୧୦ ଦେଶର କଟକଣା ପରେ ଚାଇନାକୁ କରୋନା ମୃତ୍ୟୁର ତଥ୍ୟ ମାଗଲା ହୁ’…

add-all

ବେଜିଂ: ଚାଇନାକୁ କରୋନା ମୃତ୍ୟୁ ସମ୍ପର୍କରେ ଅଧିକ ତଥ୍ୟ ଦେବାକୁ କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ। ଚାଇନାରେ କରୋନା ସଂକ୍ରମଣ ଓ ମୃତ୍ୟୁ ଭୟଙ୍କର ସ୍ଥିତି ସୃଷ୍ଟି କରିଥିଲେ ମଧ୍ୟ ବେଜିଂ ପକ୍ଷରୁ ସଠିକ ତଥ୍ୟ ଦିଆଯାଉନି। ଏହାକୁ ନେଇ ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଚାଇନା ଜାଣିଶୁଣି କରୋନା ତଥ୍ୟ ସାର୍ବଜନୀନ କରୁନି ଓ ବେଜିଂ ଚାହୁଁଛି ପୂରା ବିଶ୍ୱ ପୁଣିଥରେ ସଂକ୍ରମଣ ପଞ୍ଝାରେ ପଡ଼ୁ ବୋଲି ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ହୁ’ ପକ୍ଷରୁ ଚାଇନାକୁ ତଥ୍ୟ ମଗାଯାଇଛି। ହୁ’ର ଏପରି ପଦକ୍ଷେପ ପୂର୍ବରୁ ଭାରତ, ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ଭଳି ୧୦ଟି ଦେଶ ଚାଇନା ଫେରନ୍ତାଙ୍କ ଉପରେ କଟକଣା ଲଗାଇଥିଲେ। ଚାଇନାରୁ ଆସୁଥିବା ଲୋକମାନଙ୍କ ପାଇଁ କୋଭିଡ୍‌ ନେଗେଟିଭ ରିପୋର୍ଟ ଏହି ୧୦ ଦେଶ ବାଧ୍ୟତାମୂଳକ କରିଛନ୍ତି। ଏହି କଟକଣା ପରେ ହୁ’ ପକ୍ଷରୁ ଚାଇନାକୁ କରୋନା ସମ୍ପର୍କରେ ଅଧିକ ତଥ୍ୟ ଦୈନିକ ଭିତ୍ତିରେ ଦେବାକୁ କୁହାଯାଇଛି।

ଚାଇନା ନିଜର ତଥ୍ୟକୁ ସ୍ୱଚ୍ଛ ବୋଲି ଦାବି କରୁଥିବା ବେଳେ କମ ଟେଷ୍ଟିଂ ଯୋଗୁ ଏହା ଉପରେ ସମସ୍ତେ ସନ୍ଦେହ ପ୍ରକାଶ କରୁଛନ୍ତି। ଚାଇନା ଦୈନିକ କରୋନା ତଥ୍ୟ ଗଣତି କରୁ ନ ଥିବାରୁ ବେଜିଂକୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ଏହି ବିବାଦ ଭିତରେ ଶୁକ୍ରବାର ହୁ’ର ବିଶେଷଜ୍ଞମାନେ ଚାଇନିଜ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଏହି ସମୟରେ ତଥ୍ୟ ସାର୍ବଜନୀନ ନ କରିବା ଘଟଣାକୁ ନେଇ ହୁ’ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଥିଲା। ଏହାପରେ ହୁ’ ପକ୍ଷରୁ ଚାଇନାକୁ କରୋନାର ଜେନୋମ ସିକ୍ୱେନ୍ସିଂ, ହସ୍ପିଟାଲରେ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟା, ମୃତକଙ୍କ ସଂଖ୍ୟା, ସଂକ୍ରମିତଙ୍କ ସଂଖ୍ୟା ଓ ଟିକାକରଣ ସମ୍ପର୍କରେ ଅଧିକ ତଥ୍ୟ ଦେବାକୁ କୁହାଯାଇଛି।

ହୁ’ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୁଣିଥରେ ଚାଇନାକୁ ନିର୍ଦ୍ଦିଷ୍ଟ ଓ ରିୟଲ ଟାଇମ ତଥ୍ୟ ଦେବାକୁ କହିଛି। ବିଶେଷ କରି ଜେନେଟିକ ସିକ୍ୱେନ୍ସି ତଥ୍ୟ, ରୋଗର ପ୍ରଭାବ ଯଥା ହସ୍ପିଟାଲରେ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟା, ଆଇସିୟୁରେ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ଦେବାକୁ କୁହାଯାଇଛି। ଏହାବାଦ କେତେ ସଂଖ୍ୟା ଟିକାକରଣ କରାଯାଉଛି ଓ ଏଯାଏ କେତେ ଲୋକ ଟିକା ନେଇଛନ୍ତି, ସେ ବିଷୟରେ ମଧ୍ୟ ଚାଇନାକୁ ତଥ୍ୟ ମଗାଯାଇଛି। ଚାଇନା ଭାଇରାଲ ସିକ୍ୱେନ୍ସିଂକୁ ସଶକ୍ତ କରିବା ସହ ସ୍ଥିତିକୁ ଆକଳନ କରୁ। ହୁ’ର ଏପରି ପରାମର୍ଶ ପରେ ଚାଇନା ମଧ୍ୟ ତଥ୍ୟ ଦେଇ ସହଯୋଗ କରିବାକୁ ରାଜି ହୋଇଥିବା ବିବୃତିରେ କୁହାଯାଇଛି।

ଅନ୍ୟପକ୍ଷରେ ବିଭିନ୍ନ ଦେଶ ଚାଇନା ଫେରନ୍ତାଙ୍କ ଉପରେ କଟକଣା ଲଗାଇଥିବାରୁ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମର୍ଥନ କରିଛି। ସଂସ୍ଥା କହିଛି ଯେ ଚାଇନାରୁ ଉପଯୁକ୍ତ ତଥ୍ୟ ଆସୁନି। ଏଥିପାଇଁ ବିଶ୍ୱର ବିଭିନ୍ନ ଦେଶ ନିଜ ନାଗରିକଙ୍କ ସୁରକ୍ଷା ପାଇଁ କଟକଣା ଲଗାଉଛନ୍ତି। ଏହାକୁ ସଂଗଠନ ବୁଝିପାରୁଛି। ତଥ୍ୟ ଆସିବା ପରେ ସବୁ କିଛି ସ୍ୱାଭାବିକ ହୋଇଯିବ ବୋଲି ହୁ’ ଆଶା କରିଛି।

ad-week
Leave A Reply

Your email address will not be published.