ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ୭ଦଫା ଦାବୀନେଇ ଗଞ୍ଜାମ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଛତ୍ରପୁର : ରାଜ୍ୟରେ ଏବେ ଆଶାକର୍ମୀମାନେ ସେମାନଙ୍କ ନ୍ୟାର୍ଯ୍ୟ ଦାବୀନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହିପରିପେକ୍ଷିରେ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ୭ଦଫା ଦାବୀନେଇ ବୁଧବାର ଗଞ୍ଜାମ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଦୀର୍ଘ ୧୫ ଦିନ ହେଲା ଏହି ଆନ୍ଦୋଳନ ଚାଲିଥିବା ବେଳେ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, ଯେଉଁ ଦିନ ପ୍ରର୍ଯ୍ୟନ୍ତ ସେମାନଙ୍କୁ ସରକାରୀ ମାନ୍ୟତା ମିଳିନାହିଁ ସେତେଦିନ ପ୍ରର୍ଯ୍ୟନ୍ତ ସେମାନଙ୍କୁ ମାସିକ ୧୮ ହାଜର ଟଙ୍କା ପ୍ରଦାନ, ଯୋଗ୍ୟତା ଭିତିରେ ଆଶାକର୍ମୀମାନଙ୍କୁ ଏଏନଏମ ଭାବେ ନିଯୁକ୍ତି, କୋଭିଡ ସମୟରେ ମୃତ୍ୟୁବରଣ କରିଥିବା ଆଶାକର୍ମୀମାନଙ୍କୁ ସରକାର ପକ୍ଷରୁ ଘୋଷଣା ରାଶି ପ୍ରଦାନ, କାର୍ଯ୍ୟରତ ସମୟରେ ମୃତ୍ୟୁବରଣ ଆଶାକର୍ମୀ ପରିବାରକୁ ୫ଲକ୍ଷ ସହାୟତା ରାଶି ପ୍ରଦାନ ସମେତ ପରିବାରର ଜଣକୁ ନିଯୁକ୍ତି ଦାବୀଉଠିଛି ।ଏପରିକି ସେମାନେ କରୋନା ମହାମାରୀ ସମୟରେ ଘର ଘର ବୁଲି ଲୋକଙ୍କୁ ସଚେତନତା କରିବା ସହ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ ସହଯୋଗ କରିଥିଲେ କିନ୍ତୁ ରାଜ୍ୟ ସରକାର ତାଙ୍କୁ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି । ଏହି ଦାବୀ ପୂରଣ ନହେଲେ ଆସନ୍ତା ୨୦ ରେ ବିଧାନସଭା ଘେରାଉ କରିବୁ ବୋଲି ଚେତାବନି ଦେଇଛନ୍ତି । ପ୍ରାରମ୍ଭରେ ଡିଆରଡିଏ ଛକ ନିକଟରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ଜିଲ୍ଲାପାଳ ଅଫିସ ନିକଟରେ ପହଂଚିଥିଲେ | ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ରେଣୁବାଳା ସାହୁ,ବି.ଲଳିତା ଦୋରା, ସସ୍ମିତା କୁମାରୀ ପାଢ଼ୀ, ମମତା ଦଳେଇ, ରେଣୁବାଳା ପାଢ଼ୀ ଙ୍କ ସମେତ ଶତାଧିକ ଆଶାକର୍ମୀ ଉପସ୍ଥିତ ଥିଲେ |
