ମହିଳାଙ୍କୁ ହତ୍ୟା ପରେ ଖଣ୍ଡଖଣ୍ଡ କରି ଦେଲେ, ଡ୍ରମରୁ ମିଳିଲା କଟା ଶରୀର

youtube

ବିଶାଖାପଟନମ: ପୁଣିଥରେ ଶ୍ରଦ୍ଧା ୱାଲକର ହତ୍ୟା ଘଟଣାର ପୁନରାବୃତ୍ତି। ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପୁଲିସ ଗୋଟିଏ ପ୍ଲାଷ୍ଟିକ ଡ୍ରମ୍‌ ଭିତରୁ ଉଦ୍ଧାର କରିଛି। ମୃତ ମହିଳାଙ୍କ ବୟସ ପ୍ରାୟ ୩୫ ବର୍ଷ ହେବ। ହତ୍ୟା ପରେ ମହିଳାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଦିଆଯାଇଥିଲା। ଏହାପରେ ଏହି କଟା ଶରୀରକୁ ପ୍ଲାଷ୍ଟିକ ଡ୍ରମ୍‌ରେ ଭର୍ତ୍ତି କରି ବିଶାଖାପଟନମର ମଧୁରାୱାଡାର ବିକାଲାଙ୍ଗୁଲା କଲୋନୀରେ ଥିବା ଗୋଟିଏ ଘର ମଧ୍ୟରେ ରଖାଯାଇଥିଲା।

ପ୍ଲାଷ୍ଟିକ ଡ୍ରମରେ ଥିବା ଖଣ୍ଡବିଖଣ୍ଡିତ ମୃତଦେହଟି ସଂପୂର୍ଣ୍ଣ ଭାବେ ପୋଚି ଯାଇଛି। ଏହି ପୋଚା ଅଂଶଗୁଡ଼ିକ ଜବତ କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ପ୍ରାଥମକି ତଦନ୍ତରୁ ଜଣାପଡ଼ିଛି ଯେ ଏହି ନିର୍ମମ ହତ୍ୟାକାଣ୍ଡଟି ୨୦୨୧ ମସିହା ମେ’ ମାସରେ ଘଟିଥିଲା। ଘଟଣାର ପ୍ରାୟ ୧୮ ମାସ ପରେ ପୁଲିସ୍‌ ରବିବାର ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରିବାକୁ ସକ୍ଷମ ହୋଇଛି।

ଘଟଣା ସମ୍ପର୍କରେ ଜାଣି ସ୍ଥାନୀୟ ଲୋକମାନେ ପୂରା ସ୍ତବ୍ଧ ହୋଇଯାଇଛନ୍ତି। ପୁଲିସ୍‌ ଅନୁମାନ କରିଛି ଯେ ମୃତ ମହିଳାଙ୍କ ଉଚ୍ଚତା ୪.୫ ଫୁଟ ହେବ ଓ ସେ ଜଣେ ସେକ୍ସ ୱାର୍କର ଭାବେ କାମ କରୁଥିଲେ। ତେବେ ମହିଳାଙ୍କ ପରିଚୟ ଓ ତାଙ୍କ ହତ୍ୟା ପଛର କାରଣ ଏଯାଏ ଜଣାପଡ଼ିନି। ପୁଲିସ୍‌ ଗୋଟିଏ ମାମଲା ରୁଜୁ କରି ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

ପୁଲିସ କହିଛି ଯେ ମହିଳାଙ୍କ ଶରୀରକୁ ଏକାଧିକ ଖଣ୍ଡ କରାଯାଇଛି। ଏହାପରେ ଗୋଟିଏ ପ୍ଲାଷ୍ଟିକ ଡ୍ରମରେ କଟା ମୃତଦେହକୁ ଭର୍ତ୍ତି କରି ଟେପ୍‌ ଦ୍ୱାରା ଏହାକୁ ସିଲ୍‌ କରି ଦିଆଯାଇଥିଲା। ମଧୁରାୱାଡାରେ ୱେଲଡିଂ ଦୋକାନରେ କାମ କରୁଥିବା ୩୩ ବର୍ଷୀୟ ଋଷିଙ୍କୁ ପୂରା ଘଟଣାର ମୁଖ୍ୟ ସନ୍ଦିଗ୍ଧ ଭାବେ ପୁଲିସ ବିବେଚନା କରିଛି। ଏଥିପାଇଁ ତାଙ୍କୁ ପୁଲିସ ଧରିବା ସହ ଜେରା ଆରମ୍ଭ କରିଛି।
ଖଣ୍ଡବିଖଣ୍ଡିତ ମୃତଦେହ ମିଳିଥିବା ଘରଟି ଏ ରମେଶଙ୍କ ନାଁରେ ରହିଛି। ରମେଶଙ୍କ ୱେଲଡିଂ ଦୋକାନରେ ଋଷି କାମ କରୁଥିଲେ। ଏଥିସହ ମୃତଦେହ ମିଳିଥିବା ଘରୁକୁ ସେ ଭଡ଼ାରେ ନେଇଥିଲେ। ଋଷି ଉକ୍ତ ଘରେ ତାଙ୍କ ପତ୍ନୀ ଓ ଝିଅଙ୍କ ସହ ରହୁଥିଲେ। ମୃତ ମହିଳା ଜଣଙ୍କ ରାତି ସମୟରେ ଅଟୋରେ ଯାଉଥିବା ବେଳେ ସମ୍ଭବତଃ ଋଷି ତାଙ୍କୁ ଜାଣିବାକୁ ପାଇଥିଲେ।

ଏହାପରେ ସେ ତାଙ୍କୁ ଘରକୁ ଆଣିଥିଲେ। ତାଙ୍କ ପତ୍ନୀ ଡେଲିଭରୀ ପାଇଁ ଶ୍ରୀକାକୁଲମ ଯାଇଥିବାରୁ ଋଷି ଉକ୍ତ ମହିଳାଙ୍କୁ ସେଦିନ ଘରକୁ ଆଣିଥାଇ ପାରନ୍ତି। ଏହି ସମୟରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥାଇ ପାରେ। ଏଥିରେ ରାଗି ଯାଇ ଋଷି ମହିଳାଙ୍କୁ ତାଙ୍କରି ସ୍କାର୍ଫରେ ତଣ୍ଟି ଚିପି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ହତ୍ୟା ପରେ ସେ ମହିଳାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଦେଇଥିଲେ ଓ ଏହାକୁ ପ୍ଲାଷ୍ଟିକ ଡ୍ରମରେ ଭର୍ତ୍ତି କରି ସିଲ୍‌ କରି ଦେଇଥିବାର ଆଶଙ୍କା ରହିଛି। ପୁଲିସ୍‌ ଏପରି ସନ୍ଦେହ କରିବାର ଯଥେଷ୍ଟ କାରଣ ରହିଛି। ରିଷି ହଠାତ୍‌ ଗୋଟିଏ ଦିନ ସକାଳୁ ତାଙ୍କ ମାଲିକଙ୍କ ପାଖରେ ପହଞ୍ଚି ପତ୍ନୀଙ୍କୁ ଦେଖା କରିବା ପାଇଁ ସୀତାମପେଟା ଯାଉଥିବା କହି ସହର ଛାଡ଼ିଥିଲେ। କିନ୍ତୁ ସେ ୨୦୨୧ ମେ’ ମାସ ପରଠାରୁ ଆଉ ସହରକୁ କିମ୍ବା ରମେଶଙ୍କ ପାଖକୁ ଫେରି ନଥିଲେ।

ରମେଶ ଘର ଭଡ଼ା ପାଇଁ ଋଷିଙ୍କୁ ଯୋଗାଯୋଗ କରିବାକୁ ଚାହିଁଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନଥିଲା। ତେଣୁ ରମେଶ ବାଧ୍ୟ ହୋଇ ଘର ଭିତରେ ଥିବା ଋଷିଙ୍କ ଜିନିଷପତ୍ର ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ। ଜନିଷପତ୍ର କାଢ଼ିବା ବେଳେ ତାଙ୍କ ନଜର ଗୋଟିଏ ଡ୍ରମ ଉପରେ ପଡ଼ିଥିଲା।

ଏହାକୁ ଖୋଲିବା ମାତ୍ରେ ସେ ପୂରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡ୍ରମ ମଧ୍ୟରେ ପୋଚି ଯାଇଥିବା ଖଣ୍ଡବିଖଣ୍ଡିତ ମୃତଦେହ ଦେଖି ସେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିବା ସହ ଋଷିଙ୍କ ପାଖରେ ପହଞ୍ଚିଛି।

Leave A Reply

Your email address will not be published.