
ବୁଗୁଡ଼ା : ହାତ ପାହାନ୍ତାରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି l ବିଶେଷକରି ଶିଶୁ ଓ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଗାଁ ଗାଁରେ ଆଶା ଓ ଅଙ୍ଗନବାଡି କର୍ମୀ ନିଯୁକ୍ତି ହୋଇଛନ୍ତି । ତେବେ ଗର୍ଭବତୀ ମହିଳାମାନଙ୍କ ଗର୍ଭସ୍ଥ ଶିଶୁର ଅବସ୍ଥା ଜାଣିବା ପାଇଁ ପ୍ରତି ୩ ମାସରେ ଥରେ ସମୁଦାୟ ୩ ଥର ଅଲଟ୍ରା ସାଉଣ୍ଡ୍ ପରୀକ୍ଷା କରିବାକୁ ନିୟମ ରହିଛି l ଏହି ପରୀକ୍ଷା ସୁବିଧା ଗର୍ଭବତୀଙ୍କୁ ମାଗଣାରେ ସରକାର ଯୋଗାଇ ଦେଇଥିଲେ ହେଁ ଏହି ମାଗଣା ସୁବିଧା ପାଇବା ପାଇଁ ବୁଗୁଡ଼ା ଅଞ୍ଚଳର ଗର୍ଭବତୀ ମହିଳାମାନଙ୍କୁ ଦୀର୍ଘ ୭୫ କିଲୋମିଟର ବ୍ରହ୍ମପୁରର ମିଶ୍ର ନର୍ସିଙ୍ଗ୍ ହୋମ୍ ନାମକ ଏକ ଘରୋଇ କ୍ଲିନିକକୁ ଯିବାକୁ କୁହାଯାଉଛି ହେଲେ ଗର୍ଭବତୀମାନେ ସେଠାକୁ ଯିବାକୁ କୌଣସି ବ୍ୟବସ୍ଥା ନାହିଁ l ଘୋଡା ୬ ଟଙ୍କାକୁ ଦାନା ୯ ଟଙ୍କା ନ୍ୟାୟରେ ମାଗଣା ଅଲଟ୍ରା ସାଉଣ୍ଡ୍ ସୁବିଧା ପାଇଁ ହଜାର ହଜାର ଟଙ୍କା ଗାଡି ଖର୍ଚ୍ଚ ଗଣୁଛନ୍ତି l ଫଳରେ ବହୁ ଗରିବ ମହିଳା ଯାତାୟତ ଖର୍ଚ୍ଚ ବହନ କରି ନପାରି ନିୟମାନୁସାରେ ୩ ଥର ଯାଇପାରୁ ନଥିବା ବେଳେ ଯେଉଁମାନେ ବସ୍ ଯୋଗେ ବ୍ରହ୍ମପୁର ଯାଇ ମିଶ୍ର କ୍ଲିନିକ୍ ଯିବା ପାଇଁ ବସଷ୍ଟାଣ୍ଡରୁ ଅଟୋ କିମ୍ୱା ରିକ୍ସା ଉପରେ ଭରସା କରୁଛନ୍ତି । ଫଳରେ ବହୁ ସମୟରେ ଏହି ଚାଳକମାନଙ୍କ ଦ୍ୱାରା ଠକାମୀର ଶିକାର ହୋଇ ଅନ୍ୟ କ୍ଲିନିକରେ ଟଙ୍କା ଗଣି ଆସୁଛନ୍ତି l ବୁଗୁଡ଼ା ମେଡିକାଲ ରେକର୍ଡ ଅନୁସାରେ ପ୍ରତି ମାସରେ ୫ ଶହରୁ ଉର୍ଦ୍ଧ ଗର୍ଭବତୀ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସୁଥିବା ଜଣା ପଡିଛି l ଆସ୍କାଠାରେ ଥିବା ସବ୍-ଡିଭିଜିନାଲ୍ ହସ୍ପିଟାଲ ଠାରୁ ଅଧିକ ଗର୍ଭବତୀ ବୁଗୁଡ଼ା ମେଡିକାଲ ଉପରେ ନିର୍ଭର କରୁଥିଲେ ହେଁ ଏଠାରେ ଅଲଟ୍ରା ସାଉଣ୍ଡ ପରୀକ୍ଷା ବ୍ୟବସ୍ଥା ନାହିଁ l ବୁଗୁଡ଼ା ଠାରୁ ୧୬ କିମି ଦୂର ପୋଲସରା, ୩୦ କିମି ଦୂର ଆସ୍କା ଓ ୪୦ କିମି ଦୂର ଭଞ୍ଜନଗର ଠାରେ ଅଲଟ୍ରା ସାଉଣ୍ଡ ବ୍ୟବସ୍ଥା ଥିବା ବେଳେ ବୁଗୁଡ଼ା ଅଞ୍ଚଳର ଗର୍ଭବତୀ ମହିଳାମାନଙ୍କୁ ଦୀର୍ଘ ୭୫ କିମି ଦୂର ବ୍ରହ୍ମପୁରର ଗୋଟିଏ ଘରୋଇ କ୍ଲିନିକକୁ କହିଁକି ଓ କାହା ସ୍ୱାର୍ଥରେ ପଠାଯାଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ବୁଗୁଡ଼ା ଠାରେ ଅଲଟ୍ରା ସାଉଣ୍ଡ ମେସିନ ପ୍ରତିଷ୍ଠା ପର୍ଯ୍ୟନ୍ତ ଗର୍ଭବତୀ ମହିଳାଙ୍କୁ ପୋଲସରା ପଠାଯାଉ ବୋଲି ସାଧାରଣରେ ଦାବି ହୋଇଛି l ଏ ନେଇ ସିଡ଼ିଏମଓଙ୍କୁ ପଚାରିବାରେ ବୁଗୁଡ଼ା ମେଡିକାଲରେ ପଞ୍ଜିକୃତ ଗର୍ଭବତୀ ମହିଳା ଅଲଟ୍ରା ସାଉଣ୍ଡ ପାଇଁ ବ୍ରହ୍ମପୁର ଆସୁଥିବା ସେ ଜାଣି ନଥିବା କହି ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି l