକୁ? ’
ସାନିଆଙ୍କ ଏହି ପୋଷ୍ଟ୍ରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ଯେ ତାଙ୍କ ବିବାହ ବିଚ୍ଛେଦ ପ୍ରସଂଗରେ ଯେଉଁମାନେ ଗୁଜବ ପ୍ରଘଟ କରିଥିଲେ ଏହି ପୋଷ୍ଟ୍ ସେମାନଙ୍କ ଉଦ୍ଦେଶ୍ୟରେ।
କିଛି ଦିନ ତଳେ ସାନିଆ ତାଙ୍କ ପୁଅ ସହ ପୋଷ୍ଟ୍ ସେୟାର କରିଥିଲେ। ସେ ପୋଷ୍ଟ୍ ସେୟାର୍ କରି ଲେଖିଥିଲେ, ‘କଠିନ ଦିନ ମଧ୍ୟରେ ମିଳିଥିବା ଏକ ମୁହୂର୍ତ୍ତ।’
ତେବେ ସାନିଆ ଓ ସୋଏବ ଏଯାଏ ସେମାନଙ୍କ ବିଚ୍ଛେଦ ପ୍ରସଂଗରେ ମତ ରଖିନାହାନ୍ତି। ସାନିଆ ଓ ସୋଏବ୍ ୨୦୧୦ ଏପ୍ରିଲ୍ ୧୨ ତାରିଖରେ ହାଇଦ୍ରାବାଦ୍ସ୍ଥିତ ତାଜ୍ କ୍ରିଷ୍ଣା ହୋଟେଲ୍ରେ ପାରମ୍ପରିକ ହାଇଦ୍ରାବାଦୀ ମୁସଲିମ୍ ରୀତିରେ ବିବାହ କରିଥିଲେ। ୨୦୧୮ରେ ପୁତ୍ର ସନ୍ତାନ ଇଝାନ୍ଙ୍କୁ ଜନ୍ମ ଦେଇଥିଲେ। ତେବେ ନିକଟରେ ହୋଇଥିବା ଏକ ଗୁଜବ ଅନୁଯାୟୀ ସାନିଆ ଓ ସୋଏବ୍ ଖୁବ୍ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି।