ଇସ୍ତାନବୁଲ ବିସ୍ଫୋରଣ : ଆତଙ୍କବାଦୀ ସଂଗଠନ ଦେଇଥିବା ବୋମା ରଖିଥିଲେ ସିରିଆନ ମହିଳା

add-all

ଇସ୍ତାନବୁଲ: ବୋମା ବିସ୍ଫୋରଣରେ ରବିବାର ତୁର୍କିର ଇସ୍ତାନବୁଲ ସହରର ଟାକସିମ ଅଞ୍ଚଳ ଥରି ଉଠିଥିଲା। ଟାକସିମ ଅଞ୍ଚଳର ଇସ୍ତିକଲାଲ ଷ୍ଟ୍ରିଟରେ ଏହି ଘଟଣା ଘଟିଥିଲା। ଏହି ବିସ୍ଫୋରଣରେ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮୧ ଜଣ ଗୁରୁତର ହୋଇଥିବା ସେଠାକାର ପ୍ରଶାସନିକ ଅଧିକାରୀଙ୍କଠାରୁ ସୂଚନା ମିଳିଥିବା ଭାରତୀୟ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପ୍ରକାଶ କରିଥିଲା। ତେବେ ଏହି ଘଟଣା ଘଟାଇଥିବା ସିରିଆନ ମହିଳାଙ୍କୁ ତୁର୍କି ପୁଲିସ ଗିରଫ କରିଥିବା ଜାତୀୟ ଗଣମାଧ୍ୟମ ଏନଡିଟିଭି ରିପୋର୍ଟ କରିଛି। ଗିରଫ ପରେ ଅଭିଯୁକ୍ତ ନିଜର ଦୋଷ ସ୍ବୀକାର କରିଛନ୍ତି ଏବଂ ଆତଙ୍କବାଦୀ ଗୋଷ୍ଠୀ ଭାବରେ ତାଲିକାଭୁକ୍ତ କୁର୍ଦ୍ଦିସ୍ତାନ ୱାର୍କର୍ସ ପାର୍ଟି ତାଙ୍କୁ ବୋମା ରଖିବା ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ରବିବାର ଭାରତୀୟ ସମୟ ଅପରାହ୍ନ ପ୍ରାୟ ୪.୨୦ ହେବ। ଇସ୍ତାନବୁଲ ସହରର ଇସ୍ତିକଲାଲ ଷ୍ଟ୍ରିଟରେ ଭିଡ ଲାଗି ରହିଥିଲା। ଲୋକେମାନେ କିଛି ନବୁଝୁଣୁ ହଠାତ ବିସ୍ଫୋରଣ ହୋଇଥିଲା। ଲୋକେ ଚିତ୍କାର କରି ଏଣେତେଣେ ଦୌଡିବାରେ ଲାଗିଥିଲେ। ଘଟଣା ଜଣାପଡିବା ପରେ ସେଠାକାର ପ୍ରଶାସନ ପକ୍ଷରୁ ଘଟଣାସ୍ଥଳକୁ ପୁଲିସ, ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ, ଅଗ୍ନିଶମ ବିଭାଗ ଓ ଏଏଫଏଡି ଟିମ ପଠାଇ ମୃତ ଓ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇଥିଲା। ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ରାଜ୍ୟପାଳ ୟେରିଲକାୟା କହିଛନ୍ତି। ଉକ୍ତ ଘଟଣାରେ ଭାରତୀୟ ବହିଃବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟୁଇଟ ଜରିଆରେ ଗଭୀର ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଗୁରୁତରମାନେ ଶୀଘ୍ର ସୁସ୍ଥ ହେବା ନେଇ ଆଶା ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.