‘ମୁଁ ନିଜେ ଆସି ନଥିଲି: ମୋଦି, ଅମିତ ଶାହଙ୍କ ଡାକରାରେ ବିଜେପିରେ ଯୋଗ ଦେଇଥିଲି’

Independence

ଅହମ୍ମଦାବାଦ: ଆସନ୍ତା ବିଧାନସଭା ନିର୍ବାଚନକୁ ନେଇ ଗୁଜରାଟ ରାଜନୀତି ସରଗରମ। ଭଦୋଦରା ଅନ୍ତର୍ଗତ ୱାଘୋଦିଆ ବିଧାୟକ ମଧୁ ଶ୍ରୀବାସ୍ତବଙ୍କୁ ବିଜେପିରୁ ଟିକେଟ ନମିଳିବା କାରଣରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି। ୬ ଥରର ବିଧାୟକ ଶ୍ରୀବାସ୍ତବ ଚଳିତ ନିର୍ବାଚନରେ ସ୍ୱାଧୀନ ଭାବେ ଲଢ଼ିବା ପାଇଁ ନିଷ୍ପତ୍ତି ନେଛନ୍ତି। ୨୫ ବର୍ଷ ପୂର୍ବେ ଏବେକାର ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ବିଜେପିର ପ୍ରମୁଖ ନେତା ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ଅନୁରୋଧ କ୍ରମେ ସେ ବିଜେପିରେ ମିଶିଥିବା କହିଛନ୍ତି। ଶ୍ରୀବାସ୍ତବ କହିଛନ୍ତି ଯେ ଏବେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଚାହିଁଲେ ବି କିଛି କରିପାରିବେନି। କାରଣ ଟିକେଟ ବଣ୍ଟନ ସମ୍ପର୍କରେ ସବୁ ନିଷ୍ପତ୍ତି ଦିଲ୍ଲୀରେ ସରିଛି। ଶ୍ରୀବାସ୍ତବ ଜଣେ ସ୍ଥାନୀୟ ବାହୁବଳି ତଥା ଶକ୍ତିଶାଳି ରାଜନେତା ଭାବେ ଜଣାଶୁଣା। ଗୁଜରାଟ ଦଙ୍ଗାରେ ତାଙ୍କ ସମ୍ପୃକ୍ତି ନେଇ ମାମଲା ହୋଇଥିଲା।

ଶ୍ରୀବାସ୍ତବ କହିଛନ୍ତି ଯେ, ସେ ଟିକେଟ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିନାହାନ୍ତି। ମୁଁ ସିଧାସଳଖ ମୋଦି ଏବଂ ଅମିତ ଶାହଙ୍କ ସହ ଯୋଗାଯୋଗ କରେ। କିନ୍ତୁ ଟିକେଟ କଟିବା ପରେ ମୁଁ ସେମାନଙ୍କ ସହ ଆଲୋଚନା କରିବାରକୁ ଅନୁଚିତ ମଣିଛି । ସ୍ୱାଧୀନ ଭାବେ ଜିତିବା ପରେ ଶ୍ରୀବାସ୍ତବ ୧୯୯୫ରେ ବିଜେପିରେ ଯୋଗ ଦେଇଥିଲେ। ପୂର୍ବରୁ ସେ ଓ ତାଙ୍କ ପରିବାର କଂଗ୍ରେସ ଓ ଜନତା ଦଳର ସଦସ୍ୟ ଥିଲେ। ସେ କହିଛନ୍ତି ଯେ, ମୁଁ ନିଜ ଇଚ୍ଛାରେ ବିଜେପିକୁ ଆସି ନଥିଲି । ୧୯୯୫ରେ ଯେତେବେଳେ ମୁଁ ବିପୁଳ ବ୍ୟବଧାନରେ ଜିତିଲି, ସେତେବେଳେ ନରେନ୍ଦ୍ର ମୋଦି ଏବଂ ଅମିତ ଶାହ ମୋତେ ବିଜେପିରେ ଯୋଗଦେବାକୁ ଅନୁରୋଧ କରିଥିଲେ।

ତେଣୁ ମୁଁ ପାର୍ଟିରେ ଯୋଗ ଦେଇଥିଲି ବୋଲି ସେ କହିଛନ୍ତି। ଶ୍ରୀବାସ୍ତବ କହିଛନ୍ତି ଯେ, ତାଙ୍କ ସ୍ଥାନରେ ଟିକେଟ୍ ପାଇଥିବା ଭଦୋଦରା ଜିଲ୍ଲା ବିଜେପି ମୁଖ୍ୟ ଅଶ୍ୱିନୀ ପଟେଲ କୌଶସି ନିର୍ବାଚନରେ ​​ମଧ୍ୟ ଜିତି ନାହାଁନ୍ତି। ମୁଁ ବିଜେପିର ସବୁ ପଦ ଛାଡ଼ିଦେଇଛି ବୋଲି ଶ୍ରୀବାସ୍ତବ କହିଛନ୍ତି।

ଏହି ମନ୍ତବ୍ୟ ଉପରେ ବିଜେପି ଏପର୍ଯ୍ୟନ୍ତ ପ୍ରତିକ୍ରିୟା ଦେଇନାହିଁ। ଶ୍ରୀବାସ୍ତବ ମଧୁଭାଇ ବାବୁଭାଇ ବୋଲି ମଧ୍ୟ କର୍ମୀ ସମ୍ବୋଧିତ କରନ୍ତି । ଜଣେ ବିଲଡର ଭାବେ କାର୍ଯ୍ୟରତ ମଧୁ ଶ୍ରୀବାସ୍ତବ ୨୦୦୨ ଗୋଧ୍ରା ଦଙ୍ଗାବେଳେ ବେଷ୍ଟ ବେକରୀ ମାମଲାରେ ଅଭିଯୁକ୍ତ ଥିଲେ । ବେଷ୍ଟ ବେକରୀ ଲୋମହର୍ଷକ ଘଟଣାରେ ୧୮ ଜଣ ମୁସଲିମଙ୍କୁ ଜିଅନ୍ତା ପୋଡ଼ି ଦେଇଥିଲେ ଦଙ୍ଗାକାରୀ । ଏହା ସହ ବେଷ୍ଟବେକରୀ ମାମଲାରେ ପ୍ରମୁଖ ସାକ୍ଷୀ ଜାହିରା ଶେଖ ସହ ସାଲିସ କରିବା ଲାଗି ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ତାଙ୍କ ବିରୋଧରେ ୯ଟି ମାମଲା ରହିଛି ।

ad-week
Leave A Reply

Your email address will not be published.