ବୀମା ସହାୟତା ଯୋଗାଇବା ନେଇ ଏକ ଟ୍ବିଟ୍‌ କରି ସୂଚନା ଦେଲେ କେନ୍ଦ୍ର କୃଷିମନ୍ତ୍ରୀ

add-all

ନୂଆଦିଲ୍ଲୀ: ବରଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ନେଇ ଚାଷୀ ଆନ୍ଦୋଳନ ଦେଖା ଦେଇଥିବା ବେଳେ ଆଜି ବୀମା ସହାୟତା ଯୋଗାଇବା ନେଇ ଏକ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ବୀମା କମ୍ପାନି ଓ ରାଜ୍ୟ ସରକାରଙ୍କୁ ତୁରନ୍ତ ସହାୟତା ଅର୍ଥ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କଥା ହୋଇଛନ୍ତି ବୋଲି ତାଙ୍କ ଟ୍ବିଟ୍‌ରେ ପ୍ରକାଶ କରିଛନି।
ତୋମାର ଟ୍ବିଟ୍‌ ପୋଷ୍ଟ୍‌ କରି ଲେଖିଛନ୍ତି, ‘କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜୀଙ୍କ ସହ ଆଜି ଓଡ଼ିଶାର ବରଗଡ଼ ଜିଲ୍ଲାର ପାଇକମାଳ ବ୍ଲକ୍‌ର ଝାରବନ୍ଧ, ପଦ୍ମପୁରରେ ଯେ‌ାଗାଇ ଦିଆଯିବାକୁ ଥିବା ବୀମା ସହାୟତା ବିଷୟରେ ମୋର ଆଲୋଚନା ହୋଇଛି।’
ସେ ଅନ୍ୟ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘ଭାରତ ସରକାରଙ୍କ ଦ୍ବାରା ଗଠିତ ବୈଷୟିକ ପରାମର୍ଶଦାତା କମିଟି ଦ୍ବାରା ଏ ନେଇ ନିର୍ଣ୍ଣୟ ନିଆଯାଇଛି। ବୀମା କମ୍ପାନି ଓ ରାଜ୍ୟ ସରକାରଙ୍କୁ ତୁରନ୍ତ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ହୋଇଛି। କୃଷକଙ୍କ ବୀମା କ୍ଲେମକୁ ଶୀଘ୍ର ପ୍ରଦାନ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ।’
ଉଲ୍ଲେଖଯୋଗ୍ୟ, ପଦ୍ମପୁର ଉପନିର୍ବାଚନ ପାଇଁ ଗତକାଲି ‘ଚାଷୀକାର୍ଡ’ ଖେଳିଥିଲା ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ତୁଙ୍ଗନେତାଙ୍କୁ ନେଇ ବିରାଟ ଶୋଭାଯାତ୍ରା ହେବା ସତ୍ତ୍ବେ ବି ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜର ପ୍ରାର୍ଥିପତ୍ର ଦାଖଲ କରି ନଥିଲେ।

ବିଜେପି ପ୍ରାର୍ଥୀ ପୁରୋହିତ ସୋମବାର ଦିନ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଦିନଧାର୍ଯ୍ୟ ହୋଇଥିଲା। ସକାଳ ସମୟରେ ଶ୍ରୀ ପୁରୋହିତ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ପଦ୍ମପୁର କପସିଲା ପଡ଼ିଆଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ବେଶ୍ୱର ଟୁଡୁ, ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳନେତା ଜୟନାରୟଣ ମିଶ୍ର, ସାଂସଦ ସୁରେଶ ପୂଜାରୀ ଓ ସଙ୍ଗୀତା ସିଂଦେଓ, କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଦଳର ବହୁ ତୁଙ୍ଗନେତା ଏଥିରେ ଯୋଗ ଦେଇଥିଲେ।

ବିଜେପି ନେତୃବୃନ୍ଦ ବୀମା ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ତୀବ୍ର ସମ‌ାଲୋଚନା କରିଥିଲେ। ପରେ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିବାପରେ ନାମାଙ୍କନ ପାଇଁ ଦଳୀୟ ପ୍ରାର୍ଥୀ ଶ୍ରୀ ପୁରୋହିତ ଉପଜିଲ୍ଲାପାଳ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ସେଠାରେ ବିଭିନ୍ନ ଦାବି ନେଇ ୧୪ଦିନ ଧରି ଆନ୍ଦୋଳନରେ ବସିଥିବା ରାଜବୋଡ଼ାସମ୍ବର କୃଷକ ସଙ୍ଗଠନର ସଦସ୍ୟଙ୍କ ପାଖକୁ ଯାଇ ଆଲୋଚନା କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ, ଶ୍ରୀ ଟୁଡୁଙ୍କ ସମେତ ସମସ୍ତ ନେତା ଚାଷୀଙ୍କ ଦାବି ଯଥାର୍ଥ ବୋଲି ସ୍ବୀକାର କରିଥିଲେ। ଏହାପରେ ହଠାତ୍‌ ଏଭ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଚାଷୀମାନଙ୍କ ଦାବିକୁ ସମର୍ଥନ ଜଣାଇ ଶ୍ରୀ ପୁରୋହିତ ନାମାଙ୍କନ ପତ୍ର ଦାଖଲ କରିନଥିଲେ।

ad-week
Leave A Reply

Your email address will not be published.